• About
  • Contact
Saturday, April 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ଲୋକଙ୍କ ଅଣ୍ଟା ଭାଙ୍ଗିଲାଣି

Share on FacebookShare on TwitterShare on Whatsapp

ସରକାର କହିଲେ ତହସିଲଦାର ହେଉଛନ୍ତି ତୃଣମୂଳସ୍ତରରେ ରାଜ୍ୟ ପ୍ରଶାସନର ମେରୁଦଣ୍ଡ

ଭୁବନେଶ୍ୱର:୪/୬-ଶାସନ-ପ୍ରଶାସନ ବ୍ୟବସ୍ଥାରେ ତହସିଲଦାରମାନେ ହେଉଛନ୍ତି ଆମ ରାଜସ୍ୱ ପ୍ରଶାସନର ମେରୁଦଣ୍ଡ। ଏଣୁ ଆପଣ ସମସ୍ତେ ଲୋକଙ୍କ ଅଭିଯୋଗ ଶୁଣନ୍ତୁ ଓ ତାହାର ତ୍ୱରିତ ସମାଧାନ ପାଇଁ ଚେଷ୍ଟା କରନ୍ତୁ। ଆପଣଙ୍କ ଅଫିସ ଲୋକଙ୍କ ପାଇଁ ଭୟର ନୁହେଁ, ବିଶ୍ୱାସର ସ୍ଥାନ ହେଉ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୁନ ୪ ତାରିଖରେ ଲୋକସେବା ଭବନ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ରାଜସ୍ୱ ଅଧିକାରୀଙ୍କ ସମ୍ମିଳନୀରେ ଏହା କହିଛନ୍ତି। ଏହି ଅବସରରେ ସେ କହିଥିଲେ ଯେ, ଆମ ସରକାର ଭୂମି ପ୍ରଶାସନକୁ ଆଧୁନିକ ଏବଂ ଲୋକଭିମୁଖୀ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଓଡିଶାରେ କେହି ବି ଭୂମିହୀନ ରହିବେ ନାହିଁ। ଯେଉଁମାନଙ୍କର ୪ ଡେସିମିଲରୁ କମ ଜମି ଅଛି, ସେମାନେ ବି ଭୂମିହୀନ ଭାବେ ଗଣାହେବେ ଏବଂ ସରକାର ସେମାନଙ୍କୁ ଜମି ଯୋଗାଇ ଦେବେ। ତେଣୁ, ଏହି ଯୋଜନାକୁ ପ୍ରଭାବୀ ଭାବେ ଲାଗୁ କରିବା ପାଇଁ ଆପଣମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ରାଜସ୍ୱ ଅଧିକାରୀମାନଙ୍କୁ କହିଛନ୍ତି ।


ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣମାନେ ସରକାରର ପ୍ରତିନିଧି ଭାବରେ ଗାଁ ଓ ଗ୍ରାମବାସୀଙ୍କୁ ସମୟରେ ଓ ନ୍ୟାୟସଙ୍ଗତ ସେବା ଦେବା ପାଇଁ ତତ୍ପର ହେବା ଆବଶ୍ୟକ ଅଛି। ସମାଜର ଶେଷ ଧାଡିରେ ଥିବା ଲୋକ ପର୍ଯ୍ୟନ୍ତ ସେବା ପହଞ୍ଚାନ୍ତୁ। ଯେଉଁମାନେ ଦୀର୍ଘଦିନ ଧରି ବଞ୍ଚିତ ଓ ଅବହେଳିତ–ସେମାନେ ହେଉଛନ୍ତି ସରକାରଙ୍କ ପ୍ରଥମ ପ୍ରାଥମିକତା। ବହୁତ ମୂଲ୍ୟବାନ ସରକାରୀ ଜମି ଜବରଦଖଲରେ ଅଛି। ସେହି ସରକାରୀ ଜମିକୁ ଆପଣ ଜବରଦଖଲମୁକ୍ତ କରି ତାହାର ସୁରକ୍ଷା କରନ୍ତୁ। ଆଗାମୀ ଦିନରେ ସରକାର ରାଜସ୍ୱ କ୍ଷେତ୍ରରେ ଅନେକ ସଂସ୍କାର ଆଣିବାକୁ ଯାଉଛନ୍ତି। ସମୟସୀମା ମଧ୍ୟରେ ଦାଖଲ ଖାରଜ ମାମଲା ଓ ଅନ୍ୟାନ୍ୟ ଜମିଜମା ମାମଲାର ତ୍ୱରିତ ଫଇସଲା କରନ୍ତୁ। ଜମିଜମା ସଂକ୍ରାନ୍ତୀୟ ମାମଲା ବିଚାର କଲାବେଳେ ସଂପୂର୍ଣ୍ଣ ସ୍ୱଚ୍ଛତା ସହିତ କରିବେ। କାରଣ, ଯେତେବେଳେ ଆପଣ ଏହି ଭୂମିକା ତୁଲାନ୍ତି, ସେତେବେଳେ ଆପଣ ନ୍ୟାୟଦଣ୍ଡରେ ବିରାଜମାନ କରିଥାନ୍ତି। ଏହି କଥାକୁ ସବୁବେଳେ ମନେ ରଖିବେ।
କର୍ତ୍ତବ୍ୟପରାୟଣ ଓ ସଚ୍ଚୋଟ ହୁଅନ୍ତୁ। ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଏ ସରକାର ବରଦାସ୍ତ କରିବେ ନାହିଁ। ଭଲ କାମ କରୁଥିବା ଅଧିକାରୀଙ୍କୁ ନିଶ୍ଚୟ ପୁରସ୍କୃତ କରାଯିବ। ପ୍ରତିଷ୍ଠା ନୁହେଁ, ସମର୍ପଣ ହେଉ ଆପଣମାନଙ୍କ ମାନଦଣ୍ଡ। ଏକ ସ୍ୱଚ୍ଛ ଓ ଦୁର୍ନୀତି ମୁକ୍ତ ରାଜସ୍ୱ ପ୍ରଶାସନ ଆମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ଏହି ଲକ୍ଷ୍ୟକୁ ଆଖି ଆଗରେ ରଖି ଆମକୁ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ଯେ, ଚିରାଚରିତ କାର୍ଯ୍ୟପଦ୍ଧତିରେ ପରିବର୍ତ୍ତନ ଆଣିବାକୁ ପଡିବ। ଆପଣମାନେ ନିଜର ମାନସିକତା ବଦଳାନ୍ତୁ। ଆମ ସରକାର ଶାସନକୁ ଆସିବା ପରେ, ରାଜସ୍ୱ ପ୍ରଶାସନ କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିଛନ୍ତି। ରାଜସ୍ୱ ସେବା ଏବେ ଲୋକମାନଙ୍କର ନିକଟତର ହୋଇଛି।ବର୍ତ୍ତମାନ ଲୋକଙ୍କ ସରକାରରେ ଜନସାଧାରଣ ହେଉଛନ୍ତି ଶ୍ରେଷ୍ଠ ବିଚାରକ। ଆମକୁ ଜନସାଧାରଣଙ୍କ ଆସ୍ଥାଭାଜନ ହେବାକୁ ପଡିବ। ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଲୋକମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରନ୍ତୁ। ସମୟ ଅନୁଯାୟୀ ରାଜସ୍ୱସେବା ଯୋଗାଇ ଦେବା ପାଇଁ ଯତ୍ନବାନ ହୁଅନ୍ତୁ ବୋଲି ଶ୍ରୀ ପୂଜାରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ ସ୍ୱାଗତ ଭାଷଣ ଦେଇଥିବା ବେଳେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ବି. ପରମେଶ୍ୱରନ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ଉନ୍ନୟନ କମିଶନର ଅନୁ ଗର୍ଗ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଦୁଇ ଦିନିଆ କର୍ମଶାଳାର ପ୍ରଥମ ଅଧିବେଶନରେ ସମସ୍ତ ଜିଲ୍ଲାର ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ତହସିଲଦାର ମାନେ ଅଂଶଗ୍ରହଣ କରିଥିଲେ।

