ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ, ସାର ଅଭାବ, ପଞ୍ଚାୟତ ବ୍ୟବସ୍ଥାରେ ଅଫିସରଙ୍କ କ୍ଷମତା ବୃଦ୍ଧି ଏବଂ ଓଡିଆ ଅସ୍ମିତା ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେଡି
ବିଧାନସଭାରେ ଏ ସବୁ ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ–ବିରୋଧୀ ଦଳ ନେତା

ଭୁବନେଶ୍ୱର:୧୭/୯- ଆଜି ସନ୍ଧ୍ୟାରେ ବିଜୁ ଜନତା ଦଳର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ 18 ତାରିଖରୁ ଆରମ୍ଭ ହେଉଥିବା ବିଧାନସଭା ଅଧିବେଶନରେ ଦଳର ରଣନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ବୈଠକରେ ଉଦ୍ବୋଧନ ଦେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେ ଯେ ବିଧା ସଭାର ମୌସୁମୀ ଅଧିବେଶନ ସଂକ୍ଷିପ୍ତ ହେଲେ ମଧ୍ୟ ରାଜନୈତିକ ଦୃଷ୍ଟିରୁ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ । ଗତ ସାଢେ ତିନି ମାସ ମଧ୍ୟରେ ମହିଳା ସୁରକ୍ଷା, ସାର ଯୋଗାଣ ଓ ଚାଷୀଙ୍କ ସ୍ୱାର୍ଥ ରକ୍ଷା, ରାଜ୍ୟ ସ୍ୱାର୍ଥର ସୁରକ୍ଷା ଆଦି ବିଭିନ୍ନ କ୍ଷେତ୍ରରେ ଡବଲ ଇଞ୍ଜିନ ସରକାରର ଅପାରଗତା ଓ ଉଦାସୀନତା ଜଳ ଜଳ ହୋଇ ଦିଶୁଛି । ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡି ଯାଇଛି।

ମହିଳାମାନଙ୍କ ଉପରେ ଅତ୍ୟାଚାର ଜନିତ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ପ୍ରତିଦିନ ବଢି ଚାଲିଛି । ଏ ରାଜ୍ୟରେ ଏବେ କେହି ନିରାପଦ ନୁହନ୍ତି । ସେହିପରି ସାର ଯୋଗାଣ କ୍ଷେତ୍ରରେ ସୃଷ୍ଟି ହୋଇଥିବା ମାନବକୃତ ସଙ୍କଟ ଯୋଗୁଁ ଚାଷୀମାନେ ହଇରାଣ ହେଉଛନ୍ତି । ପଞ୍ଚାୟତି ରାଜ ବ୍ୟବସ୍ଥାରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ସମ୍ପୂର୍ଣ୍ଣ ନଷ୍ଟ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଅପ୍ରାସଙ୍ଗିକ କରିବା ପାଇଁ ରାଜ୍ୟ ସରକାର ଅଫିସରମାନଙ୍କ ଆର୍ଥୀକ କ୍ଷମତା ବୃଦ୍ଧି ପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାକୁ ଦୃଢ ବିରୋଧ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଏତଦ୍ବ୍ୟତୀତ ଓଡିଆ ଅସ୍ମିତାର ପ୍ରତୀକ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାରେ ହୋଇଥିବା ବିଶୃଙ୍ଖଳା ଓ ଦଳାଚକଟା ଘଟଣାରେ ମଧ୍ୟ ସରକାରଙ୍କ ଜବାବ ଦାବୀ କରାଯିବ ବୋଲି ସେ କହିଥିଲେ ।

ଶ୍ରୀ ପଟ୍ଟନାୟକ କହିଥିଲେ ଯେ କେବଳ ମିଛ ପ୍ରଚାର ବ୍ୟତୀତ ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛି । ତେଣୁ ଚାଷୀ, ମହିଳା, ପଞ୍ଚାୟତି ରାଜ ବ୍ୟବସ୍ଥା ତଥା ଓଡିଆ ଅସ୍ମିତାର ସୁରକ୍ଷା ପାଇଁ ବିଜୁ ଜନତା ଦଳ ବିଧାନ ସଭାରେ କଠୋର ଆଭିମୁଖ୍ୟ ନେଇ କାମ କରିବ। ବିଧାୟକ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ବିରୋଧୀ ଦଳ ନେତାଙ୍କ ପରାମର୍ଶ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।