ଭୁବନେଶ୍ୱର: ୪/୧- “ବନ୍ଦେ ମାତରମ୍ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ଜାନୁଆରୀ ୧୨ ତାରିଖ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀମାନେ ସାମୂହିକ ଭାବେ “ବନ୍ଦେ ମାତରମ୍” ଗାନ କରିବେ । ଏଥିସହ ସମସ୍ତ ଶିକ୍ଷାନୁଷ୍ଠାନମାନଙ୍କରେ “ଆତ୍ମ ନିର୍ଭର ଭାରତ ସ୍ୱଦେଶୀ ସଂକଳ୍ପ’ ପାଠ କରାଯିବ। ଏଥିନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଶିକ୍ଷାନୁଷ୍ଠାନମାନଙ୍କରେ ସାମୂହିକ ବନ୍ଦେ ମାତରମ୍ ଗାନ ନିମନ୍ତେ ରାଜ୍ୟବ୍ୟାପୀ “ବନ୍ଦେ ମାତରମ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ’ର ଆୟୋଜନ କରାଯାଉଛି । ରାଜ୍ୟର ସମସ୍ତ ଜିଲ୍ଲାକୁ ୫ଟି ମଣ୍ଡଳ-ଜୟପୁର ମଣ୍ଡଳ (କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି ଓ ନୂଆପଡ଼ା) ବ୍ରହ୍ମପୁର ମଣ୍ଡଳ (ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ ଏବଂ ନୟାଗଡ଼), ବାଲେଶ୍ୱର ମଣ୍ଡଳ (ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର ଓ ଯାଜପୁର), ସମ୍ବଲପୁର ମଣ୍ଡଳ (ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେଓଗଡ଼, ବରଗଡ଼, ବଲାଙ୍ଗୀର ଓ ସୁବର୍ଣ୍ଣପୁର) ଏବଂ ଭୁବନେଶ୍ୱର ମଣ୍ଡଳ (ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଏବଂ ଅନୁଗୁଳ)ରେ ବିଭକ୍ତ କରାଯାଇ “ମଣ୍ଡଳ ସ୍ତରୀୟ ବନ୍ଦେ ମାତରମ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ’ର ଆୟୋଜନ କରାଯାଇଛି ।

ଗତ ୨୦୨୫ ମସିହା ଡିସେମ୍ବର ମାସ ୨୩, ୩୦ ଓ ୩୧ ତାରିଖରେ ଯଥାକ୍ରମେ ବ୍ରହ୍ମପୁର, ବାଲେଶ୍ୱର ଏବଂ ଜୟପୁର ମଣ୍ଡଳରେ ମଣ୍ଡଳସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମାପ୍ତ ହୋଇଥିବା ବେଳେ ୨୦୨୬ ଜାନୁଆରୀ ୨ରେ ସମ୍ବଲପୁର ଓ ୩ରେ ଭୁବନେଶ୍ୱର ମଣ୍ଡଳରେ ମଣ୍ଡଳସ୍ତରୀୟ ବନ୍ଦେ ମାତରମ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମାପ୍ତ ହୋଇଛି । ରାଜ୍ୟର ପ୍ରତ୍ୟେକ ବ୍ଲକ, ମହାନଗର ନିଗମ, ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦରୁ ବିଦ୍ୟାଳୟ ସ୍ତରରୁ ୨ଜଣ ଏବଂ ମହାବିଦ୍ୟାଳୟ /ବିଶ୍ୱବିଦ୍ୟାଳୟ ସ୍ତରରୁ ଜଣେ) ଏହିପରି ୩ଜଣ ଶିକ୍ଷକ/ଅଧ୍ୟାପକ ଜିଲ୍ଲାପାଳଙ୍କ ଦ୍ୱାରା ମନୋନୀତ ହୋଇ ଏହି “ମଣ୍ଡଳ ସ୍ତରୀୟ ବନ୍ଦେ ମାତରମ୍’ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
ଆସନ୍ତା ୧୨ ତାରିଖରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନମାନଙ୍କରେ ଛାତ୍ରଛାତ୍ରୀମାନେ ସାମୂହିକ ଭାବେ “ବନ୍ଦେ ମାତରମ୍’ ଗାନ କରିବା ସହ “ଆତ୍ମ ନିର୍ଭର ଭାରତ ସ୍ୱଦେଶୀ ସଂକଳ୍ପ’ ପାଠ କରିବେ। ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ “ଆତ୍ମନିର୍ଭର ଭାରତ ଆମ୍ବାସଡ଼ର’ ଭାବେ ଜଣେ ବିଦ୍ୟାର୍ଥୀଙ୍କୁ ମନୋନୀତ କରାଯିବ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ । ଏଥିସହ ୟୁଥ କ୍ଲବମାନଙ୍କରେ ମଧ୍ୟ “ବନ୍ଦେ ମାତରମ୍’ ଗାନ କରାଯିବ ।