ପିସିସି ପକ୍ଷରୁ ବିଜେପି ରାଜ୍ୟ କାର୍ଯ୍ୟାଳୟ ଘେରାଉ
ଭୁବନେଶ୍ୱର:୧୭/୧୨-କେନ୍ଦ୍ରରେ ଶାସନ କରୁଥିବା ବିଜେପି ସରକାର କ୍ରମାଗତ ଭାବରେ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକର ଦୁରୁପଯୋଗ କରୁଛି। ମିଥ୍ୟା ମାମଲାରେ କଂଗ୍ରେସର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ସର୍ବମାନ୍ୟ ନେତା ରାହୁଲ ଗାନ୍ଧୀଙ୍କୁ ନ୍ୟାସନାଲ ହେରାଲ୍ଡ କେସରେ ଫସାଇ ଦୀର୍ଘବର୍ଷ ଧରି ହଇରାଣ ହରକତ କରିଥିଲା। ସୁପ୍ରିମକୋର୍ଟ ନ୍ୟାସନାଲ ହେରାଲ୍ଡ ମାମଲାରେ ଶ୍ରୀମତୀ ଗାନ୍ଧୀ ଓ ଶ୍ରୀ ଗାନ୍ଧୀଙ୍କୁ ସଂପୂର୍ଣ୍ଣ ଦୋଷମୁକ୍ତ କରିଛି। ଫଳରେ ବୁଧବାର କଂଗ୍ରେସ ଏକ ମସ୍ତବଡ଼ ନୈତିକ ବିଜୟ ପାଇଛି। ଏହା ସହିତ ବିଜେପିର ପ୍ରତିହିଂସା ପରାୟଣ ରାଜନୀତି ଦେଶ ଆଗରେ ଉଜାଗର ହୋଇଛି।

ପୁଣି ସରକାର ମହାତ୍ମା ଗାନ୍ଧୀ କର୍ମନିଯୁକ୍ତି ଯୋଜନାର ନାମ ପରିବର୍ତ୍ତନ କରୁଛି। ଯାହା ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ତାଙ୍କ ଆଦର୍ଶରେ ଅନୁପ୍ରାଣିତ କୋଟି କୋଟି ଭାରତୀୟଙ୍କ ମନରେ ଆଘାତ ଦେଇଛି। ତେଣୁ ବିଜେପି ସରକାରର ସମ୍ବିଧାନ ଓ ଗଣତନ୍ତ୍ର ବିରୋଧି କାର୍ଯ୍ୟକଳାପ ବିରୋଧରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା କଂଗ୍ରେସ ଭବନ ଠାରୁ ବାହାରି ବିଜେପି ରାଜ୍ୟ ମୁଖ୍ୟାଳୟ ପର୍ଯ୍ୟନ୍ତ ଯାଇ ଘେରାଉ କରିଥିଲା।

ଇତିମଧ୍ୟରେ ଏଆଇସିସି ପକ୍ଷରୁ ସମସ୍ତ ଜିଲ୍ଲାଗୁଡ଼ିକ ପାଇଁ ପରବର୍ତ୍ତୀ ୧୦ ଦିନର କାର୍ଯ୍ୟସୂଚୀ ଘୋଷିତ ହୋଇଛି। ‘ନ୍ୟାସନାଲ ହେରାଲ୍ଡ ମିଛ ମାମଲାରେ କଂଗ୍ରେସର ନୈତିକ ବିଜୟ’ ପରିପ୍ରେକ୍ଷୀରେ ସମସ୍ତ ସାଂଗଠନିକ ଜିଲ୍ଲା ମୁଖ୍ୟାଳୟରେ ବିଜେପି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ସେହିପରି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ନାମକରଣ ବଦଳାଇବା, ଯୋଜନାର ରୂପରେଖ ବିକୃତ କରିବା ବିରୋଧରେ ସମସ୍ତ ସାଂଗଠନିକ ଜିଲ୍ଲା ମୁଖ୍ୟାଳୟରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଆଗରେ ଆସନ୍ତା ୨୨ ତାରିଖ ସୋମବାର ଧାରଣା ଦିଆଯିବା ସହ ବିଜେପି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ହେବ। ଧାରଣାସ୍ଥଳରୁ ଜିଲ୍ଲା କଂଗ୍ରେସ ସଭାପତି ନେତୃବୃନ୍ଦ ଓ କର୍ମୀମାନଙ୍କ ସହ ଏକ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିବେ। ୨୮ ତାରିଖ ରବିବାର ହେଉଛି ଭାରତୀୟ ଜାତୀୟ କଂଗ୍ରେସର ପ୍ରତିଷ୍ଠା ଦିବସ। ଏହି ଅବସରରେ ସମସ୍ତ ଜିଲ୍ଳା, ବ୍ଲକ, ପଞ୍ଚାୟତ, ଏପରିକି ଗ୍ରାମାଞ୍ଚଳ ସ୍ତରରେ ଏହି ପ୍ରତିଷ୍ଠା ଦିବସ ପାଳନ କରାଯିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି।