ଦଳକୁ ଦୁର୍ବଳ କରିବା ପାଇଁ ଷଡଯନ୍ତ୍ର ଓ କର୍ମୀଙ୍କ ସହ ବିଶ୍ୱାସଘାତକତା କରିଛନ୍ତି:ବିଜେଡି
-ବିଜୁ ବାବୁଙ୍କ ସହ ପିତା ଯାହା କରିଥିଲେ ପୁଅ ଆଜି ସେହି ରାସ୍ତାରେ
-ପାଟକୁରାରେ ଚାଲିଥିଲା ବାପା ପୁଅ ଶାସନ
-ନିର୍ବାଚନମଣ୍ଡଳୀର ପୁରୁଖା ଦଳୀୟ କର୍ମୀଙ୍କୁ ସଂପୂର୍ଣ୍ଣ ଅଣଦେଖା କରୁଥିଲେ
ଭୁବନେଶ୍ୱର:୧୮/୧-ବିଜେଡିରୁ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ ନିଲମ୍ବିତ ହେବା ପରେ ରାଜନୈତିକ ଚର୍ଚ୍ଚା ବିଭିନ୍ନ ମୋଡ଼ ନେବାରେ ଲାଗିଛି। ସେମାନେ କିଭଳି ଦଳ ପ୍ରତି ବିଶ୍ୱାସଘାତକତା କରୁଥିଲେ, ଏବେ କେଉଁ ଦଳକୁ ଯିବେ ଆଦି ପ୍ରସଙ୍ଗ ସହ ରାଜ୍ୟସଭାରେ ଭୋଟ କେଉଁ ପ୍ରାର୍ଥୀଙ୍କୁ ଦେବେ ସେସବୁ ଚର୍ଚ୍ଚାକୁ ସରଗରମ କରିଛି। ଏଥିରେ ଅରବିନ୍ଦଙ୍କ ପିତା ବିଜୟ ମହାପାତ୍ରଙ୍କ ବିଜେଡ଼ି ବିରୋଧୀ କାର୍ଯ୍ୟରେ ସଂପୃକ୍ତି ଥିବା ମଧ୍ୟ ଅନେକ ଆକଳନ କରୁଛନ୍ତି। ଉଭୟ ନିଲମ୍ବିତ ବିଧାୟକ ସେମାନଙ୍କ ନିଲମ୍ବନକୁ ନେଇ ପ୍ରତିକ୍ରିୟା ରଖୁନାହାନ୍ତ। ବିଜେଡି ପକ୍ଷରୁ ପ୍ରତିଦିନ ସେମାନଙ୍କ କାର୍ଯ୍ୟକଳାପ ଉପରେ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି।

ବିଜେଡି ପକ୍ଷରୁ କୁହାଯାଇଛି, ସେମାନେ ବିଜୁ ଜନତା ଦଳକୁ ଦୁର୍ବଳ କରିବା ପାଇଁ ଷଡଯନ୍ତ୍ର କରିବା ଖୋଲଶଖୋଲି ଅଭିଯୋଗ କରାଯାଇଛି। କର୍ମୀଙ୍କ ପ୍ରତି ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର ବିଶ୍ୱାସଘାତକତା କରିଥିବା ଶଙ୍ଖ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ତଥା ପାଟକୁରାର ଯୁବ ସଂଗଠକ ଅମରେଶ ପତ୍ରୀ କହିଛନ୍ତ। ସେ ପ୍ରକାଶ କରିଛନ୍ତି ଯେ ଦଳକୁ ଦୁର୍ବଳ କରିବା ପାଇଁ ଷଡଯନ୍ତ୍ରର ଅଂଶ ଭାବେ ଉଭୟ ନିଲମ୍ବିତ ବିଧାୟକ କାର୍ଯ୍ୟକରି ଆସୁଥିଲେ।
ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦ୍ୱାରା ସୁଯୋଗ ପାଇ ବିଧାୟକ ହେବା ପରଠାରୁ ପାଟକୁରାର ଦଳୀୟ କର୍ମୀଙ୍କୁ ଅଣଦେଖା କରି ନିଜସ୍ୱ ସଂଗଠନ ଜରିଆରେ ଅରବିନ୍ଦ କାର୍ଯ୍ୟ କରିଆସୁଥିଲେ। ୨୫ ବର୍ଷ ଧରି ଯେଉଁ ଦଳୀୟ କର୍ମୀମାନେ ପାଟକୁରାରେ ବିଜେଡି ସଂଗଠନକୁ ସଶକ୍ତ କରି ରଖିଥିଲେ ସେହି ପୁରୁଖା ନେତା ଓ କର୍ମୀଙ୍କୁ ଜାଣିଶୁଣି ଉପେକ୍ଷା କରି ନିଜର ଚାଟୁକାରମାନଙ୍କୁ ପଞ୍ଚାୟତ ଦାୟିତ୍ୱ ଦେଇ ସେମାନଙ୍କ ଜରିଆରେ ବିଧାୟକ ପାଣ୍ଠି ବିନିଯୋଗ କରୁଥିଲେ। ଗତ ସାଧାରଣ ନିର୍ବାଚନରେ ଟିକେଟ ପାଇଲା ପରେ ଦଳର ସାଂସଦ ପ୍ରାର୍ଥୀଙ୍କୁ ଅସହଯୋଗ କରିଥିଲେ। ପାଟକୁରାରେ ବାପା ପୁଅ ଦଳ ଚାଲିଥିଲା। ବାପାଙ୍କ ଇସାରାରେ ସବୁ କାମ କରୁଥିଲେ ଅରବିନ୍ଦ। ଦଳ ବିରୋଧରେ କ’ଣ କ’ଣ ଷଡଯନ୍ତ୍ର କରିଥିଲେ, ତାହା ନିଜକୁ ନିଜେ ଅରବିନ୍ଦ ପଚାରନ୍ତୁ ବୋଲି ସେ କହିଛନ୍ତି ।

ଅତୀତରେ ସ୍ୱର୍ଗତ ବିଜୁ ବାବୁଙ୍କ ବିରୋଧରେ ଅରବିନ୍ଦ ମହାପାତ୍ରଙ୍କ ପିତା ଯେଭଳି ଷଡଯନ୍ତ୍ର କରିଥିଲେ, ଆଜି ନବୀନ ପଟ୍ଟନାୟକଙ୍କ ବିରୋଧରେ ସେହିଭଳି ବିଶ୍ୱାସଘାତକତା କରିବା ଯୋଜନାରେ ସାମିଲ ହୋଇ ବିଜେଡିକୁ ଦୁର୍ବଳ କରିବା ଅପଚେଷ୍ଟରେ ଲିପ୍ତ ଥିଲେ। ସଠିକ ସମୟରେ ଏହା ସଭାପତିଙ୍କ ଦୃଷ୍ଟିକୁ ଆସିବାରୁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି। କିଛି ମାସ ଧରି ଷଡଯନ୍ତ୍ରର ସୁରାକ ବିଜେଡି ସଭାପତି ପାଇଥିଲେ ମଧ୍ୟ ତ୍ରୁଟି ସୁଧାରିବା ପାଇଁ ଉଭୟଙ୍କୁ ସୁଯୋଗ ଦେଇଥିଲେ। କିନ୍ତୁ ସୁଧୁରିବା ବଦଳରେ ଉଭୟ ଅରବିନ୍ଦ ଓ ସନାତନ ଦଳ ବିରୋଧୀ କାର୍ଯ୍ୟ ଜାରି ରଖିଥିଲେ।
ସେହିପରି ଦଳର ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଛନ୍ତି ଯେ, ଗତ ତିନି ଦଶନ୍ଧି ମଧ୍ୟରେ ନବୀନ ପଟ୍ଟନାୟକ ଅନେକ ଯୁବ ପ୍ରତିଭାଙ୍କୁ ସେବା ମନୋବୃତ୍ତି ରଖି ସାଧାରଣ ଜୀବନରେ ପ୍ରତିଷ୍ଠିତ ହେବା ପାଇଁ ସୁଯୋଗ ଦେଇଛନ୍ତି। ସେହି କ୍ରମରେ ଅରବିନ୍ଦଙ୍କୁ ପାଟକୁରାରୁ ବିଧାନସଭାର ପ୍ରତିନିଧିତ୍ୱ କରିବାକୁ ସୁଯୋଗ ଦେଇଥିଲେ। ଏହି ସୁଯୋଗର ଉପଯୁକ୍ତ ବହାର କରି ଲୋକଙ୍କ ସେବା କରିବା ପରିବର୍ତ୍ତେ ଏଭଳି ବିଶୃଙ୍ଖଳିତ ଆଚରଣ ଦୁର୍ଭାଗ୍ୟଜନକ। ଶୃଙ୍ଖଳିତ ଆଚରଣ ପାଇଁ ସାରା ଦେଶରେ ବିଜେଡି ଓ ନବୀନ ବାବୁଙ୍କ ନେତୃତ୍ୱ ବେଶ ପରିଚିତ । ବିଜୁ ଜନତା ଦଳରେ ବିଶୃଙ୍ଖଳାର ସ୍ଥାନ ନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଅନ୍ୟପକ୍ଷରେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ପରାମର୍ଶରେ ଅରବିନ୍ଦଙ୍କୁ ନିଲମ୍ବିତ କରାଯାଇଥିବା ଅନେକ କହୁଛନ୍ତି।