ବରଗଡ଼ରେ ବିରାଟ ଚାଷୀ ସମାବେଶ ୧୮ରେ
ଭୁବନେଶ୍ୱର: ୮/୮-ରାଜ୍ୟରେ ବିଜେପି ସରକାରଙ୍କ ଗତ ୧୩ ମାସର ଶାସନ ସମୟରେ ଚାଷୀକୂଳର ସ୍ୱାର୍ଥକୁ ଅଣଦେଖା କରିଛନ୍ତି, ଯେଉଁଥିପାଇଁ ଚାଷୀ ଭାଇମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଓ ସରକାରଙ୍କ ଏହି ଚାଷୀ ମାରଣ ନୀତିକୁ ବିରୋଧ କରି ଆସନ୍ତା ୧୮ ତାରିଖରେ ବରଗଡ଼ ଠାରେ ବିରାଟ ଚାଷୀ ସମାବେଶ କରିବ ବୋଲି ବିଜୁ ଜନତା ଦଳ ଘୋଷଣା କରିଛି। ଦଳର କୃଷକ ସେଲ ଆହ୍ୱାନରେ ଆଜି ଏକ ରାଜ୍ୟସ୍ତରୀୟ ବୈଠକ ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଥିଲା । ବୈଠକରେ କୃଷକ ସେଲ ଆବାହକ ପ୍ରସନ୍ନ ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିବା ବେଳେ ଦଳର ଉପ ସଭାପତି ଦେବୀ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଏଥିରେ ରାଜ୍ୟର ସମସ୍ତ ଜିଲ୍ଲାରୁ କୃଷକ ପ୍ରତିନିଧିମାନଙ୍କ ସହିତ ଦଳର ଚନ୍ଦ୍ରଶେଖର ସାହୁ, ପ୍ରଣବ ପ୍ରକାଶ ଦାସ, ସଞ୍ଜୟ କୁମାର ଦାସବର୍ମା, ଅରୁଣ ସାହୁ, ସୁଦାମ ମାରାଣ୍ଡି, ପ୍ରତାପ ଜେନା, ପ୍ରଣବ ବଳବନ୍ତରାୟ, ସ୍ନେହାଙ୍ଗିନୀ ଛୁରିଆ, ଟୁକୁନି ସାହୁ, ପ୍ରୀତିରଞ୍ଜନ ଘଡେଇ, ବଦ୍ରି ନାରାୟଣ ପାତ୍ର, ନିରଞ୍ଜନ ପୂଜାରୀ, ଅଶୋକ ପଣ୍ଡା, ପ୍ରଫୁଲ୍ଲ ସାମଲ, ଅମର ପଟ୍ଟନାୟକ, ଶର୍ମିଷ୍ଠା ସେଠୀ, ରାଜଶ୍ରୀ ମଲ୍ଲିକ ଓ ରମେଶ ମାଝୀଙ୍କ ସହିତ ଦଳୀୟ ବିଧାୟକ ଏବଂ ବିଭିନ୍ନ ଜିଲ୍ଲାର ସଭାପତିମାନେ ଅଂଶଗ୍ରହଣ କରିଥିଲେ। ରାଜ୍ୟରେ କୃଷକ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ବିଷୟରେ ସବିଶେଷ ଆଲୋଚନା ହୋଇଥିଲା । ରାଜ୍ୟ ବିଜେପି ସରକାରଙ୍କ ଗତ ୧୩ ମାସର ଶାସନକାଳରେ ଚାଷୀମାନଙ୍କ ସମସ୍ୟା ଅହେତୁକ ବୃଦ୍ଧି ପାଇଛି । ରାଜ୍ୟ ସରକାର ଏହି ସମସ୍ୟା ଗୁଡିକର ପ୍ରତିକାର କରିବା ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି ।

ଏହି କାର୍ଯ୍ୟକ୍ରମ ଶେଷ ହେବା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ, ଉପ ସଭାପତି ଶ୍ରୀମତୀ ଛୁରିଆ ଓ ଶ୍ରୀ ଦାସବର୍ମା ରାଜ୍ୟ ସରକାରଙ୍କ କୃଷକ ମାରଣ ନୀତି ଉପରେ ବର୍ଷିଥିଲେ। ଶ୍ରୀ ଆଚାର୍ଯ୍ୟ କହିଥିଲେ, ରାଜ୍ୟ ବିଜେପି ସରକାରଙ୍କ ଗତ ୧୩ ମାସର ଶାସନକାଳରେ ଚାଷୀମାନଙ୍କ ସମସ୍ୟା ଅହେତୁକ ବୃଦ୍ଧି ପାଇଛି । ରାଜ୍ୟ ସରକାର ଏହି ସମସ୍ୟା ଗୁଡିକର ପ୍ରତିକାର କରିବା ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି । ଏହି କାରଣରୁ, ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟରେ କୃଷି ଉତ୍ପାଦନର ବିକାଶ ହାର ୭.୮% ଥିଲାବେଳେ, ୨୦୨୪-୨୫ ଆର୍ଥିକବର୍ଷରେ ଏହା ୩.୮%କୁ ଖସିଆସିଛି । ସେହିପରି ଡବଲ ଇଞ୍ଜିନ ଓ ଡବଲ ବିକାଶ ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାରଙ୍କ ସମୟରେ କେନ୍ଦ୍ରୀୟ ଅନୁଦାନ କମିଛି । ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ, ୨୦୨୪-୨୫ ଆର୍ଥିକ ବର୍ଷରେ, କେନ୍ଦ୍ରୀୟ ଅନୁଦାନ ୧୮.୧୯% କମିଥିବା ବେଳେ କୃଷି କ୍ଷେତ୍ରରେ ମଧ୍ୟ କେନ୍ଦ୍ରୀୟ ଅନୁଦାନ କମିଛି । ଉଦାହରଣ ସ୍ୱରୂପ, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ୨୦୨୩-୨୪ ଆର୍ଥିକ ବର୍ଷରେ ୧୪୬ କୋଟି ଟଙ୍କାର ଅନୁଦାନ ମିଳିଥିବା ବେଳେ ଏହା ୨୦୨୪-୨୫ ଆର୍ଥିକ ବର୍ଷରେ ୩୨ କୋଟି ଟଙ୍କାକୁ ଖସି ଆସିଛି । ସେହିପରି, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୨୦୨୩-୨୪ ଆର୍ଥିକ ବର୍ଷରେ ଓଡିଶାକୁ ୨୨୩ କୋଟି ଟଙ୍କାର ଆର୍ଥିକ ଅନୁଦାନ ମିଳିଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ କୌଣସି ଅନୁଦାନ ମିଳିଲା ନାହିଁ । ନିକଟରେ ରାଜ୍ୟ ସରକାରଙ୍କ ଦ୍ୱାରା ରବି ଧାନ କିଣା ପାଇଁ ଚାଷୀମାନଙ୍କୁ ପଞ୍ଜିକୃତ କରିବାକୁ ଆହ୍ୱାନ କରାଯାଇଥିବା ବେଳେ ଏହି ପଞ୍ଜିକରଣ ପାଇଁ ଯେଉଁସବୁ ସର୍ତ୍ତ ରଖାଯାଇଛି ତାହା ଅତ୍ୟନ୍ତ ଜଟିଳ ହୋଇଥିବାରୁ ଅଧିକାଂଶ ଚାଷୀମାନେ ପଞ୍ଜିକରଣ କରିବାରେ ସକ୍ଷମ ହୋଇପାରୁ ନାହାନ୍ତି । ଜମିର ମାଲିକାନା ଥିବା ବ୍ୟକ୍ତିଙ୍କ ସମସ୍ତ ପରିବାର ସଦସ୍ୟଙ୍କ ସ୍ୱୀକୃତି ପତ୍ର ଦାଖଲ କରିବା ପାଇଁ କୁହାଯାଇଛି, ଯାହା ଅଧିକାଂଶ ଚାଷୀଙ୍କ କ୍ଷେତ୍ରରେ ସମ୍ଭବ ନୁହେଁ । ରାଜ୍ୟର ଚାଷୀଭାଇ ମାନଙ୍କୁ ଧାନ ବିକ୍ରି ପ୍ରକ୍ରିୟାରୁ ନିବୃତ କରିବା ପାଇଁ ଏହା ରାଜ୍ୟ ସରକାରଙ୍କ ଏକ ଚାଲ୍ । କାରଣ, ଧାନ ପ୍ରତି କୁଇଣ୍ଟାଲ ୮୦୦ ଟଙ୍କା ଇନ୍ପୁଟ୍ ସବ୍ସିଡ ପ୍ରଦାନ ସରକାରଙ୍କ ପ୍ରତିଶ୍ରୁତି ରାଜ୍ୟର ଆର୍ଥିକ ବୋଝକୁ ବଢ଼ାଉଛି । ଏଥିରୁ ମୁକୁଳିବା ପାଇଁ ରାଜ୍ୟ ସରକାର ଏଭଳି ଫନ୍ଦି ବାହାର କରିଛନ୍ତି ।

