• About
  • Contact
Saturday, April 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ଆରମ୍ଭ ହେଲା ଆୟୁଷ୍ମାନ ଭାରତ

ଆରମ୍ଭ ହେଲା ଆୟୁଷ୍ମାନ ଭାରତ
Share on FacebookShare on TwitterShare on Whatsapp

ଓଡିଶା ବିକାଶ ଇତିହାସରେ ଯୋଡିହେଲା ନୂଆ ଅଧ୍ୟାୟ

ଭୁବନେଶ୍ୱର:11/4-ଓଡିଶା ବିକାଶ ଇତିହାସରେ ଯୋଡିହୋଇଛି ଏକ ନୂଆ ଫର୍ଦ୍ଦ। ଆରମ୍ଭ ହୋଇଛି ବହୁ ପ୍ରତିକ୍ଷିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି କଟକର ବାଲିଯାତ୍ରା ପଡିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନଡ୍ଡା କହିଛନ୍ତି ଯେ, ଆୟୁଷ୍ମାନ ଭାରତ ଯୋଜନା ଏକ ଇନସୁରାନ୍‌ସ ନୁହେଁ ଏହା ହେଉଛି ଏକ ଆସ୍ୟୁରାନ୍‌ସ। ଏହା ପୃଥିବୀର ସବୁଠାରୁ ବୃହତ୍ତମ ଯୋଜନା। ବର୍ତ୍ତମାନ ସୁଦ୍ଧା ଏଥିରେ ୮କୋଟି ୯୦ ଲକ୍ଷ ଲୋକ ଉପକୃତ ହୋଇସାରିଛନ୍ତି। ନିର୍ବାଚନ ସମୟରେ ଆମେ ଏହାକୁ ଲାଗୁ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲୁ ଏବଂ ଏହାକୁ ଆଜି ଲାଗୁ ମଧ୍ୟ କଲୁ। ଓଡିଶା ଲୋକମାନେ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେଇଛନ୍ତି। ତେଣୁ, ଓଡିଶାରେ ଏହି ଯୋଜନା ଲାଗୁ ହୋଇପାରିଲା। ଏହାଦ୍ୱାରା ଲୋକମାନେ ଆର୍ଥିକ ସ୍ତରରେ ଲାଭବାନ ହୋଇପାରିବେ ବୋଲି ସେ କହିଛନ୍ତି।

