ରାଜଭବନରେ ବିଭାଜନ ବିଭୀଷିକା ସ୍ମୃତି ଦିବସ
ଭୁବନେଶ୍ୱର:୧୪/୮-ଆମ ଦେଶ ଭାରତର ବିଭାଜନ ଦୃଶ୍ୟପଟ୍ଟରେ ଘୃଣାକୁ ପ୍ରତ୍ୟାଖାନ କରି କରୁଣା, ସହନଶୀଳତାର ସହ ଏକତାକୁ ସୁଦୃଢ଼ କରିବା ପାଇଁ ସମସ୍ତେ ସଂକଳ୍ପ ନେବାକୁ ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ରାଜଭବନରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ ଅବସରରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଆହ୍ୱାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡିଶାର ଉଚ୍ଚ ଶିକ୍ଷାି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ ଉଦ୍ବୋଧନ ଦେଇଥିଲେ। ରାଜ୍ୟର ପ୍ରଥମ ମହିଳା ଶ୍ରୀମତୀ ଜୟଶ୍ରୀ କମ୍ଭମ୍ପାଟି ଏହି ସମାରୋହରେ ଯୋଗ ଦେଇଥିଲେ।
ରାଜ୍ୟପାଳକହିଥିଲେ, ଆମ ଦେଶର ଇତିହାସର ସବୁଠାରୁ ବିଭୀଷିକାମୟ ଅଧ୍ୟାୟ ମଧ୍ୟରୁ ଭାରତ ବିଭାଜନ ଅନ୍ୟତମ। ଏହି ବିଭାଜନକୁ ଆମେ ଗମ୍ଭୀରତାର ସହ ସ୍ମରଣ କରୁଛୁ, ଯାହା ଆମର କଷ୍ଟଲବ୍ଧ ସ୍ୱାଧୀନତା ସହିତ ଆସିଥିଲା। ଅକଳ୍ପନୀୟ ଯନ୍ତ୍ରଣା ସହିତ ଲକ୍ଷ ଲକ୍ଷ ଲୋକ ନିଜର ଘର, ଜମି ଏବଂ ଶତାଦ୍ଦୀ ଶତାଦ୍ଦୀର ସହଭାଗୀ ଜୀବନକୁ ପଛରେ ପକାଇ ନୂତନ ସୀମା ପାର ହୋଇ ଭାରତ ଚାଲି ଆସିଥିଲେ।

ଆଜି ସ୍ମୃତି ଦିବସରେ ଆମେ କେବଳ ହରାଇଥିବା ଲୋକଙ୍କ ସ୍ମୃତି ନୁହେଁ ବରଂ ବଂଚିଥିବା ଲୋକଙ୍କ ଦୃଢତାକୁ ମଧ୍ୟ ସମ୍ମାନ କରିବା। ସେମାନଙ୍କ ଜୀବନକୁ ପୁନଃ ନିର୍ମାଣ କରିବାରେ ସେମାନଙ୍କର ସାହସ ହେଉଛି ସେହି ମୂଳଦୁଆ ଯାହା ଉପରେ ଆଧୁନିକ ଭାରତ ଛିଡ଼ା ହୋଇଛି। ଭବିଷ୍ୟତ ପିଢ଼ି ଏହି ଦୁଃଖଦ ଘଟଣାର ପରିଣାମ, ସହ୍ୟ କରାଯାଇଥିବା ବଳିଦାନ ଏବଂ ଆମ ଜାତି ପାଇଁ ଏହା ଦ୍ୱାରା ରହିଥିବା ଶିକ୍ଷାକୁ ବୁଝିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ ଓ ପଦକ୍ଷେପ ପାଇଁ ରାଜ୍ୟପାଳ ପ୍ରଶଂସା କରିଥିଲେ। ବିଭାଜନର ଏହି ସ୍ମୃତି ପୁରୁଣା କ୍ଷତକୁ ପୁନଃ ଖୋଲିବା ବିଷୟରେ ନୁହେଁ ବରଂ ଏହା ଅତୀତରୁ ଶିକ୍ଷା ଗ୍ରହଣ କରିବା, ବିଭାଜନର ବିପଦକୁ ଚିହ୍ନିବା ଏବଂ ଶାନ୍ତି, ସଦ୍ଭାବନା ଓ ପାରସ୍ପରିକ ସମ୍ମାନ ପ୍ରତି ଆମ ପ୍ରତିବଦ୍ଧତାକୁ ପୁନଃ ନିର୍ଦ୍ଦିଷ୍ଟ କରିବ ବୋଲି ରାଜ୍ୟପାଳ କହିଥିଲେ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ଆଜିର ଦିନରେ ଆମେ ସ୍ମରଣ କରୁଛୁ ଦେଶର ଇତିହାସର ସେହି ଦୁଃଖଦ ପର୍ବକୁ, ଯାହା ୧୯୪୭ ମସିହାରେ ସ୍ୱାଧୀନତା ସହିତ ଆସିଥିଲା “ଭାରତ ବିଭାଜନ”। ସେହିଦିନ ଆମେ ସ୍ୱାଧୀନ ହେଲୁ, କିନ୍ତୁ ଲକ୍ଷ ଲକ୍ଷ ପରିବାରର ହୃଦୟରେ ଆସିଲା ବିସ୍ଥାପନର କଷ୍ଟ, ବିଚ୍ଛିନ୍ନତାର ବେଦନା ଓ ଆପଣାକୁ ହରାଇବାର ଅସହ୍ୟ ଯନ୍ତ୍ରଣା। ଯେତେବେଳେ ସମଗ୍ର ଦେଶ ସ୍ୱାଧୀନତାର ଆନନ୍ଦରେ ମଗ୍ନ ହେଉଥିଲା, ସେତେବେଳେ ଅନ୍ୟ ପାଶ୍ୱର୍ରେ ଦେଶର ସୀମାରେ ରେଖା ଟାଣିବା ପାଇଁ କାଗଜରେ କଲମ ଚାଲିଥିଲା, ଆଉ ସେଇ ରେଖା ଲକ୍ଷ-ଲକ୍ଷ ଭାରତୀୟଙ୍କ ହୃଦୟକୁ ଭାଙ୍ଗିଦେଲା। ଇତିହାସର କାଳଖଣ୍ଡରେ ଗୁଂଜରିତ ହେଉଥିବା ଅଖଣ୍ଡ ଭାରତ ନାମ, ବିଭାଜିତ ଭାରତ ଭାବେ ନାମିତ ହେଲା। ଆମରି ଭାଇ, ଆମରି ବନ୍ଧୁ, ଆମରି ରକ୍ତ ଆମଠାରୁ ଅଲଗା ହେଇଗଲା। ବିଭାଜିତ ଜାତି ଆଧାରରେ ହୋଇଥିଲା ସତ କିନ୍ତୁ ମନ ଆଧାରରେ ନୁହେଁ। ବିଭାଜନର ଗାର ହିନ୍ଦୁ, ମୁସଲମାନ, ଶିଖ, ଇଶାୟୀଙ୍କ ମଧ୍ୟରେ ଆଣି ଦେଇଥିଲା ଭୟ, ହିଂସା। ଆଜିର ଦିନରେ ଗତକାଲିର କଥା ନୁହେଁ, ଆଗାମୀକୁ ସୁରକ୍ଷିତ କରିବାର ପ୍ରତିଜ୍ଞା। ସୋସିଆଲ ମିଡିଆର ଯୁଗରେ ଯେତେବେଳେ ଭୁଲ ସୂଚନା, ଘୃଣାର ବୀଜ ସହଜରେ ଛଡାଯାଇପାରେ ସେତେବେଳେ ଆମ ପିଢ଼ିର କର୍ତ୍ତର୍ବ୍ୟ ସତ୍ୟ, ସାମ୍ପ୍ରଦାୟିକ ସମ୍ମାନ ଓ ଏକତାକୁ ପ୍ରଚାର କରିବା। ବିଭାଜନ ଆମକୁ ଏକ ଗୁରୁତ୍ୱପୂର୍ଣ୍ଣ ପାଠ ପଢ଼ାଇଲା ଯେ, ସୀମା ସିନା ଦେଶକୁ ବାଂଟିପାରେ, କିନ୍ତୁ ମନକୁ କେହି ପାରିବେ ନାହିଁ। ଆମେ ଭାରତୀୟ ସର୍ବଦା ଭାଇଚାରା, ପ୍ରେମ ଓ ସମ୍ମାନକୁ ପ୍ରଥମରେ ରଖିଛୁ ଆଉ ସେଥିପାଇଁ କୌଣସି ଶକ୍ତି ଆମକୁ ବାଂଟିପାରିବ ନାହିଁ ବୋଲି ସେ କହିଥିଲେ ।
ଏହି ସମାରୋହରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ନିଜ ଉଦ୍ବୋଧନରେ କହିଥିଲେ ଯେ ୧୯୪୭ ମସିହା ଅଗଷ୍ଟ ୧୪ ତାରିଖର ବିଭାଜନ ବିଭିଷିକାର ସ୍ମୃତି ଚାରଣ ବିନା ସ୍ୱାଧୀନତା ଦିବସ ପାଳନ ଅପୂର୍ଣ୍ଣାଙ୍ଗ ରହିବ। ସ୍ୱାଧୀନତା ପଛର କାହାଣୀ ଅଛି। ସେହି କାହାଣୀ ନ ଜାଣିଲେ ଦେଶର ଭବିଷ୍ୟତ ସୁରକ୍ଷିତ ରହିବ ନାହିଁ। ଭବିଷ୍ୟତ ପିଢ଼ି ପାଇଁ ସେହି ଇତିହାସ ଜାଣିବା ଦରକାର। ରାଜ୍ୟପାଳଙ୍କ ସଚିବ ରୁପା ରୋଶନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ବିଭାଜନ ସମୟରେ ବିସ୍ଥାପିତ ପରିବାରର ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।