ଭୁବନେଶ୍ୱର:୨୯/୧୦-ପ୍ରଧାନ ମହା ଲେଖାକାର କାର୍ଯ୍ୟାଳୟ ଅଡିଟ-୧ ସମ୍ମିଳନୀ କକ୍ଷରେ ଓଡିଶା ରାଜ୍ୟ ଅଡିଟ୍ ପରାମର୍ଶଦାତା ବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ପ୍ରଧାନ ମହା ଲେଖାକାର ଅଡିଟ-୧ ସୁବୁ. ଆରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାର୍ବଜନୀନ ଆର୍ôଥକ ପରିଚାଳନାରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ଦକ୍ଷତା ବୃଦ୍ଧି ଓ ନିରପେକ୍ଷ ଅଡିଟ ପାଇଁ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କର ମତାମତ ଓ ପରାମର୍ଶ ଦେବା ଲାଗି ଏହା ଆୟୋଜନ କରାଯାଇଥିଲା।

ବୈଠକରେ ଜାଭିୟର ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟର ପ୍ରଫେସର ଡି. ଭେଙ୍କଟ ରମଣା, ପୂର୍ବତନ କୁଳପତି ଉତ୍କଳ ବିଶ୍ୱବିଦ୍ୟାଳୟ ଡଃ ସୌମେନ୍ଦ୍ର ମୋହନ ପଟ୍ଟନାୟକ, ବିଶିଷ୍ଟ ଅର୍ଥନୀତିଜ୍ଞ ଓ ସ୍ତମ୍ଭକାର ଡଃ ପ୍ରଭାସ ରଞ୍ଜନ ମିଶ୍ର , ବିଶିଷ୍ଟ ପରିବେଶବିତ ତଥା ଅଧକ୍ଷ ଗ୍ରୀନପିସ ଇଣ୍ଡିଆ ବିଶ୍ୱଜିତ ମହାନ୍ତି, ବିଶିଷ୍ଟ ଓଡିଶୀ ନୃତ୍ୟାଙ୍ଗନା ସୁଜାତା ମହାପାତ୍ର, ବିଶିଷ୍ଟ ଲେଖିକା ହିରଣ୍ମୟୀ ମିଶ୍ର , କୁଳପତି ଏଏସବିଏମ ବିଶ୍ୱବିଦ୍ୟାଳୟ ପ୍ରଫେସର ରଞ୍ଜନ କୁମାର ବଳ, ନିର୍ଦ୍ଦେଶକ ସମ୍ବନ୍ଧ ଫିନସର୍ଭ ପ୍ରା. ଲି. ଅକ୍ଷୟ କୁମାର ପାଢ଼ୀ ଓ ବିଶିଷ୍ଟ ବ୍ୟଙ୍ଗଚିତ୍ରକର କମଳାକାନ୍ତ ରଥ ସମ୍ମାନିତ ସଦସ୍ୟ ଭାବେ ଯୋଗ ଦେଇଥିଲେ। ମହାଲେଖାକାର (ଲେଖା ପରୀକ୍ଷା -୨) ଅତୁଲ ପ୍ରକାଶ ଏହି ବୈଠକରେ ଯୋଗଦାନ କରି ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଲେଖାପରୀକ୍ଷା -୧ ଓ ଲେଖାପରୀକ୍ଷା-୨ କାର୍ଯ୍ୟାଳୟର ଉପ ମହାଲେଖାକାର ଏବଂ ବରିଷ୍ଠ ଅଧିକାରୀମାନେ ବୈଠକରେ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭରେ ସମ୍ମାନିତ ସଦସ୍ୟମାନଙ୍କୁ ଅଡିଟ୍ ର କାର୍ଯ୍ୟକଳାପ ବିଷୟରେ ସମ୍ୟକ ସୂଚନା ଦିଆଯାଇଥିଲା।

ବୋର୍ଡର ସଦସ୍ୟମାନେ ଅଡିଟ୍ ଢାଞ୍ଚାକୁ ଆହୁରି ସୁଦୃଢ଼ କରିବା ଏବଂ ଆର୍ôଥକ ଶୃଙ୍ଖଳା ଏବଂ ସେବା ପ୍ରଦାନରେ ଉନ୍ନତି ପାଇଁ ସହଯୋଗୀ ପ୍ରୟାସକୁ ପ୍ରୋତ୍ସାହିତ କରିବା ପାଇଁ ମୂଲ୍ୟବାନ ଅନ୍ତର୍ଦୃଷ୍ଟି ଏବଂ ପରାମର୍ଶ ପ୍ରଦାନ କରିଥିଲେ। ବିଦ୍ୟୁତ୍ ଏବଂ ଖଣି କ୍ଷେତ୍ରର ଅଡିଟ୍ ଏବଂ ନିୟାମକ ସମ୍ପତ୍ତିର ନୂତନ ଧାରଣା, ବ୍ୟବସାୟ କରିବାର ସହଜତା ଉନ୍ନତ କରିବା ଏବଂ ରାଜ୍ୟ ପ୍ରୋଫାଇଲରେ ନିର୍ଗମନ ମାନଦଣ୍ଡ ଅନ୍ତର୍ଭୁକ୍ତ କରିବା ଉପରେ ମଧ୍ୟ ଚିନ୍ତନଶୀଳ ମୂଲ୍ୟବାନ ପରାମର୍ଶ ଦେଇଥିଲେ। ଅଡିଟ ରିପୋର୍ଟରେ ସରକାରଙ୍କ କେବଳ ତ୍ରୁଟିକୁ ସ୍ଥାନ ନ ଦେଇ ଉପଲବ୍ଧି ଗୁଡ଼ିକୁ ମଧ୍ୟ ଉଲ୍ଲେଖ କରିବା ପାଇଁ ପରାମର୍ଶ ଦେଇଥିଲେ। ଲିଙ୍ଗଗତ ବଜେଟ୍, ଜଳବାୟୁ ବଜେଟ୍ ତଥା କୃଷି କ୍ଷେତ୍ରରେ ସ୍ୱାବଲମ୍ବନ ହାସଲ କରିବା ଦିଗରେ ରାଜ୍ୟର ଅଗ୍ରଗତି ଉପରେ ଅଡିଟର ମୂଲ୍ୟାଙ୍କନକୁ ମଜବୁତ କରିବା ଉପରେ ମଧ୍ୟ ଆଲୋଚନ ହୋଇଥିଲା ।
ସମାପନା ଭାଷଣରେ ଓଡ଼ିଶାର ପ୍ରଧାନ ମହା ଲେଖାକାର (ଲେଖାପରୀକ୍ଷା -୧) ସମସ୍ତ ସଦସ୍ୟଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ଗଠନମୂଳକ ମତାମତକୁ ପ୍ରଶଂସା କରିଥିଲେ ଏବଂ ରାଜ୍ୟରେ ସୁଶାସନରେ ଯୋଗଦାନ ଏବଂ ଅଡିଟ୍ ପ୍ରଭାବଶାଳୀତା ବୃଦ୍ଧି କରିବା ପାଇଁ ବିଭାଗର ପ୍ରତିବଦ୍ଧତାକୁ ପୁନଃ ଦୋହରାଇଥିଲେ।