-ଶ୍ରମିକମାନେ ସେମାନଙ୍କ ହକ ପାଇଁ ସ୍ୱର ଉତ୍ତୋଳନ କରିବା କ୍ଷମତା ହରାଇବେ
-ସନ୍ଧ୍ୟା ପରେ ମହିଳାଙ୍କୁ କର୍ମସ୍ଥାନରେ ରଖିବା ସୃଷ୍ଟି କରିଛି ସୁରକ୍ଷା ସଂକ୍ରାନ୍ତ ପ୍ରଶ୍ନବାଚୀ
-ଅଧିକ କାମ କରିବାକୁ ବାଧ୍ୟ ହେବେ କିନ୍ତୁ ପାରିଶ୍ରମିକ ବଢିବ ନାହିଁ
ଭୁବନେଶ୍ୱର:29/9- ରାଜ୍ୟ କ୍ୟାବିନେଟ ଦ୍ୱାରା ଓଡିଶା ସପ ଏଣ୍ଡ କମରସିଆଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ୧୯୫୬ରେ ଅନୁମୋଦିତ ହୋଇଥିବା ଦୁଇଟି ସଂଶୋଧନ ଉପରେ ବିଜୁ ଜନତା ଦଳ ପ୍ରତିକ୍ରିୟା ଦେଇ ଏହା ରାଜ୍ୟର ଶ୍ରମିକମାନଙ୍କୁ ଅଧିକ ଶୋଷଣ କରିବାର ବାଟ ଖୋଲିଥିବା କହିଛି। ଶଙ୍ଖ ଭଵନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଟକ ମେୟର ସୁବାଷ ସିଂ କହିଛନ୍ତି ରାଜ୍ୟ ସରକାର ଏହି ନିଷ୍ପତ୍ତି ରାଜ୍ୟର ଶ୍ରମିକ ମାନଙ୍କ ଅଧିକାର ଉପରେ କୁଠାରଘାତ ସଦୃଶ୍ୟ।

୧୮୫୬ ମସିହାରେ ମେ ଡେରେ ଶ୍ରମିକ ମାନଙ୍କ ଅଧିକାରକୁ ସୁରକ୍ଷିତ କରିବା ପାଇଁ ତିଆରି ହୋଇଥିବା ଆଇନି ଶ୍ରମିକ ମାନଙ୍କ ପାଇଁ ଗୋଟିଏ ଦିନରେ ଆଠ ଘଣ୍ଟା କାର୍ଯ୍ୟ ସମୟ ନିର୍ଘଣ୍ଟ ହୋଇଥିଲା। ଆଜିର ଏହି ନିଷ୍ପତ୍ତି ବଳରେ ଶ୍ରମିକମାନେ ସେମାନଙ୍କ ସ୍ୱୀକୃତି ଅନୁଯାୟୀ ଆଠ ଘଣ୍ଟାରୁ ଅଧିକ କାର୍ଯ୍ୟ କରିବେ ଓ ସେଥିପାଇଁ ସେମାନେ ଓଭର ଟାଇମ ନିୟମ ଅନୁସାରେ ଅଧିକ ପାରିଶ୍ରମିକ ପାଇବେ। ସେହିପରି, ପୂର୍ବରୁ ସଂଧ୍ୟା ୬ଟା ପରେ ମହିଳା ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ନିୟମ ନ ଥିଲା। କିନ୍ତୁ, ଆଜିର ନିଷ୍ପତ୍ତି ଅନୁଯାୟୀ ମହିଳାମାନଙ୍କୁ ମଧ୍ୟ ସନ୍ଧ୍ୟା ପରେ ସେମାନଙ୍କ ସ୍ୱୀକୃତି ନେଇ କାମରେ ଲଗାଯାଇ ପାରିବ।
ପୂର୍ବରୁ ଓଭରଟାଇମ ନିୟମ ଥିଲେ ମଧ୍ୟ ଅଧିକାଂଶ ଜାଗାରେ ଅଧିକା ସମୟ କାମ କରାଯାଉଛି କିନ୍ତୁ ଓଭର ଟାଇମ ପାଇଁ ଅର୍ଥ ଦିଆଯାଉ ନାହିଁ। ସେହିପରି ଇପିଏଫ, ଇଏସଆଇ ନିୟମ ରହିଥିଲେ ମଧ୍ୟ ଅଧିକାଂଶ ମାଲିକ ଏହାକୁ ପାଳନ କରୁ ନାହାନ୍ତି। ଏହି ପରିପ୍ରେକ୍ଷୀରେ କାର୍ଯ୍ୟ ସମୟ ବୃଦ୍ଧି ହୋଇ ପାରିବ ବୋଲି ସରକାର ନିଷ୍ପତ୍ତି ନେବା ଦ୍ୱାରା ଶ୍ରମିକମାନେ ଅଧିକ କାର୍ଯ୍ୟ କରିବେ କିନ୍ତୁ ତା ପାଇଁ ପରିଶ୍ରମିକ ପାଇବେ ନାହିଁ। ତେଣୁ ସରକାରଙ୍କ ଏହି ନିଷ୍ପତ୍ତି ପାଇଁ ଶ୍ରମିକମାନଙ୍କୁ ମାଲିକ ମାନେ ଅଧିକ ଶୋଷଣ କରିବେ।
ସେହିପରି, ସନ୍ଧ୍ୟା ପରେ ମଧ୍ୟ ମହିଳାମାନେ କାର୍ଯ୍ୟରେ ନିୟୋଜିତ ହୋଇ ପାରିବେ ନେଇ ହୋଇଥିବା ନିଷ୍ପତ୍ତି ମଧ୍ୟ ଗ୍ରହଣୀୟ ନୁହେଁ। ବିଶେଷକରି ମହିଳାମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ ନ କରି ଏପରି ନିଷ୍ପତ୍ତି କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ। ସନ୍ଧ୍ୟା ପରେ କାର୍ଯ୍ୟସ୍ଥଳୀରେ ମହିଳାଙ୍କ ସୁରକ୍ଷା ଏକ ଗୁରୁତର ପ୍ରସଙ୍ଗ। ଏହା ବ୍ୟତୀତ ଏହି ନିଷ୍ପତ୍ତି ଯୋଗୁ ଶ୍ରମିକମାନେ ତାଙ୍କର ହକ ପାଇଁ ସ୍ୱର ଉତ୍ତୋଳନ କରିବା କ୍ଷମତା ମଧ୍ୟ ହରାଇବେ। ତେଣୁ ରାଜ୍ୟ ସରକାରଙ୍କ ଉଭୟ ନିଷ୍ପତ୍ତି ଶ୍ରମିକ ସମାଜକୁ ଏକ ଭୟଙ୍କର ସ୍ଥିତିରେ ପକାଇବାକୁ ଯାଉଥିବା ସେ କହିଛନ୍ତି।