ଶୂନ୍ୟ ସହନଶୀଳତା ଓ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ
ଭୁବନେଶ୍ୱର:29/11/2024- ଲୋକସେବା ଭବନ କନେଭନସନ୍ ସେଣ୍ଟରରେ ଆରମ୍ଭ ହୋଇଥିବା ତିନିଦିନିଆ ୫୯ତମ ପୁଲିସ ମହାନିର୍ଦେଶକ ସମ୍ମିଳନୀକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉଦଘାଟନ କରିଛନ୍ତି। ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜିତ ଏହି ସମ୍ମିଳନୀରେ ଦ୍ୱିତୀୟ ଓ ତୃତୀୟ ଦିନର ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ। ଶୂନ୍ୟ ସହନଶୀଳତା ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ଶୂନ୍ୟ ସହନଶୀଳ କାର୍ଯ୍ୟପନ୍ଥା ଓ ଶୂନ୍ୟ ସହନଶୀଳ କାର୍ଯ୍ୟାନୁଷ୍ଠାନ ଦିଗରେ ପଦକ୍ଷେପ ନେବାକୁ ସେ ଦେଶର ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।
ସମ୍ମିଳନୀରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ସମସ୍ତ ରାଜ୍ୟର ପୁଲିସ ଡିଜି, କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ଓ କେନ୍ଦ୍ରୀୟ ପୁଲିସ ସଂଗଠନର ମୁଖ୍ୟମାନେ ଯୋଗ ଦେଇଛନ୍ତି। ଦେଶର ବିଭିନ୍ନ ରାଜ୍ୟର ବରିଷ୍ଠ ପୁଲିସ ଅଫିସରମାନେ ଆଭାସୀ ବ୍ୟବସ୍ଥାରେ ଏହି ସମ୍ମିଳନୀରେ ସାମିଲ ହୋଇଥିଲେ।

ଉଦଘାଟନୀ ଅଭିଭାଷଣରେ ଶ୍ରୀ ଶାହ କହିଥିଲେ ଦେଶରେ ସାଧାରଣ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ସହ ତିନିଟି ନୂଆ ଅପରାଧ ଆଇନକୁ କାର୍ଯ୍ୟକାରୀ କରାଯାଇ ପାରିଛି। ଏହି ନୂଆ ଅପରାଧ ଆଇନ ଭାରତର ଅପରାଧିକ ନ୍ୟାୟ ପ୍ରଣାଳୀ ଭାବେ ପରିଚିତ। ପୂର୍ବରୁ ଏହା ଦଣ୍ଡଆଧାରିତ ଥିବାବେଳେ ଏବେ ନ୍ୟାୟକୈନ୍ଦ୍ରିକ ହୋଇଛି।
ସେ କହିଛନ୍ତି ଆସନ୍ତା ୨୦୪୭ ମସିହା ସୁଦ୍ଧା ଭାରତକୁ ସମ୍ପୂର୍ଣ୍ଣ ବିକଶିତ ରାଷ୍ଟ୍ର ଭାବେ ଗଢ଼ିତୋଳିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟ ପୂରଣ କରିବା ଦିଗରେ ସୁରକ୍ଷା ସଂସ୍ଥା ଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଦେଶର ପୂର୍ବାଞ୍ଚଳ ସୀମାରେ ସୁରକ୍ଷା ଚ୍ୟାଲେଞ୍ଜ, ଇମିଗ୍ରେସନ ଓ ଅର୍ବାନ ପୁଲିସିଂର ଟେଣ୍ଡ୍ରସ ପରି ପ୍ରସଙ୍ଗ ଉପରେ ଧ୍ୟାନଦେବାର ଆବଶ୍ୟକତା ରହିଛି।
ସମ୍ମିଳନୀର ଦ୍ୱିତୀୟ ଓ ତୃତୀୟ ଦିନରେ ରାଷ୍ଟ୍ରୀୟ ସୁରକ୍ଷା ଚ୍ୟାଲେଞ୍ଜର ମୁକାବିଲା ପାଇଁ ରୂପରେଖ ପ୍ରସ୍ତୁତ କରାଯିବ। ଯେଉଁଥିରେ ନକ୍ସଲ ସମସ୍ୟା, ଉପକୂଳ ସୁରକ୍ଷା, ନାରକୋଟିକ୍ସ, ସାଇବର ଅପରାଧ, ଆର୍ଥିକ ସୁରକ୍ଷା ଭଳି ପ୍ରସଙ୍ଗ ସାମିଲ ରହିଛି । ଏହାସହିତ ୩ଟି ନୂଆ ଅପରାଧ ଆଇନ କାର୍ଯ୍ୟକାରିତାର ସ୍ଥିତି ଓ ପୁଲିସ ସହ ଜଡ଼ିତ ବେଷ୍ଟ ପ୍ରାକ୍ଟିସର ମଧ୍ୟ ସମୀକ୍ଷା କରାଯିବ ।
ଏହି ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହ ଗୁଇନ୍ଦା ବ୍ୟୁରୋ(ଆଇବି)ର ଦକ୍ଷ ଅ ଫିସରଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୁଲିସ ମେଡାଲରେ ସମ୍ମାନିତ କରିଥିଲେ। ସେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ‘ରାଙ୍କିଙ୍ଗ ଅଫ ପୁଲିସ ଷ୍ଟେସନସ ୨୦୨୪’ ପୁସ୍ତକ ଉନ୍ମୋଚନ କରିବା ସହ ଦେଶର ତିନିଟି ଶ୍ରେଷ୍ଠ ପୁଲିସ ଥାନାକୁ ଟ୍ରଫି ପ୍ରଦାନ କରିଥିଲେ। ଓଡ଼ିଶାର ଗଞ୍ଜାମ ଜିଲ୍ଲାର ପାଟପୁର ପୁଲିସ ଥାନାକୁ ଦେଶର ଦ୍ୱିତୀୟ ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହଙ୍କଠୁ ଥାନା ଆଇଆଇସି ସବ୍ୟସାଚୀ ମଲ୍ଲ ଏହି ସମ୍ମାନଜନକ ଟ୍ରଫି ଓ ସାର୍ଟଫିକେଟ ଗ୍ରହଣ କରିଛନ୍ତି। ଆଜି ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓ ପରଦିନ ଦୁଇଦିନ ଧରି ଏହି ପୁଲିସ ଡିଜି ସମ୍ମିଳନୀରେ ଅଧ୍ୟକ୍ଷତା କରିବେ।