– ୯୪୩୭୨୯୨୦୦୦ ଏକୀକୃତ ହ୍ୱାଟସ୍ଆପ୍ ନମ୍ବର କାର୍ଯ୍ୟକାରୀ
– ‘ମେଟା’ ସହଭାଗିତାରେ ‘ଆମ ସାଥୀ ’ ହ୍ୱାଟସ୍ଆପ୍ ସହାୟତା ଆରମ୍ଭ କରିବାରେ
ଓଡ଼ିଶା ଦେଶର ଦ୍ୱିତୀୟ ରାଜ୍ୟ
– ସ୍ୱର ଶୁଣି ଆବଶ୍ୟକତା ଅନୁସାରେ ସେବା ପ୍ରଦାନ କ୍ଷମତା ରଖୁଛି ଏହି ଆପ୍
– ଏବେ ୧୨୦ରୁ ଅଧିକ ନାଗରିକ ସେବା ପ୍ରଦାନ କରୁଛି
– ଆଗାମୀ କିଛି ମାସରେ ଏହା ୫୦୦ରୁ ଅଧିକ ସେବା ପ୍ରଦାନକୁ ସଂପ୍ରସାରିତ କରିବ

ଭୁବନେଶ୍ୱର: ୨୬/୯-.ବିଶ୍ୱସ୍ତରୀୟ ପ୍ରଯୁକ୍ତି ବିଦ୍ୟା କମ୍ପାନୀ ‘ମେଟା’ ସହଭାଗିତାରେ ଓଡ଼ିଶା ସରକାର ଆଜି ‘ଆମସାଥୀ’ ନାମକ ଏକୀକୃତ ହ୍ୱାଟସ୍ଆପ୍ ବଟ୍ ର ଶୁଭାରମ୍ଭ କରିଛନ୍ତି। ଏହା ମାଧ୍ୟମରେ ସମଗ୍ର ରାଜ୍ୟର ୪ କୋଟି ୫୦ ଲକ୍ଷରୁ ଅଧିକ ଲୋକଙ୍କ ପାଇଁ ୧୨୦ଟି ନାଗରିକ ସେବା ସହଜ ହେବ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଉପସ୍ଥିତିରେ ଏହି ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି । ଏହା ଗୁରୁତ୍ୱପୂର୍ଣ୍ଣ ତଥା କଷ୍ଟକର ହେଉଥିବା ସରକାରୀ ସେବା ପ୍ରଦାନକୁ ସହଜରେ ପହଞ୍ଚାଇବାରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ।
ଏହା ମାଧ୍ୟମରେ ନାଗରିକମାନେ ଜନ୍ମ ଏବଂ ଆୟ ପ୍ରମାଣପତ୍ର ପାଇବା, ଡ୍ରାଇଭିଙ୍ଗ ଏବଂ ସାର ଲାଇସେନ୍ସ ପାଇଁ ଆବେଦନ ସହିତ ‘ଜାତୀୟ ପରିବାର କଲ୍ୟାଣ ଯୋଜନା’ ପରି ସୁବିଧା, ସବୁକିଛି ଏକୀକୃତ ହ୍ୱାଟସ୍ଆପ୍ ନମ୍ବର ମାଧ୍ୟମରେ ପାଇପାରିବେ। ଏହା ସହିତ ଆଜି ଓଡ଼ିଶା ଲୋକ ସେବା ଅଧିକାର ଅଧିନିୟମର କେନ୍ଦ୍ରୀୟ ତଦାରଖ ବ୍ୟବସ୍ଥା ୨.୦ (ସିଏମଏସ) କୁ ମଧ୍ୟ ମୁଖ୍ୟ ଶାସନ ସଚିବ ଶୁଭାରମ୍ଭ କରିଛନ୍ତି।

