ଭୁବନେଶ୍ୱର:୧୨/୦୬/-ରାଜ୍ୟରେ ମୋହନ ଚରଣ ମାଝିଙ୍କ ନେତୃତ୍ୱାଧୀନ ସରକାରଙ୍କୁ ଆଜି ଏକ ବର୍ଷ ପୂରଣ ହୋଇଥିବା ବେଳେ ବିଜୁ ଜନତା ଦଳ ତରଫରୁ ରାଜଧାନୀ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ଏକ ଅଭିନବ ଉପାୟରେ ରାଜ୍ୟ ସରକାରଙ୍କ ଏକ ବର୍ଷର ବିଫଳତାକୁ ପ୍ରଦର୍ଶନ କରାଯାଇଥିଲା। ଏଥିରେ ବିଜେଡି ବିଧାୟକମାନଙ୍କ ସହିତ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜେଡି ତରଫରୁ ପ୍ରାର୍ଥୀ ହୋଇଥିବା ନେତାମାନେ ଯୋଗ ଦେଇଥିଲେ।
ଗତ ନିର୍ବାଚନ ସମୟରେ ବିଜେପି ଦେଇଥିବା ପ୍ରତିଶୃତି ପାଳନରେ ରାଜ୍ୟ ସରକାର କିପରି ବିଫଳ ହୋଇଛନ୍ତି, ତାହାକୁ ହାତ ଲେଖା ପ୍ଲାକାର୍ଡ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ଏହା ଛଡା, ଗତ ଏକ ବର୍ଷରେ, ଆଇନଶୃଙ୍ଖଳା ପରିସ୍ଥିତି କିପରି ବିପର୍ଯ୍ୟସ୍ତ ହୋଇ ପଡିଛି, ବିଶେଷକରି ଦୁଷ୍କର୍ମ ଓ ମହିଳାଙ୍କ ବିରୋଧରେ ଅପରାଧର ଅହେତୁକ ବୃଦ୍ଧିକୁ କଳାତ୍ମକ ଉପାୟରେ ଦର୍ଶାଯାଇଥିଲା। ରାଜ୍ୟ ସ୍ୱାର୍ଥ ସହିତ ଜଡିତ ଥିବା ପ୍ରତିଟି ପ୍ରସଙ୍ଗ ଯଥା, କେନ୍ଦ୍ରୀୟ ଅନୁଦାନରେ ହ୍ରାସ, ପୋଲାଭରମ, କୋଟିଆ, ମହାନଦୀ ଓ କୋଷ୍ଟାଲ ହାଇୱେ ପ୍ରସଙ୍ଗରେ କେନ୍ଦ୍ରର ଅବହେଳା, ଅତ୍ୟାବଶକୀୟ ଜିନିଷର ଅହେତୁକ ଦରଦାମ ବୃଦ୍ଧି, ଶ୍ରୀମନ୍ଦିରରେ ଅବ୍ୟବସ୍ଥା, ଓବିସି, ଏସଟି ଏସସି ବର୍ଗର ଲୋକଙ୍କ ସ୍ୱାର୍ଥ ପ୍ରତି ଉପେକ୍ଷା, ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ, ବିଏସ୍କେୱାଇ ବଦଳରେ ଆୟୁଷ୍ମାନରୁ ଯନ୍ତ୍ରଣା ଇତ୍ୟାଦି ମୁଖ୍ୟତଃ ପ୍ଲାକାର୍ଡରେ ସ୍ଥାନ ପାଇଥିଲା।
ଗତ ଏକ ବର୍ଷର ସରକାର ଏହି ସମସ୍ତ କ୍ଷେତ୍ରରେ ବିଫଳ ହୋଇଥିବା ବେଳେ କେବଳ ନବୀନ ସରକାରଙ୍କ ଅମଳର କିଛି ନାମ ଓ ରଙ୍ଗ ପରିର୍ବତ୍ତନ ସରକାର ସାଜିଛନ୍ତି ବୋଲି ପ୍ଲାକାର୍ଡରେ ଦର୍ଶାଯାଇଥିଲା । ବିଜୁ ଜନତା ଦଳର ସମସ୍ତ ବରିଷ୍ଠ ନେତୃତ୍ୱଙ୍କ ଉପସ୍ଥିତିରେ ଏଭଳି ଏକ ଅଭିନବ ପ୍ରଦର୍ଶନକୁ ସ୍ଥାନୀୟ ଲୋକମାନେ ସମର୍ଥନ କରିଥିଲେ । ସେହି ରାସ୍ତାରେ ଯିବା ଆସିବା କରୁଥିବା ଲୋକମାନେ କିଛି ସମୟ ରହି ପ୍ଲାକାର୍ଡ ଗୁଡିକରେ ଲେଖା ଯାଇଥିବା ସ୍ଲୋଗାନଗୁଡିକୁ ପଢ଼ୁଥିବାର ଦେଖାଯାଇଥିଲା । ଘଟଣା ସ୍ଥଳରେ ସ୍ଥାନୀୟ ଲୋକମାନେ ଭିଡ଼ ଜମାଇବାରୁ ପୋଲିସ ଧାରଣାରେ ଥିବା ବିଜେଡି ନେତା ମାନଙ୍କୁ ହଟାଇବାକୁ ଚେଷ୍ଟା କରିଥିଲା, ଯାହା ଫଳରେ କିଛି ସମୟ ପାଇଁ ଘଟଣାସ୍ଥଳରେ ସାମାନ୍ୟ ଉତ୍ତେଜନା ଦେଖାଦେଇଥିଲା। ପୋଲିସର ପ୍ରଚେଷ୍ଟା ସତ୍ତ୍ୱେ, ଘଟଣା ସ୍ଥଳରେ ଧାରଣା ଜାରି ରହିଥିଲା।