 

ରାଜସ୍ୱ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱମନ୍ତ୍ରୀଙ୍କ ପରାମର୍ଶ ରାଜ୍ୟର ରାଜସ୍ୱ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ଉପରେ କେତେମାତ୍ରାରେ ପ୍ରଭାବ ପକାଇବ ତାହା ସମୟ କହିବ। ଘରବୁଡ଼ି ପାଣି ଆଣ୍ଠିଏ ହେଲାଣି, ଲୋକେ ବର୍ଷବର୍ଷ ଧରି ହିନସ୍ତା ଭାଗୁଛନ୍ତି, ଦରଖାସ୍ତ ପରେ ଦରଖାସ୍ତ ଦେଉଛନ୍ତି କିନ୍ତୁ ସମସ୍ୟା ଅପରିବର୍ତ୍ତିତ ରହିଛି। ଏହାର ମାତ୍ର ଦୁଇଟି ଉଦାହରଣ ପ୍ରଦାନ କରୁଛୁ। ରାଜସ୍ୱ ଅଧିକାରୀଙ୍କ ସମେତ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ କିଭଳି କାର୍ଯ୍ୟ କରୁଛନ୍ତି ତାହା ସ୍ପଷ୍ଟ ହୋଇପାରିବ। ଏହା ଉପରେ ମୋହନ ସରକାର କି ପଦକ୍ଷେପ ନେବେ ତାହା ଲୋକେ ଜାଣିପାରିବେ।
୧୯୬୨ ମସିହା ପରଠାରୁ ଖୋର୍ଦ୍ଧା ଜିଲାର କେତେକ ପଞ୍ଚାୟତରେ ବନ୍ଦୋବସ୍ତ କରାଯାଇନାହିଁ। ସରକାରୀ ନିର୍ଦେଶ ନଥାଇ ସେତେବେଳେ ଶ୍ରୀମନ୍ଦିର ପ୍ରଶାସକ ଥିବା ପ୍ରଶାସନିକ ସେବାର ଅଧିକାରୀ ଅରବିନ୍ଦ ପାଢ଼ୀଙ୍କ ପତ୍ର ଆଧାରରେ ଜିଲା ଅଧିକାରୀ୨୦୧୨ରୁ ୩୬ଟି ଗ୍ରାମର ଜନସାଧାରଣଙ୍କ ଜମି କିଣାବିକା, ଦାଖଲଖାରଜ ବନ୍ଦ ରଖିଛନ୍ତି। ନ୍ୟାୟାଳୟର ବିଚାରକୁ ତୃଟିପୂର୍ଣ୍ଣ ଭାବେ ତର୍ଜମା କରି ୨୦୧୫ରେ ସ୍ଥିତିବାନ ସମ୍ପତ୍ତି ଉପରେ ଅଧିକାର ଛଡ଼େଇ ନେଇଛନ୍ତି। ଏ ସମ୍ପର୍କରେ ପ୍ରଭାବିତ ଅଞ୍ଚଳର ଲୋକମାନଙ୍କ ଆପତ୍ତି ଅଭିଯୋଗ କେହି ଶୁଣୁନାହାନ୍ତି। ବିଜେଡି ସରକାର ସମୟରେ ଏକ ପାହାଡ଼କୁ ସରକାର ଓଡ଼ିଶା ଖଣି ନିଗମକୁ ଲିଜ ଦେଇଛନ୍ତି। ଏବେ ରାଜସ୍ୱ ବିଭାଗ ଠାରୁ ଆଇନ ବିଭାଗ ପର୍ଯ୍ୟନ୍ତ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଏହାକୁ ଜଟିଳ କରିଚାଲିଛନ୍ତି। ଫଳରେ ସଂପୃକ୍ତ ଅଞ୍ଚଳର ବାସିନ୍ଦାଙ୍କର ବଂଶାନୁକ୍ରମେ ସ୍ଥିତିବାନ ସମ୍ପତ୍ତି ଥାଇ ବି ଜମି ଅଧିକାରରୁ ବଞ୍ଚିତ ରହିଛନ୍ତି।