ଓଡିଶାରେ ଶାସନ ଭାର ଗ୍ରହଣ କରିବାର ମାତ୍ର ୧୦ ମାସ ମଧ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିଥିବାରୁ ଶ୍ରୀ ନଡ୍ଡା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଧନ୍ୟବାଦ ଦେବା ସହିତ ଟିବି ନିରାକରଣ ଦିଗରେ ଓଡିଶା ଉଲ୍ଲେଖନୀୟ କାର୍ଯ୍ୟ କରୁଛି ବୋଲି କହିଥିଲେ। ଏହି ଅବସରରେ ସେ ଅଧିକରୁ ଅଧିକ ହିତାଧିକାରୀ କିପରି ଏହି ଯୋଜନାରେ ସାମିଲ ହୋଇ ପାରିବେ ଏବଂ କାର୍ଡ ବନାଇବେ ସେଥିନେଇ ସଚେତନ କରିବାକୁ ପ୍ରତି ଘରୁକୁ ଯିବା ପାଇଁ ସେ ବିଧାୟକ ମାନଙ୍କୁ ଅନୁରୋଧ କରିଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କ ଅଭିଭାଷଣରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରି କହିଲେ ଯେ ଓଡିଶା ବିକାଶ ଇତିହାସରେ ଆଜି ଆଉ ଏକ ଅଧ୍ୟାୟ ଯୋଡିହୋଇଛି। ଗତ ପ୍ରାୟ ୬ ବର୍ଷ ହେଲା ରାଜନୈତିକ କାରଣରୁ ରାଜ୍ୟବାସୀଙ୍କୁ ବଞ୍ଚିତ କରାଯାଇଥିବା ଏହି ଐତିହାସିକ ଯୋଜନା ଆଜି ଆରମ୍ଭ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସାକରି ସେ କହିଥିଲେ ଯେ, ସାର୍ବଜନୀନ ଗୁଣାତ୍ମକ ସ୍ବାସ୍ଥ୍ୟସେବା ସାମାଜିକ ଓ ଆର୍ଥିକ ପ୍ରଗତିର ଏକ ମୂଳଭିତ୍ତି। ଶାରୀରିକ ଓ ମାନସିକ ସୁସ୍ଥତା ନାଗରିକମାନଙ୍କୁ କାର୍ଯ୍ୟକ୍ଷମ, ଆତ୍ମବିଶ୍ଵାସୀ ଓ ସ୍ଵାଭିମାନୀ କରିବ ଏବଂ ସ୍ଵାଭିମାନୀ ନାଗରିକମାନେ ହିଁ ସମୃଦ୍ଧିର ସ୍ୱପ୍ନକୁ ସାକାର କରିବେ। ଏହି ସତ୍ୟକୁ ଅନୁଭବ କରି ପ୍ରଧାନମନ୍ତ୍ରୀ ମୋଦିଜୀ ସାରା ଦେଶରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଦୂରଦର୍ଶୀ ଯୋଜନାରୁ ଲାଭ ପାଇଥିବା କୋଟି କୋଟି ଜନତା ସେମାନଙ୍କ ଆଶୀର୍ବାଦ ଏବଂ ଆଶିଷ ତାଙ୍କ ଉପରେ ଅଜାଡ଼ି ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ ଧନ୍ୟବାଦ ଜ୍ଞାପନ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସମାନ ଭାବେ ଦିଲ୍ଲୀର ଜନ ସାଧାରଣଙ୍କୁ ମଧ୍ୟ ବଞ୍ଚିତ କରାଯାଇଥିବା ଏହି ଯୋଜନା, ଗତକାଲି ଠାରୁ ଲାଗୁ ହୋଇସାରିଛି। ଏହା ହେଉଛି ଡବଲ ଇଞ୍ଜିନ ସରକାରର ମଡେଲ। ଏଥିରେ ବିକାଶର ଗତି ଦୁଇଗୁଣ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟସେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ଅର୍ଥ କେବେ ବାଧକ ହେବ ନାହିଁ ।
ଏହି ଯୋଜନାରେ ଆଜି ରାଜ୍ୟର ପ୍ରାୟ ୧ କୋଟି ୩ ଲକ୍ଷ ପରିବାରର ୩ କୋଟି ୪୬ ଲକ୍ଷ ହିତାଧିକାରୀ ଉପକୃତ ହେବେ। ପ୍ରତି ପରିବାରଙ୍କୁ ସରାଦେଶର ବିଭିନ୍ନ ରାଜ୍ୟରେ ତାଲିକାଭୁକ୍ତ ୨୯ ହଜାର ଘରୋଇ ଏବଂ ସରକାରୀ ହସ୍‍ପିଟାଲରେ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ମିଳିବ । ପରିବାରର ମହିଳା ସଦସ୍ୟମାନଙ୍କ ପାଇଁ ବାର୍ଷିକ ଅତିରିକ୍ତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ମିଳିବ । ଏହାଛଡ଼ା, ୭୦ ବା ତା’ଠୁ ଅଧିକ ବୟସ୍କ ବରିଷ୍ଠ ନାଗରିକମାନଙ୍କୁ ଆୟୁଷ୍ମାନ ବୟୋ-ବନ୍ଦନା ଯୋଜନାରେ ପରିବାର ପିଛା ୫ ଲକ୍ଷ ଟଙ୍କାର ଦେୟମୁକ୍ତ ଚିକିତ୍ସା ସୁବିଧା ମିଳିବ । ଆୟୁଷ୍ଠାନ ବୟୋ-ବନ୍ଦନା ଯୋଜନାରେ ପ୍ରାୟ ୨୩ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ଉପକୃତ ହେବେ। ପୂର୍ବରୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସାମିଲ ହୋଇଥିବା ବୟୋଜ୍ୟେଷ୍ଠ ଲୋକଙ୍କ ସହିତ ଅତିରିକ୍ତ ଛ ଲକ୍ଷ ଲୋକ କାର୍ଡ ପାଇବେ। ଏ ସମସ୍ତ ମିଳିତ ଯୋଜନାରେ ୩କୋଟି ୫୨ଲକ୍ଷ ଲୋକ ଉପକୃତ ହେବେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଯୋଜନାରେ ପରିବାର ନୁହେଁ, ସମନ୍ୱିତ ଯୋଜନାରେ ପରିବାରର ପ୍ରତ୍ୟେକ ହିତାଧିକାରୀଙ୍କୁ ମିଳିବ ଗୋଟିଏ ଲେଖାଏ ଏକକ କାର୍ଡ । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବାବଦରେ ଓଡ଼ିଶା ସରକାର ୬୦:୪୦ ଅନୁପାତରେ କେନ୍ଦ୍ରୀୟ ଅଂଶଧନ ପାଇବେ। ରାଜ୍ୟ ସରକାର ମଧ୍ୟ ଏଥିପାଇଁ ଯଥେଷ୍ଟ ବ୍ୟୟ ବରାଦ କରିଛନ୍ତି। ଆଜିକାଲି ଅନେକ ପରିବାରର ସଦସ୍ୟ ଚାକିରି ହେଉ କିମ୍ବା ପାଠ ପଢ଼ିବା ପାଇଁ ପରିବାର ବାହାରେ ରହୁଛନ୍ତି। ଏମିତି ବି ପରିବାର ଅଛନ୍ତି ଯାହାର ସଦସ୍ୟମାନେ ଦୁଇରୁ ଅଧିକ ସ୍ଥାନରେ ରହୁଛନ୍ତି। ତେଣୁ, ସେମାନଙ୍କୁ ଏହି ସ୍ୱାସ୍ଥ୍ୟସେବା ପାଇବା ପାଇଁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟସେବା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଅନେକ କ୍ଷେତ୍ରରେ ଦେଖା ଯାଇଛି ଯେ ଆର୍ଥିକ ଅନାଟନ ଯୋଗୁଁ, ସନ୍ତାନ ସନ୍ତତିମାନେ ନିଜ ପିତାମାତାଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ କରିବା ପାଇଁ ପଛଘୁଞ୍ଚା ଦେଇଥାନ୍ତି, ଏବଂ ଅଣଦେଖା ମଧ୍ୟ କରିଥାନ୍ତି। ଆଜି ଠାରୁ ପରିବାରର ବରିଷ୍ଠ ନାଗରିକଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ କରାଇବା ପାଇଁ ସେମାନଙ୍କୁ ଚିନ୍ତା କରିବାକୁ ପଡ଼ିବ ନାହିଁ।

ରାଜନୈତିକ କାରଣରୁ କେବଳ ସ୍ୱାସ୍ଥ୍ୟ ନୁହେଁ, ଓଡ଼ିଶାର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ନୂତନ ଶିକ୍ଷାନୀତି-୨୦୨୦ରୁ ମଧ୍ୟ ଦୂରେଇ ରଖାଯାଇଥିଲା। କିନ୍ତୁ, ଆମ ସରକାର ଆସିବା ମାତ୍ରେ ନୂତନ ଶିକ୍ଷାନୀତିକୁ ଲାଗୁ କରିସାରିଛନ୍ତି। ଏହା ଫଳରେ ଆମ ଛାତ୍ରଛାତ୍ରୀ ବହୁଳ ଭାବେ ଉପକୃତ ହେବେ ଏବଂ ତାଙ୍କର ଉଜ୍ଜ୍ଵଳ ଭବିଷ୍ୟତ ସୁନିଶ୍ଚିତ ହୋଇପାରିବ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ନୂଆ ସରକାର ଗଠନ ପରେ ବର୍ତ୍ତମାନ ସୁଦ୍ଧା 3ଟି ପର୍ଯ୍ୟାୟରେ ବିଭିନ୍ନ ବର୍ଗର ୪ ହଜାର ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀମାନଙ୍କୁ ନିଯୁକ୍ତି ଦିଆଯାଇଛି। ଆଉ ଅଧିକ 5 ହଜାର 374 ଡାକ୍ତର ଓ ଦନ୍ତ ଚିକିତ୍ସକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ବହୁତ ଶୀଘ୍ର ଆମେ ଏହି ଲକ୍ଷ୍ୟ ହାସଲ କରିବୁ।

