ଭୁବନେଶ୍ୱର:5/2- ରାଜ୍ୟ ବିଜେପି ସରକାରଙ୍କ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାକୁ ବିକଶିତ ନାଁରେ ଏହା ଏକ ବିକଳାଙ୍ଗ ଯୋଜନା ବୋଲି ବିଜେଡି ସମାଲୋଚନା କରିଛି । ଦଳର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ବିଧାୟକ ତଥା ମୁଖପାତ୍ର ଅରୁଣ ସାହୁ କହିଛନ୍ତି, ଆମ ଓଡିଶା ନବୀନ ଓଡିଶା ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ହିସାବରେ ସମୁଦାୟ ୩,୩୯୭ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରସ୍ତାବ ରହିଥିଲା। ବିଜେପି ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ସମୁଦାୟ ୧୦୦୦ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ ରଖିଛି। ରାଜ୍ୟରେ ୬୮୦୦ ପଞ୍ଚାୟତ ଥିବା ବେଳେ ପ୍ରତି ପଞ୍ଚାୟତ ପିଛା ୧୪.୮୦ ଲକ୍ଷ ଟଙ୍କା ପଡୁଛି, ଯାହା ଆମ ଓଡିଶା ନବୀନ ଓଡିଶା ଯୋଜନାରେ ବରାଦ କରାଯାଇଥିବା ଅର୍ଥର ଏକ ତୃତୀୟାଂଶରୁ କମ।

ରାଜ୍ୟରେ ପ୍ରାୟ ୫୦,୦୦୦ ରାଜସ୍ୱ ଗ୍ରାମ ଏବଂ ପ୍ରାୟ ୯୨,୦୦୦ ୱାର୍ଡ ରହିଛି। ରାଜ୍ୟ ସରକାରଙ୍କ ଦ୍ୱାରା ବରାଦ କରାଯାଇଥିବା ଅର୍ଥ ୱାର୍ଡ ପିଛା ଏକ ଲକ୍ଷ ଟଙ୍କା ପଡୁଛି ।ଏହା ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ। ଡବଲ ଇଞ୍ଜିନ ଡବଲ ବିକାଶର ନାରା ଦେଇ କ୍ଷମତାକୁ ଆସିଥିବା ସରକାର କେବଳ ବାହାସ୍ଫୋଟ ମାରୁଛନ୍ତି। ପୂର୍ବ ଅର୍ଥର ପରିମାଣକୁ କମ୍ କରିବା ଦ୍ୱାରା ଗାଁର ବିକାଶ ପୋଲିଓ ରୋଗରେ ଆକ୍ରାନ୍ତ ହେବା ସ୍ୱାଭାବିକ। ସେ କହିଛନ୍ତି , ଓଡ଼ିଶାର ଗ୍ରାମାଞ୍ଚଳର ବିକାଶ ପାଇଁ ନବୀନ ସରକାର ବିଭିନ୍ନ କାର୍ଯ୍ୟ କରିଥିଲେ। ସହରାଞ୍ଚଳରେ ମିଳୁଥିବା ସୁବିଧା କିପରି ଗ୍ରାମାଞ୍ଚଳର ବାସିନ୍ଦାମାନଙ୍କୁ ମିଳିପାରିବ ସେଥିପାଇଁ ସେ ପଦକ୍ଷେପ ନେଇଥିଲେ। ଗ୍ରାମାଞ୍ଚଳରେ କଂକ୍ରିଟରାସ୍ତା ନିର୍ମାଣ କାର୍ଯ୍ୟ ପ୍ରଥମେ ନବୀନ ସରକାରଙ୍କ ସମୟରେ ଆରମ୍ଭ ହୋଇଥିଲା । ପରେ ଭାରତ ସରକାର ତାକୁ ଆପଣେଇ ଥିଲେ। ଏହି ପ୍ରକ୍ରିୟାରେ ରାଜ୍ୟରେ ପ୍ରାୟ ୧,୭୫,୦୦୦ କିଲୋମିଟର ରାସ୍ତା ଗ୍ରାମାଞ୍ଚଳରେ ନିର୍ମାଣ କରାଯାଇଥିଲା। ନବୀନ ସରକାରଙ୍କ ଏହି କାର୍ଯ୍ୟ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା ।
ଗ୍ରାମାଞ୍ଚଳରେ ବିକାଶ ପାଇଁ ଦାବି କରୁଥିବା ଡବଲ ଇଞ୍ଜିନ ସରକାର ନରେଗା ଯୋଜନାରେ ଅର୍ଥ ବୃଦ୍ଧି କରୁନାହାନ୍ତି, ଯାହା ଫଳରେ ଗ୍ରାମାଞ୍ଚଳର ବାସିନ୍ଦାଙ୍କ ରୋଜଗାର ସମସ୍ୟା ବୃଦ୍ଧିପାଉଛି। ଅପରପକ୍ଷରେ ଦରଦାମ ବୃଦ୍ଧି ଗ୍ରାମାଞ୍ଚଳର ବାସିନ୍ଦାଙ୍କୁ ବ୍ୟଥିତ କରୁଛି। ରାଜ୍ୟ ବିଜେପି ସରକାରଙ୍କ ବିକଶିତ ଓଡିଶା ନାରା ଗତ ୮ ମାସରେ ଫମ୍ପା ଆୱାଜରେ ପରିଣତ ହୋଇଛି। ଆମ୍ୱଟାକୁଆ ଖାଇ ୩ ଜଣଙ୍କ ମୃତ୍ୟୁ, ଚିକିଟିରେ ଅପମିଶ୍ରିତ ମଦ ପିଇ ୫ ଜଣଙ୍କ ମୃତ୍ୟୁ, କଣାସରେ ଅପମିଶ୍ରିତ ଜଳ ପିଇ ୫ ଜଣଙ୍କ ହଇଜାରେ ମୃତ୍ୟୁ, ଅଦିନିଆ ବର୍ଷାରେ ବ୍ୟାପକ ଫସଲ ହାନି ଯୋଗୁଁ ଅନ୍ୟୁନ ୧୨ ଜଣ ଚାଷୀଙ୍କ ମୃତ୍ୟୁ ରାଜ୍ୟ ସରକାରଙ୍କ ବିକଶିତ ଓଡ଼ିଶାର ବିକଳ ଚିତ୍ର ଜଳ ଜଳ ହୋଇ ଦିଶୁଛି ବୋଲି ସେ କହିଛନ୍ତି।