ସେହିପରି ରାଜଧାନୀ ଭୁବନେଶ୍ୱରରେ ସଂପୃକ୍ତ ଅଞ୍ଚଳର ରାଜସ୍ୱ ନିରୀକ୍ଷକ ଏବଂ ପୁଲିସ ଅଧିକାରୀଙ୍କ ସହଯୋଗରେ ଜମି ଜବରଦଖଲ କାରବାର ବଢ଼ିବାରେ ଲାଗିଛି। ଲୋକଙ୍କୁ ଧମକ ଚମକ ଦେଇ ଜୋରଜବରଦସ୍ତ ରେକର୍ଡ଼ଭୁକ୍ତ ଜମିରୁ କିଛି ଅଂଶ ଅକ୍ତିଆର କରି ନେଉଛନ୍ତି। ରାଜସ୍ୱ ନିରୀକ୍ଷକ ନକ୍ସା ଓ ମାପ ଚିହ୍ନଟକୁ ଏଡ଼ାଇ ଦଲାଲମାନଙ୍କୁ ସହଯୋଗ କରୁଛନ୍ତି।


ଏଭଳି ଦୁଇଟି ଦୃଷ୍ଟାନ୍ତ ଉପରେ ସରକାରଙ୍କୁ ଦିଆଯାଇଥିବା କିଛି ଚିଠି ଏଠାରେ ଉପସ୍ଥାପନ କରୁଛୁ। ବର୍ଷବର୍ଷ ଧରି କୌଣସି ପଦକ୍ଷେପ ନିଆଯାଉନଥିବାରୁ ଲୋକେ ନାହିଁ ନଥିବା ଦୁର୍ଦର୍ଶା ଭୋଗୁଛନ୍ତି। ମୋହନ ସରକାର ରାଜ୍ୟର ରାଜସ୍ୱ ତଥା ପ୍ରଶାସନିକ ଅଧିକାରୀମାନଙ୍କର ଏଭଳି ମାନସିକତା ଦୂର କରିବାରେ କେତେ ମାତ୍ରାରେ ସଫଳ ହେବେ ତାକୁ ଜନସାଧାରଣ ଅପେକ୍ଷା କରିଛନ୍ତି। ସରକାର କେବଳ ଖବରରେ ରହିବାକୁ ବିବୃତ୍ତି ବା ମନ୍ତବ୍ୟ ନଦେଇ ବାସ୍ତବ ସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନେଲେ ପ୍ରଶାସନିକ ଅଧିକାରୀମାନଙ୍କ ପାଇଁ ଦୁର୍ଦଶା ଭୋଗୁଥିବା ରାଜ୍ୟର ଜନସାଧାରଣ ଉପକାର ପାଇପାରିବେ।
ଏହାବ୍ୟତୀତ ଓଡ଼ିଆ ଅସ୍ମିତା କଥା କହୁଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ଓଡ଼ିଆରେ ଲେଖା ଯାଇଥିବା ଚିଠିକୁ ଗୁରୁତ୍ୱ ଦେଉନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସ୍ମାରକପତ୍ର ଦେବାକୁ ସମୟ ମାଗିଥିବା ବିଭିନ୍ନ ସଂଗଠନକୁ ମାସମାସ ଧରି ଚିଠିର ଉତ୍ତର ଦିଆଯାଉନି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଫୋନ କଲେ ‘ଇ-ମେଲ ବା ଫୋନ ନମ୍ବର’ରେ ସମୟ ଜଣାଇ ଦିଆଯିବ ବୋଲି କୁହାଯାଉଛି। ସୂଚନା ଅନୁଯାୟୀ ପୂର୍ବପରି ଚାଲିଛି ଅଫିସରରାଜ। ଓଡ଼ିଆରେ ଲେଖାଯାଇଥିବା ପତ୍ର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ କାର୍ଯ୍ୟାଳୟରେ ପଡ଼ିରହୁଛି।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com