-ନ୍ୟାସନାଲ୍ ହେଲଥ ଅଥରିଟି ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ
-ଉପକୃତ ହେବେ 1 କୋଟି 3 ଲକ୍ଷ ପରିବାର, 23 ଲକ୍ଷରୁ ଅଧିକ 70 ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ପାଇବେ ଚିକିତ୍ସା ସୁବିଧା
-ଦେଶର 29 ହଜାରରୁ ଅଧିକ ଚିକିତ୍ସାଳୟରେ ଚିକିତ୍ସା ସୁବିଧା ମିଳିବ
-ପ୍ରତି ପଞ୍ଚାୟତରେ ପ୍ରତିଷ୍ଠା ହେବ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର
ଭୁବନେଶ୍ୱର:13/01-ଓଡିଶାରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା। ଏଥିପାଇଁ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ନ୍ୟାସନାଲ୍ ହେଲଥ ଅଥରିଟି ସହିତ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଏକ ଚୁକ୍ତିନାମା (MoU) ସ୍ୱାକ୍ଷରିତ ହୋଇଛି। ଏହା ଦ୍ୱାରା ବର୍ତ୍ତମାନ ରାଜ୍ୟର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଯୋଡିହେଲା (Convergence)। ଏହା ଦ୍ୱାରା ରାଜ୍ୟର 1.03 କୋଟି ପରିବାର ଉପକୃତ ହେବେ। ରାଜ୍ୟର 70 ବର୍ଷରୁ ଉର୍ଦ୍ଧ୍ୱ ବୟସର ବରିଷ୍ଠ ନାଗରିକ ମାନେ ମଧ୍ୟ ଚିକିତ୍ସା ସୁବିଧା ପାଇପାରିବେ। ବର୍ତ୍ତମାନ ରାଜ୍ୟରେ 23, 12, 979 ଜଣ 70 ବର୍ଷରୁ ଅଧିକ ବରିଷ୍ଠ ନାଗରିକ ଅଛନ୍ତି ବୋଲି ଜଣାଯାଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି ଯେ, ଏହି ଯୋଜନା ଦ୍ୱାରା ଓଡିଶାର ଲୋକ ବିଶେଷ କରି ଗ୍ରାମାଞ୍ଚଳର ଲୋକଙ୍କ ଚିକିତ୍ସା କ୍ଷେତ୍ରରେ ଏହି ଯୋଜନା ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ। ରାଜ୍ୟର ସ୍ୱାସ୍ଥ୍ୟ କ୍ଷେତ୍ରରେ କାୟାକଳ୍ପ ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହି ସବୁ ଯେଉଁ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଉଛି ତାହା 2036 ସୁଦ୍ଧା ସମୃଦ୍ଧ ଓଡିଶା ଓ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
ସେ କହିଛନ୍ତି , ରାଜ୍ୟର ପଞ୍ଚାୟତସ୍ତରରେ ଯେଉଁ ହେଲଥ ସବ୍ ସେଣ୍ଟର ଅଛି ତାହା ଠିକଭାବେ କାର୍ଯ୍ୟକାରୀ ହେଉନାହିଁ। ତେଣୁ, ରାଜ୍ୟ ସରକାର ବର୍ତ୍ତମାନ ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା କରିବେ। ଏଥିରେ ହେଲଥ ୱାର୍କର ଓ ଯୋଗ ଶିକ୍ଷକ ନିୟୋଜିତ ହେବେ। ଏହି ସବୁ କେନ୍ଦ୍ର ଗୁଡିକର ପୂର୍ଣ୍ଣାଙ୍ଗ ଭିତ୍ତିଭୂମି ବିକଶିତ କରାଯିବ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ଯୋଜନା 2018 ମସିହାରୁ ଲାଗୁ ହୋଇଥିଲେ ମଧ୍ୟ ଓଡିଶାର ଲୋକଙ୍କୁ ଏଥିରୁ ବଞ୍ଚିତ କରାଯାଇଥିଲା। ବର୍ତ୍ତମାନ ଏହି ଯୋଜନା ଓଡିଶାର ନିଜସ୍ୱ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହିତ ଯୋଡିହେବ ଏବଂ ଏହା ଦ୍ୱାରା ଓଡିଶାରେ 1 କୋଟିରୁ ଅଧିକ ପରିବାର ଦେଶର 29 ହଜାର ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ସୁବିଧା ପାଇପାରିବେ। ବର୍ତ୍ତମାନ ମାତ୍ର 900 ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳୁଛି ବୋଲି ସେ କହିଥିଲେ।

ଚଳିତ ବଜେଟ୍ ରେ ସ୍ୱାସ୍ଥ୍ୟକ୍ଷେତ୍ରରେ ପ୍ରାୟ 21 ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ଯାହାକି ପୂର୍ବ ବର୍ଷ ଅପେକ୍ଷା 32.2 ପ୍ରତିଶତ ଅଧିକ ଏବଂ ଏହା ରାଜ୍ୟ ବଜେଟର 8 ପ୍ରତିଶତ। ଏହି ପରିମାଣ ଜାତୀୟ ସ୍ୱାସ୍ଥ୍ୟନୀତିର ସୁପାରିଶ ଅନୁରୂପ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଯୋଜନାରେ ପୁରୁଷ ମାନେ 5 ଲକ୍ଷ ପର୍ଯ୍ୟନ୍ତ ଏବଂ ମହିଳା ହିତାଧିକାରୀ ମାନେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇବେ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ରେଲ୍, ଆଇ.ଟି, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଓଡିଶାର ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରମୁଖ ନିଜର ଅଭିଭାଷଣ ରଖିଥିଲେ।