ଭୁବନେଶ୍ୱର:18/2- ରବିବାର କିଟ୍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଥିବା ହଷ୍ଟେଲରେ ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ମୃତ ଛାତ୍ରୀର ଶବକୁ ହଷ୍ଟେଲ ଓ ଲାଇବ୍ରେରୀ ଭଳି ଅଂଚଳକୁ ସ୍ଥାନାନ୍ତର କରି ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରାଯାଇଥିବା କେତେକ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି। କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁ ଓଡ଼ିଶାକୁ ବିଶ୍ୱ ଦରବାରରେ ନିନ୍ଦିତ ହେବାକୁ ପଡ଼ିଥିବା ପ୍ରକାଶ କରି ବିଧାନସଭାରେ ବିଧାୟକମାନେ ଉଦ୍ବେଗ ପ୍ରକାଶ କରିବା ସହ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବି କରିଛନ୍ତି।

ଗୁଣ୍ଡା ଲଗାଇ ନେପାଳୀ ଛାତ୍ରଛାତ୍ରୀମାନଙ୍କୁ ଜୋରଜବରଦସ୍ତ ବସରେ ବସାଇ ଷ୍ଟେସନରେ ଅସହାୟ ଅବସ୍ଥାରେ ଛାଡ଼ି ଦିଆଯାଇଥିବା ଘଟଣାକୁ ନେଇ ସାଧାରଣରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି।ଏହି ଘଟଣାରେ ନେପାଳ ସରକାର ଉଦବେଗ ପ୍ରକାଶ କରିଛନ୍ତି। ମାତ୍ର ୧୦୦ମିଟର ଦୂରରେ ପୁଲିସ ଥାନା ରହିଛି। ଏହାସତ୍ତ୍ୱେ ନେପାଳୀ ଛାତ୍ରଛାତ୍ରୀଙ୍କୁ କିଟ୍ ସୁରକ୍ଷାକର୍ମୀ ଓ ସ୍ଥାନୀୟ ଗୁଣ୍ଡାମାନେ ମରଣାନ୍ତକ ଆକ୍ରମଣ କରୁଥିବାବେଳେ ପୁଲିସ ପଦକ୍ଷପ ନେଇନଥିଲା । ମଙ୍ଗଳବାର ବିଧାନସଭାର ଶୂନ୍ୟକାଳରେ ଦଳମତ ନିର୍ବିଶେଷରେ ସମସ୍ତେ କିଟ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ବିଧାନସଭାରେ ଉଦବେଗ ପରେ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି।
କିଟରେ ନେପାଳୀ ଛାତ୍ରଛାତ୍ରୀଙ୍କ ସହ ଅମାନବୀୟ ଆଚରଣ ପରେ ଭାରତ-ନେପାଳ ସମ୍ପର୍କ ପ୍ରଭାବିତ ହୋଇଛି। ମଙ୍ଗଳବାର ଗୃହ ସଚିବ ସତ୍ୟବ୍ରତ ସାହୁଙ୍କ ପ୍ରକୋଷ୍ଠରେ କିଟ୍ ବିଶ୍ୱବିଦ୍ୟାଳୟର ବରିଷ୍ଠ ପଦାଧିକାରୀମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କିଟ୍ କୁଳପତି ଓ କୁଳସଚିବଙ୍କ ସମେତ ୪ଜଣ ପଦାଧିକାରୀ ଯୋଗ ଦେଇଥିଲେ। ବୈଠକରେ ଆନ୍ତର୍ଜାତିକ ସମ୍ପର୍କ ପ୍ରଭାବିତ ହେବାର ଆଶଙ୍କା ରହିଥିବାରୁ ତୁରନ୍ତ ବିବାଦର ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ତାଗିଦ୍ କରାଯାଇଛି । ସରକାରଙ୍କ ତାଗିଦ୍ ପରେ କିଟ୍ କୁଳପତି ଶରଣଜିତ୍ ସିଂ କ୍ଷମା ପ୍ରାର୍ଥନା କରିଛନ୍ତି । କ୍ୟାମ୍ପସରେ ଅପ୍ରୀତିକର ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହ ନେପାଳୀ ଛାତ୍ରୀ ଓ ନେପାଳ ସମ୍ପର୍କରେ ଅରୁଚିକର ଟିପ୍ପଣୀ ଦେଇଥିବା ଦୁଇଜଣ ମହିଳା କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ସେ ସୂଚନା ଦେଇଛନ୍ତି ।

ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ବିଶ୍ୱବିଦ୍ୟାଳୟକୁ ନୋଟିସ୍ ଜାରି କରାଯିବା ସହ ଗୃହ ସଚିବ ସତ୍ୟବ୍ରତ ସାହୁ, ମହିଳା ଓ ଶିଶୁବିକାଶ ବିଭାଗ ସଚିବ ଶୁଭା ଶର୍ମା ଓ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି । କମିଟିର ରିପୋର୍ଟ ଆଧାରରେ ଆବଶ୍ୟକ ଆଇନଗତ ଓ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ସୂଚନା ଦେଇଛନ୍ତି।
ବିଧାନସଭାରେ ଉଦବେଗ, ଅଚ୍ୟୁତଙ୍କ ଗିରଫ ଦାବି
ମଙ୍ଗଳବାର ଶୂନ୍ୟକାଳରେ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ନେପାଳୀ ଛାତ୍ରଛାତ୍ରୀଙ୍କ ପ୍ରତି ଅମାନବୀୟ ଆଚରଣକୁ ନେଇ ବିଧାନସଭାରେ ବିଧାୟକ ମାନେ ଉଦବେଗ ପ୍ରକାଶ କରିଛନ୍ତି । ସବୁ ଦଳ ଏହି ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। କଂଗ୍ରେସ ଏହାର ବିଚାରବିଭାଗୀୟ ତଦନ୍ତ ଦାବି କରିଥିବାବେଳେ ବିଜେପି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବି କରିଛି। ବିଜେପି ବିଧାୟକ ବାବୁ ସିଂ ଅଭିଯୋଗ କରିଛନ୍ତି ଯେ, ଅଚ୍ୟୁତ ସାମନ୍ତ ଗରିବ ଲୋକଙ୍କ ଜମିକୁ ହଡ଼ପ କରିବା ସହ ଜଙ୍ଗଲ ଜମିକୁ ଦଖଲ କରି କୋଠା ଓ ମନ୍ଦିର ନିର୍ମାଣ ଆଦି କରିଛନ୍ତି। ହଜାର ହଜାର ଏକର ଜମିକୁ କିଟ୍ ଜବରଦଖଲ କରିଛି। ଯେଉଁମାନେ କିଟରେ ଠିକାଦାରୀ କାର୍ଯ୍ୟ କରୁଛନ୍ତି ସେମାନେ କେଉଁ ଦଳର ତାହା ତଦନ୍ତ ହେବା ଦରକାର। ଗୁଣ୍ଡା ଲଗାଇ ଜମି ମାଲିକମାନଙ୍କଠୁ କିଟ୍ ଏସବୁ ଜମି ହାତେଇଛି। କାହାର ସମ୍ପର୍କୀୟଙ୍କୁ ଏହି ସଂସ୍ଥାରେ ଚାକିରି ମିଳିଛି ତା’ର ଖୋଳତାଡ଼ ହେବା ଦରକାର ବୋଲି ସେ କହିଛନ୍ତି ।
କେବଳ ଏତିକି ନୁହଁ କିଟ ଜଗନ୍ନାଥ ମନ୍ଦିର ସାମ୍ନାରେ ଲୋକମାନେ କିଣିଥିବା ଜମିକୁ ଗୁଣ୍ଡାଙ୍କ ମାଧ୍ୟମରେ ଦଖଲରେ ରଖାଯାଇଛି। ଜମି କିଣିଥିବା ଲୋକଙ୍କୁ ଛାଡି ଦିଆଯାଉନି। ଗେଟ ଲଗେଇ ଅବରୋଧ କରାଯାଇଛି। ଜମି ମାଲିକଙ୍କୁ ଗୁଣ୍ଡାମାନେ ଭିତରକୁ ପୂରେଇ ଦେଉନାହାନ୍ତି ।ଏନେଇ ବୋର୍ଡ଼ ଅଫ ରେଭେନ୍ୟୁରେ ଏକାଧିକ ଅଭିଯୋଗ ପଡିରହିଥିଲେ ମଧ୍ୟ ଫଇସଲା ହେଉ ନାହିଁ। କିଟର ଜମି ଜବରଦଖଲ ଓ ଗୁଣ୍ଡାରାଜକୁ ରାଜସ୍ୱ ବିଭାଗ ପରୋକ୍ଷରେ ସମର୍ଥନ ଦେଉଥିବା କୁହାଯାଉଛି ।