ଭୁବନେଶ୍ୱର:୨/୧୨- କିଟ୍ ଓ କିସ୍ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ‘ମୋ ମାଆ ମୋ ପ୍ରେରଣା’ ପୁସ୍ତକ ଡିସେମ୍ବର ୧ ତାରିଖରେ ଉନ୍ମୋଚିତ ହୋଇଯାଇଛି। ଏହି ଉପଲକ୍ଷେ ମେ ଫେୟାର ହୋଟେଲରେ ଆୟୋଜିତ ପୁସ୍ତକର ଲୋକାର୍ପଣ ଉତ୍ସବରେ ଓଡ଼ିଶାର ପୂବର୍ତନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକକୁ ଉନ୍ମୋଚନ କରିଥିଲେ। ଏହି ଉତ୍ସବରେ ତାଙ୍କର ଅନ୍ୟ ପାଞ୍ଚଟି ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।

ଡ. ସାମନ୍ତଙ୍କ ମା’ଙ୍କୁ ପ୍ରଶଂସା କରି ପ୍ରଫେସର ଗଣେଶୀ ଲାଲ କହିଥିଲେ ଯେ ଅଚ୍ୟୁତଙ୍କ ମାଆ ଗଭୀର ତ୍ୟାଗ କରିଥିଲେ ଏବଂ ଦେବକୀଙ୍କ ପରି ଜଣେ ମା’ ଭାବରେ ସେ ଆଉଜଣେ କୃଷ୍ଣଙ୍କୁ ଆଣିଥିଲେ। ଉତ୍ସବରେ ଭାଷଣ ଦେଇ ଡ. ସାମନ୍ତ ଅତୀତର ଭାବପ୍ରବଣ ସମୟ ସମ୍ପର୍କରେ ସୂଚନା ଦେଇଥିଲେ। ଡ. ସାମନ୍ତ କହିଥିଲେ, ମୁଁ ଲୋକଙ୍କ ପ୍ରେମ ଏବଂ ସ୍ନେହ ପାଇଁ କଠିନ ପରିଶ୍ରମ କରେ। ମୋ ମାଆ ମୋତେ ସବୁବେଳେ ଶିଖାଇଥିଲେ ଯେ ଯଦି ମୁଁ କୌଣସି ଭୁଲ କରିନାହିଁ ତେବେ କାହାକୁ ଭୟ କରିବା ଉଚିତ ନୁହେଁ। କିଟ୍ ଓ କିସ୍ ହେଉଛି ଓଡ଼ିଶାର ସମ୍ପତ୍ତି ଏବଂ ସେ ହେଉଛନ୍ତି ଏହି ଅନୁଷ୍ଠାନର ରକ୍ଷକ ବୋଲି ସେ କହିଥିଲେ ।
ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ପ୍ରଫେସର ଶଶାଙ୍କ ଚୂଡାମଣି। ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ରକ୍ଷକ ନାୟକ ପୁସ୍ତକଟି ସମ୍ପର୍କରେ ତଥ୍ୟ ଅବତାରଣ କରି ଏହା ‘ସାହସ ଏବଂ ପ୍ରେରଣାର କାହାଣୀରେ ପରିପୂର୍ଣ୍ଣ ଏବଂ ଭଲ ଓ କଷ୍ଟକର ସମୟର ମିଶ୍ରଣ’ ବୋଲି କହିଥିଲେ । ଶିକ୍ଷାବିତ ପ୍ରଫେସର ହରେକୃଷ୍ଣ ଶତପଥୀ ପୁସ୍ତକଟିର ସମୀକ୍ଷା କରିଥିଲେ। ସାମ୍ବାଦିକ ଓ ସମ୍ଭକାର ଉମାପଦ ବୋଷ ପୁସ୍ତକ ବିଷୟରେ ସୂଚନା ଦେଇଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ପ୍ରକାଶକ ଜୀବାନନ୍ଦ ମିଶ୍ର।