ମୁଖ୍ୟମନ୍ତ୍ରୀ ଦେଲେ ନିଯୁକ୍ତି ପତ୍ର, ୧୦ଲକ୍ଷ ଟଙ୍କା ଲେଖାଏଁ ସହାୟତା
ଭୁବନେଶ୍ୱର:30/4-କଟକର ପ୍ରଭାସିନୀ ବେହେରା ଓ ରାୟଗଡାର ଦେବୀ ଶବରଙ୍କୁ ଦୁଃଖ ସମୟରେ ସହାୟତାର ହାତ ବଢାଇଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ସେମାନେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀ ଉଭୟଙ୍କୁ ହୋମଗାର୍ଡ ପଦବୀ ପାଇଁ ନିଯୁକ୍ତି ପତ୍ର ଓ ୧୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ସେ ସେମାନଙ୍କର ଭଲମନ୍ଦ ପଚାରି ଥିଲେ ଏବଂ ଅଧୈର୍ଯ୍ୟ ନହେବାକୁ ପରାମର୍ଶ ଦେଇଥିଲେ। କହିଥିଲେ, ସରକାର ସେମାନଙ୍କ ସହିତ ଅଛନ୍ତି। ସେମାନଙ୍କର ଆଗାମୀ ଜୀବନ ଓ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ସର୍ବକୁଶଳ କାମନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହୃଦୟତା ପାଇଁ ସେମାନେ କୃତଜ୍ଞତା ପ୍ରକାଶ କରିଥିଲେ।
ପ୍ରଭାସିନୀଙ୍କ ସ୍ୱାମୀ ଜଗବନ୍ଧୁ ମାହାଲି ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିଲେ ଏବଂ ଦେବୀଙ୍କ ସ୍ୱାମୀ ଲୋକନାଥ ଶବର ଓ.ଏ.ପି.ଏଫ୍ ଯବାନ ଭାବେ କାର୍ଯ୍ୟ କରୁଥିଲେ। ଉଭୟ କଟକରେ କର୍ତ୍ତବ୍ୟରତ ଥିବା ସମୟରେ ଗତ ୨୨ ତାରିଖ ଦିନ ପି.ସି.ଆର୍ ଭ୍ୟାନ୍ରେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାଣ ହରାଇଥିଲେ।