ଆସନ୍ତା ୩ ମାସ ମଧ୍ୟରେ ସମସ୍ତ ତଦନ୍ତ ପ୍ରକ୍ରିୟା ଶେଷ କରିବାକୁ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର:୧୮/୧୨: ଗତ ଏପ୍ରିଲ ମାସ ୧୦ ତାରିଖ ଦିନ ଜଗତସିଂହପୁର ଜିଲାର ଆସିଷ୍ଟାଣ୍ଟ କଲେକ୍ଟର ଉମେଶ ଚନ୍ଦ୍ର ଲେଙ୍କା ଜିଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ପ୍ରଦର୍ଶନ କରିଥିବାର ଅଭିଯୋଗ ଆସିଥିଲା । ଅଭିଯୋଗକାରିଣୀ କାର୍ଯ୍ୟରତ ମହିଳା ଜଣକ ତାଙ୍କ ଉପରେ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନାର ଅଭିଯୋଗ ଆଣିଥିଲେ।
ଜିଲା ଅଭିଯୋଗ କମିଟି ଏବଂ ଜିଲାପାଳଙ୍କ ରିପୋର୍ଟ ଆଧାରରେ ଅଭିଯୁକ୍ତ ଆସିଷ୍ଟାଣ୍ଟ କଲେକ୍ଟର ଉମେଶ ଚନ୍ଦ୍ର ଲେଙ୍କାଙ୍କୁ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆସନ୍ତା ୩ ମାସ ମଧ୍ୟରେ ଜଣେ ମହିଳା ତଦନ୍ତକାରି ଅଧିକାରୀ ଏବଂ ଜଣେ ମହିଳା ମାର୍ଶାଲିଂ ଅଧିକାରୀଙ୍କ ଜରିଆରେ ସମସ୍ତ ବିଭାଗୀୟ ତଦନ୍ତ ପ୍ରକ୍ରିୟା ଶେଷ କରିବାକୁ ସେ କହିଛନ୍ତି।
ମହିଳା ସଶକ୍ତିକରଣ ପାଇଁ ଆମ ସରକାର ବଦ୍ଧପରିକର ଏବଂ ମହିଳା ହିଂସା ଓ ନିର୍ଯାତନାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀ ପୂଜାରୀ ପ୍ରକାଶ କରିଛନ୍ତି।