‘ଆମସାଥୀ’ ସହାୟକ ହ୍ୱାଟ୍ସ ଆପ୍ ଚାଟ ବଟ୍ ନମ୍ବର ୯୪୩୭୨୯୨୦୦୦ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଉପଲବ୍ଧ । କଣ୍ଠସ୍ୱର (ଭଏସ୍) ମାଧ୍ୟମରେ ମଧ୍ୟ ସେବା ପ୍ରଦାନ କ୍ଷମତା ରଖୁଥିବା ଏହା ଏକ ଡିଜିଟାଲ ସହାୟକ ଭାବରେ ଡିଜାଇନ୍ କରାଯାଇଛି। ଯାହା ଫଳରେ ନାଗରିକମାନେ ବିଭିନ୍ନ ଅତ୍ୟାବଶ୍ୟକ ସରକାରୀ ସେବା ପାଇବା ସହଜ ହେବ।
ଏହା ମାଧ୍ୟମରେ ଲୋକମାନେ ସୁବିଧାରେ ଅଭିଯୋଗ ଦାଖଲ କରିବା ସହିତ ତାହାର ସ୍ଥିତି ଅନୁସରଣ କରିପାରିବେ। ଗୃହ ଏବଂ ସହରାଂଚଳ ବିକାଶ ସମ୍ବନ୍ଧୀୟ ସେବା, ସାଧାରଣ ପ୍ରଶାସନ ସେବା ସହିତ ସିଧାସଳଖ ବାର୍ତ୍ତାଳାପ, ଶିକ୍ଷା, କୃଷି ଏବଂ ଉଦ୍ୟାନକୃଷି ସମ୍ବନ୍ଧୀୟ ସୂଚନା ଓ ସହାୟତା ଏହି ମାଧ୍ୟମରେ ମିଳି ପାରିବ। ଏହି ବ୍ୟବସ୍ଥା ମାଧ୍ୟମରେ ମଧ୍ୟ ଓଡ଼ିଶାର ନାଗରିକମାନେ ପୁଲିସ୍ ସହିତ ସଂଯୁକ୍ତ ସେବା, ଜମିର ରେକର୍ଡ ଏବଂ ରାଜସ୍ୱ ସମ୍ବନ୍ଧୀୟ ସୂଚନା ଯାଞ୍ଚ କରିବା ସହିତ ଆବଶ୍ୟକ ସହାୟତା ସୁବିଧା ପାଇପାରିବେ। ପ୍ରୋତ୍ସାହନ ଯୋଜନାଗୁଡ଼ିକ ଯଥା ଜାତୀୟ ପରିବାର ଲାଭ ଯୋଜନା, ଆନ୍ତଃ-ଜାତି ବିବାହ ସହାୟତା ଇତ୍ୟାଦି ସହାୟତା ସହଜରେ ଉପଲବ୍ଧ ହେବ।
ଆଗାମୀ କିଛି ମାସରେ, ଏହି ସହାୟତା ୫୦୦ରୁ ଅଧିକ ସେବା ପ୍ରଦାନ ପାଇଁ ଯୋଡ଼ାଯିବ, ଯାହା ନାଗରିକଙ୍କୁ ବିଭିନ୍ନ ବିଭାଗର ସରକାରୀ ସେବାଗୁଡ଼ିକୁ ଅଧିକସହଜ ଭାବେ ଉପଲବ୍ଧ କରାଇବ। ‘ଆମସାଥୀ’ ଏକୀକୃତ ହ୍ୱାଟସ୍ଆପ୍ ବଟ୍ କୁ ସେଣ୍ଟର୍ ଫର୍ ମଡର୍ଣ୍ଣାଇଜିଂ ଗଭର୍ଣ୍ଣମେଣ୍ଟ ଇନିସିଏଟିଭ୍ (ସିଏମଜିଆଇ) ଏବଂ ‘ମେଟା ଇଣ୍ଡିଆ’ ସହଯୋଗରେ ବିକଶିତ କରିଛି । ମେଟା ସହ ସହଭାଗିତାରେ ‘ଆମସାଥୀ’ ର ଶୁଭାରମ୍ଭ ଓଡ଼ିଶା ଶାସନରେ ପ୍ରକୃତ ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ କରିବାରେ ଏକ ପରିବର୍ତ୍ତନଶୀଳ ପଦକ୍ଷେପ।

ସାର୍ବଜନୀନ ସେବା ପ୍ରାପ୍ତିର ସୁବିଧା ଦେବା ପାଇଁ ଓଡ଼ିଶାରେ ଏ ପର୍ଯ୍ୟନ୍ତ ଏକ ଆହ୍ୱାନ ରହିଛି । ବର୍ତ୍ତମାନ, ଓଡ଼ିଶାରେ କୌଣସି ସର୍ବଜନୀନ ସେବା ପ୍ରାପ୍ତି ପାଇଁ ଚାରିଟି ମାଧ୍ୟମ ଅଛି। ଯଥା- ସମ୍ପର୍କିତ କାର୍ଯ୍ୟାଳୟକୁ ନିଜେ ଯିବା (ଅଫ୍ଲାଇନ୍ ମୋଡ୍), ସମ୍ବନ୍ଧିତ ୱେବ୍ ପୋର୍ଟାଲକୁ ଆକ୍ସେସ୍ କରିବା, ସେହି ସେବାର ନିର୍ଦ୍ଦିଷ୍ଟ ମୋବାଇଲ୍ ଆପ୍ ମାଧ୍ୟମରେ ଆକ୍ସେସ୍ କରିବା, କିମ୍ବା ସହାୟତା ସେବା ମାଧ୍ୟମରେ (କମନ୍ ସର୍ଭିସ୍ ସେଣ୍ଟରକୁ ଯାଇ) ସେବା ପ୍ରାପ୍ତ କରିବା । ସର୍ବଜନୀନ ସେବା ପ୍ରଦାନକୁ ଅଧିକ ଉପଯୋଗୀ ଏବଂ ସୁଲଭ ଭାବରେ ପ୍ରଦାନ କରିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ହ୍ୱାଟସ୍ଆପ୍ ମାଧ୍ୟମରେ ନାଗରିକମାନେ ଏକମାତ୍ର ନମ୍ବର ମାଧ୍ୟମରେ ଆବଶ୍ୟକ ସେବା ସୁବିଧା ସହଜରେ ପାଇପାରିବେ । ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ସମସ୍ତ ସର୍ବଜନୀନ ସେବାକୁ ହ୍ୱାଟସ୍ଆପ୍ ମାଧ୍ୟମରେ ଉପଲବ୍ଧ କରାଇବା, ଯାହା ନାଗରିକମାନେ ଟେକ୍ସଟ୍ ଏବଂ କଣ୍ଠସ୍ୱର ଦ୍ୱାରା
ଆକ୍ସେସ୍ କରିପାରିବା ସରକାରଙ୍କ ଲକ୍ଷ୍ୟ ରହିଛି ।