ଓଡ଼ିଶା ବାହାରେ ରହୁଥିବା ହିତାଧିକାରୀମାନେ ସାରା ଭାରତର ବିଭିନ୍ନ ସ୍ଥାନରେ ଥିବା ସଂପୃକ୍ତ ରାଜ୍ୟ ସରକାରଙ୍କ ଦ୍ବାରା ତାଲିକାଭୁକ୍ତ ହସ୍‍ପିଟାଲରେ ଦେୟମୁକ୍ତ ଚିକିତ୍ସା ପାଇପାରିବେ। ତାଲିକାଭୁକ୍ତ ହସ୍‍ପିଟାଲ ମାନଙ୍କର ନାମ ଓ ଠିକଣା ସ୍ୱାସ୍ଥ୍ୟ ବିଭାଗ କିମ୍ବା ଆୟୁଷ୍ମାନ ଭାରତ ୱେବ ସାଇଟ୍ରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଉପଲବ୍‍ଧ ହେବ। ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ ଅଧୀନରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଚଳିତ ବର୍ଷ ବଜେଟ୍‌ରେ ୩ ହଜାର ୮୮୧ କୋଟି ଟଙ୍କା ଏବଂ ଆମ ହସ୍‍ପିଟାଲ ଅଧୀନରେ ୪୨୦ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ପର୍ଯ୍ୟାୟକ୍ରମେ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ । ମୁଖ୍ୟମନ୍ତ୍ରୀ କହିଲେ ଯେ ବର୍ତ୍ତମାନ ରାଜ୍ୟରେ ୧୨ଟି ମେଡିକାଲ କଲେଜ ଅଛି। ଚଳିତ ବର୍ଷ ବଜେଟ୍‌ରେ ୪ଟି ମେଡିକାଲ କଲେଜ ପାଇଁ ଅର୍ଥ ବରାଦ କରାଯାଇଛି। ଏଗୁଡିକ ହେଲା ଜଗତସିଂହପୁର, ଭଦ୍ରକ, ନବରଙ୍ଗପୁର ଓ ଢେଙ୍କାନାଳ। ।

ନୂଆ ସରକାର ଆସିବା ପରେ ବର୍ଷକ ମଧ୍ୟରେ ଅନେକ ଯୁଗାନ୍ତକାରୀ ଯୋଜନା କାର୍ଯ୍ୟକାରୀ ହୋଇଛି ବୋଲି ମତଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଗତ ବର୍ଷ ଜୁନ ୧୨ ତାରିଖ ଦିନ ଓଡ଼ିଶାରେ ନୂତନ ସୂର୍ଯ୍ୟୋଦୟ ହୋଇଛି। ସାଢ଼େ ଚାରିକୋଟି ଜନସାଧାରଣଙ୍କ ଆଶୀର୍ବାଦ ଏବଂ ସଦିଚ୍ଛା ସହିତ ତାଙ୍କର ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ କାର୍ଯ୍ୟରତ। ଗତ ୨୪ ବର୍ଷରେ ଯେଉଁକାମ ହୋଇ ନ ଥିଲା ଆମେ ତାକୁ ୨୪ ମିନିଟରେ କରିବାକୁ ସମର୍ଥ ହୋଇଥିଲୁ, ସେ ସୁଭଦ୍ରା ଯୋଜନା ହେଉ, କି ଧାନ କିଣା ବାବଦକୁ ଅଧିକ ୮୦୦ ଟଙ୍କା ପ୍ରଦାନ କରିବା, କି ଶ୍ରୀମନ୍ଦିର ପରିଚାଳନା ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ହେଉ, କି ଚାରିଦ୍ଵାର ଖୋଲା ହେଉ। କେବଳ ସେତିକି ନୁହେଁ, ଗତ ଦଶ ମାସରେ ଅନେକ ନୂଆ ଯୋଜନା ଯେପରିକି ପଞ୍ଚାୟତ ସ୍ତରୀୟ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ, ମାଧୋ ସିଂ ହାତଖର୍ଚ୍ଚ ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା, ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା, ଅନ୍ତୋଦୟ ଗୃହ ଯୋଜନା ପରି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏସବୁ ମୂଳରେ ଗୋଟିଏ ଲକ୍ଷ୍ୟ, ସାଧାରଣ ଜନତାଙ୍କ ଜୀବନକୁ ଅଧିକ ସ୍ଵଚ୍ଛନ୍ଦ, ସାବଲୀଳ କରିବା ଏବଂ ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା। ଆମ ସରକାର ୨୦୩୬ ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ସ୍ଵପ୍ନକୁ ସାକାର କରିବେ ଏବଂ ତା’ର ବହୁ ପୂର୍ବରୁ ଓଡ଼ିଶାର ଜନ ସାଧାରଣଙ୍କୁ ବିଶ୍ଵସ୍ତରୀୟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ।