ଶ୍ରୀମତୀ ଛୁରିଆ କହିଥିଲେ, ବିଜେପି ବିନା କଟନି ଛଟନିରେ ଧାନ କିଣିବା ପାଇଁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ, ଖରିଫ ଧାନ କିଣା ସମୟରେ, ରାଜ୍ୟ ସରକାର ଗ୍ରେଡ୍ ଆନାଲାଇଜର ଲଗାଇଲେ ଯାହା ଫଳରେ ଧାନ ପ୍ରତି କୁଇଣ୍ଟାଲରେ ପ୍ରାୟ ଦଶରୁ ପନ୍ଦର କେଜି କଟନି ଛଟନି ହେଲା । ବିଜେପିର ବିନା କଟନି ଛଟନିରେ ଧାନ କିଣା ଓ ଦଲାଲ ମୁକ୍ତ ଧାନ କିଣା ପ୍ରତିଶ୍ରୁତି ବାସ୍ତବରେ ଏକ ଧୂଆଁବାଣରେ ପରିଣତ ହୋଇଛି । ଶ୍ରୀ ଦାସବର୍ମା କହିଥିଲେ, ନିର୍ବାଚନ ସମୟରେ ବିଜେପି ତରଫରୁ ସ୍ୱାମୀନାଥନ କମିସନଙ୍କ ସୁପାରିଶ ଅନୁଯାୟୀ ଧାନର ସର୍ବନିମ୍ନ ମୂଲ୍ୟ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ରାଜ୍ୟ ସରକାର ଇନ୍ପୁଟ୍ ସବ୍ସିଡି ନାମରେ ପ୍ରତି କୁଇଣ୍ଟାଲ ୮୦୦ ଟଙ୍କା ପ୍ରଦାନ କରୁଛନ୍ତି । କିନ୍ତୁ, ଖରିଫ ଓ ରବି ଧାନ କିଣା ସମୟରେ, ଟୋକନ ମିଳିଥିବା ଅଧିକାଂଶ ଚାଷୀମାନଙ୍କ ଧାନ ଉଠିପାରିଲା ନାହିଁ । ଯୋଗାଣ ବିଭାଗର ରିପୋର୍ଟ ଅନୁଯାୟୀ, ପ୍ରାୟ ୧ ଲକ୍ଷ ୫୩ ହଜାର ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇ ପାରିନାହିଁ, ଯେଉଁଥିପାଇଁ ସମଗ୍ର ଓଡିଶାରେ ଚାଷୀମାନେ ହଇରାଣ ହରକତ ହେଉଛନ୍ତି । ସେହି ସମସ୍ୟା ସମାଧାନ ହୋଇନଥିବା ବେଳେ, ଏବେ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଖରିଫ ଧାନ ପାଇଁ ପଞ୍ଜିକରଣ ସମ୍ପୂର୍ଣ୍ଣ ଭାବେ ତ୍ରୁଟିପୂର୍ଣ୍ଣ ଓ ଚାଷୀ ମାରଣ ପାଇଁ ଉଦ୍ଦିଷ୍ଟ । ଏହି ପଞ୍ଜିକରଣ ପ୍ରକ୍ରିୟାକୁ ସରଳ କରିବା ପାଇଁ ବିଜୁ ଜନତା ଦଳ ଦାବି କରୁଛି । ଓଡ଼ିଶାର ଚାଷୀକୂଳ ଆଜି ପ୍ରତାରିତ ହୋଇଛି । ପ୍ୟାକ୍ସ ଜରିଆରେ ଯେଉଁ ସାର ମିଳିବା କଥା ଆଜି ତାହା ମିଳିପାରୁ ନାହିଁ । ଓଡିଶା ସରକାରଙ୍କ ଚାଷୀ ବିରୋଧୀ ନୀତି ବିରୋଧରେ ପ୍ରତିବାଦ କରି ଚଳିତ ମାସ ୧୮ ତାରିଖରେ ବରଗଡ଼ ଠାରେ ବିଜୁ ଜନତା ଦଳ ତରଫରୁ ଏକ ବିରାଟ ଚାଷୀ ସମାବେଶ ଅନୁଷ୍ଠିତ ହେବ, ଯେଉଁଥିରେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଚାଷୀ ମାନେ ଯୋଗଦେଇ ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ରଣହୁଙ୍କାର ଦେବେ ।