୩୧୪ ଟି ବ୍ଲକ, ୧୧୫ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ୫ଟି ମହାନଗର ନିଗମରେ ଗଡ଼ିଲା ସ୍ୱତନ୍ତ୍ର ‘ବିକାଶ ବାହନ’
ଭୁବନେଶ୍ୱର:12/6- ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆଜି ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ବିକାଶ ବାହନ ଯାତ୍ରାର ଶୁଭାରମ୍ଭ, ସ୍ଥାନୀୟ ମହାତ୍ମାଗାନ୍ଧୀ ମାର୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରିଥିଲେ। ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗଣତନ୍ତ୍ରରେ ଜନତା ହେଉଛନ୍ତି ଜନାର୍ଦ୍ଦନ। ଜନତାଙ୍କ ସେବାରେ ହିଁ ଜୀବନର ସାର୍ଥକତା। ଓଡିଶାରେ ଡବଲ ଇଞ୍ଜିନ ସରକାର, ଡବଲ ସ୍ପିଡରେ କାମ କରି ଲୋକଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିପାରୁଛି। ଆମ ସରକାରଙ୍କ ଏକ ହଲ୍ମାର୍କ ହେଉଛି, ଲୋକଙ୍କ ସହିତ ଯୋଡି ହେବାର ପ୍ରୟାସ।
ଏହି ଏକ ବର୍ଷରେ ଅନେକ କ୍ଷେତ୍ରରେ ଓଡ଼ିଶାର କାୟାକଳ୍ପ ହୋଇଛି। ମହିଳା, କୃଷକ, ଆଦିବାସୀ ଓ ଯୁବବର୍ଗର ସଶକ୍ତିକରଣ ସହିତ ଭିତ୍ତିଭୂମି ଓ ଶିଳ୍ପ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ସୃଷ୍ଟି ହୋଇଛି। ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ଆଶାର ସମ୍ଭାର ସୃଷ୍ଟି ହୋଇପାରିଛି। ଆଜି ଯେଉଁ ବିକାଶ ବାହନ ଯାତ୍ରା ଆରମ୍ଭ ହେବାକୁ ଯାଉଛି, ତାହା ହେଉଛି ଆମ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସହିତ ଜନସାଧାରଣ ମାନଙ୍କୁ ଯୋଡିବାର ଆଉ ଏକ ପ୍ରୟାସ।
ଏହି ବର୍ଷେ ମଧ୍ୟରେ ଲାଗୁ କରିଥିବା ସମସ୍ତ ଯୋଜନାର ସଫଳତା ପାଇଁ ଜନଭାଗିଦାରୀର ବ୍ୟାପକ ଆବଶ୍ୟକତା ରହିଛି। ବିଭିନ୍ନ ସୂଚନା ଓ ଶିକ୍ଷା ଭିତ୍ତିକ କାର୍ଯ୍ୟକ୍ରମ ମାଧ୍ୟମରେ ଅପହଞ୍ଚ ଅଞ୍ଚଳରେ ରହୁଥିବା ଲୋକଙ୍କ ନିକଟରେ ପହଞ୍ଚି, ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଏବଂ କାର୍ଯ୍ୟକ୍ରମ ବିଷୟରେ ନାଗରିକମାନଙ୍କୁ ସଚେତନ କରାଯାଇ ଲୋକଙ୍କୁ ଯୋଜନା ସହିତ ଯୋଡିବା ଆମର ଲକ୍ଷ୍ୟ। ଏହା ଦ୍ୱାରା ପ୍ରଶାସନ ଲୋକାଭିମୁଖୀ ହୋଇପାରୁଛି। ସ୍ୱଚ୍ଛ, ଉତ୍ତରଦାୟୀ ଓ ଲୋକାଭିମୁଖୀ ଶାସନର ଏକ ବର୍ଷ ପୂରଣ ଅବସରରେ ପ୍ରଶାସନକୁ ଜନ ସାଧାରଣଙ୍କ ଦ୍ୱାର ନିକଟରେ ପହଞ୍ଚାଇବା ପାଇଁ ଓଡ଼ିଶାର ୩୧୪ ଟି ବ୍ଲକ, ୧୧୫ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ୫ଟି ମହାନଗର ନିଗମରେ ଗଡିବ ସ୍ୱତନ୍ତ୍ର ‘ବିକାଶ ବାହନ’ ।ଏହି ବାହନ ଜରିଆରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ‘ପ୍ରଗତି ପ୍ରବାହ’ ପୁସ୍ତକ ଏବଂ ଏକ ବର୍ଷର ସଫଳତାର ତଥ୍ୟ ସମ୍ବଳିତ ପୁସ୍ତିକା ମଧ୍ୟ ସମସ୍ତଙ୍କ ପାଖରେ ପହଞ୍ଚିବ । ଏହାଦ୍ୱାରା ଲୋକମାନେ ସରକାରଙ୍କ ବିଭିନ୍ନ ଯୋଜନା ଓ ସଫଳ କାର୍ଯ୍ୟକ୍ରମ ସମ୍ପର୍କରେ ଜାଣିପାରିବେ । ବିଭିନ୍ନ ଯୋଜନା ଉପରେ ଆଧାରିତ ଭିଡିଓ ମଧ୍ୟ ଦେଖିପାରିବେ।
ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ପ୍ରଥମ ଦିନରୁ ଜନତାଙ୍କ ସହିତ ଯୋଡି ହେବାର ଯେଉଁ ପ୍ରୟାସ ଆରମ୍ଭ ହୋଇଥିଲା, ଆଜି ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସେହି ପ୍ରୟାସକୁ ଆହୁରି ଜୋରଦାର କରାଯାଇଛି। ଏହି ପ୍ରସାର କାର୍ଯ୍ୟକ୍ରମ ମାଧ୍ୟମରେ, ସରକାର, ଜନସାଧାରଣଙ୍କ ଭାଗୀଦାରିତାରେ ‘ବିକଶିତ ଓଡ଼ିଶା’ ତଥା ସମୃଦ୍ଧ ଓଡ଼ିଶା ଗଠନର ବୃହତ୍ତର ଲକ୍ଷ୍ୟକୁ ସାକାର କରିବା ପାଇଁ ପ୍ରୟାସ କରିଛନ୍ତି ।