ଏହି ଅବସରରେ କଟକରେ ସାତ ମହଲା ବିଶିଷ୍ଟ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ପୋଷ୍ଟ ଗ୍ରାଜୁଏଟ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ପେଡିଆଟ୍ରିକ୍‌ସ ବା ଶିଶୁ ଭବନର ନୂଆ ବିଲ୍‌ଡିଙ୍ଗ ଓ ଡାକ୍ତରମାନଙ୍କ ପାଇଁ ହଷ୍ଟେଲର ଉଦ୍‌ଘାଟନ କରାଯାଇଛି। ଏହି ନୂଆ ବିଲ୍‌ଡିଙ୍ଗରେ ଶଯ୍ୟା ସଂଖ୍ୟା ୪୨୨ରୁ ୮୪୬କୁ ବୃଦ୍ଧି ହୋଇଛି । ଏଥିରେ ୧୪୦ଟି ICU ବେଡ୍ ରହିଛି। ହଷ୍ଟେଲରେ ପ୍ରାୟ ୧୮୦ ଜଣ ରେସିଡେଣ୍ଟ ଡାକ୍ତର ରହିପାରିବେ। ଏହା ସହିତ ଭୁବନେଶ୍ୱରର ରାଜ୍ୟ ମେଡିକାଲ କର୍ପୋରେସନ କ୍ୟାମ୍ପସ୍‌ରେ ଏକ ମାଇକ୍ରୋ-ବାୟୋଲୋଜିକାଲ୍ ଲାବୋରେଟୋରୀର ମଧ୍ୟ ଉଦ୍‌ଘାଟନ କରାଯାଇଛି। ଏହା ଦ୍ୱାରା ଖାଦ୍ୟ ଓ ପାଣି ସାମ୍ପଲ ଗୁଡିକର ପରୀକ୍ଷା କରାଯାଇ, ତା’ର ମାନ ନିର୍ଦ୍ଧାରଣ କରାଯାଇ ପାରିବ। ସୁସ୍ଥ ଓଡ଼ିଶା-ବିକଶିତ ଓଡ଼ିଶା ଗଠନରେ ସହଯୋଗ କରି ରାଜ୍ୟକୁ ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଭାବେ ଗଢିତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ।

କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଥିଲେ, ଆମ ସରକାର ଲୋକଙ୍କ ପାଇଁ କାମ କରେ। ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହେବା ଦ୍ୱାରା ରାଜ୍ୟର ଆଦିବାସୀ ସମ୍ପ୍ରଦାୟର ସବୁଠାରୁ ଅଧିକ ଲୋକ ଉପକୃତ ହୋଇପାରିବେ ବୋଲି ସେ ମତ ଦେଇଥିଲେ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ ଯେ, ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହେବା ଦ୍ୱାରା ସାରା ଭାରତବର୍ଷରେ କାଶ୍ମୀରଠୁ ନେଇ କନ୍ୟାକୁମାରୀ ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ଓଡିଶାର ଲୋକମାନେ ଚିକିତ୍ସା ସେବା ପାଇ ପାରିବେ ବୋଲି ସେ କହିଥିଲେ । କଟକ ସାଂସଦ ଭର୍ତ୍ତୃହରି ମହତାବ, କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଏବଂ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ ପ୍ରମୁଖ ଆୟୁଷ୍ମାନ ଭାରତ ଯୋଜନା ଓଡିଶାର ଲୋକମାନଙ୍କ ପାଇଁ କିପରି ଉପାଦେୟ ହୋଇପାରିବ ସେ ସମ୍ପର୍କରେ ନିଜ ନିଜର ଅଭିଭାଷଣ ରଖିଥିଲେ। କାର୍ଯ୍ୟକ୍ରମରେ ଅତିଥି ଭାବରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ବିଭିନ୍ନ ବିଧାୟକ ଗଣ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ସ୍ୱାସ୍ଥ୍ୟ ସଚିବ ଅଶ୍ୱଥୀ ଏସ୍ ପ୍ରମୁଖ ଯୋଗଦେଇଥିଲେ ଏବଂ ଆଭାଷୀ ମାଧ୍ୟମରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ମନ୍ତ୍ରୀ, ସାଂସଦ ଏବଂ ବିଧାୟକ ମାନେ ଉପସ୍ଥିତ ଥିଲେ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com