ଭୁବନେଶ୍ୱର :୨୭ ଅଗଷ୍ଟ- ନୂଆଁଖାଇ ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ରବି ୨୦୨୫-୨୬ ପାଇଁ ସି ଏମ୍ କିଷାନ ସହାୟତା ରାଶି ପ୍ରଦାନର ରାଜ୍ୟସ୍ତରୀୟ ଉତ୍ସବ ଓୟୁଏଟିରେ ଆୟୋଜିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସି ଏମ୍ କିଷାନ ସହାୟତାର ତୃତୀୟ କିସ୍ତିରେ ୫୧ ଲକ୍ଷ ୫୪ ହଜାର ୧୧୫ ଜଣ କ୍ଷୁଦ୍ର, ନାମମାତ୍ର ଚାଷୀ, ଭୂମିହୀନ କୃଷକ ପରିବାର, ଅନୁକୂତ ଜନଜାତି ସମୂହ ଓ ସହରାଞ୍ଚଳର କୃଷକଙ୍କୁ ଡି.ବି.ଟି ମାଧ୍ୟମରେ ମୋଟ ୧୦୪୧ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵଦ୍ୟାଳୟରେ ପ୍ରାୟ ୫୯ କୋଟି ଟଙ୍କା ବ୍ୟୟରେ ଏକ ‘କୃଷକ ଭବନ’ ଏବଂ କୃଷି ଶିକ୍ଷା ସଦନର ଏକ ‘ଅଭ୍ୟର୍ଥନା ଗୃହ’ ମଧ୍ୟ ଉଦଘାଟନ କରିଛନ୍ତି ଏବଂ କୃଷକ ପଞ୍ଜିକରଣ ଅବଧି ବୃଦ୍ଧି କରିବା ପାଇଁ ଖୁବ ଶୀଘ୍ର ଘୋଷଣା ହେବ ବୋଲି କହିଛନ୍ତି।

କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ସରକାର ଆସିବା ମାତ୍ରେ ଚାଷୀ ମାନଙ୍କ ପ୍ରସଙ୍ଗକୁ ବିଚାରକୁ ନେଇଥିଲେ। ତେଣୁ ତୁରନ୍ତ ପ୍ରଥମ କ୍ୟାବିନେଟରେ ନିର୍ବାଚନ ପ୍ରତିଶୃତି ମୁତବକ ସମୃଦ୍ଧ କୃଷକ ଯୋଜନାକୁ ଅନୁମୋଦନ ଦେଇଥିଲେ। ଏଣୁ ଚାଷୀଙ୍କୁ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ କରଯାଇଥିଲା ଏବଂ ରେକର୍ଡ ୯୨ ଲକ୍ଷ ୬୩ ହଜାର ମେଟ୍ରିକ ଟନ ଧାନ ସଂଗ୍ରହ କରିଥିଲା। ଆଉ ଆଜି ରାଜ୍ୟର ୫୧ ଲକ୍ଷରୁ ଅଧିକ କ୍ଷୁଦ୍ର-ନାମମାତ୍ର ଚାଷୀ ଏବଂ ୩୯,୨୩୯ ଭୂମିହୀନ କୃଷି ପରିବାରଙ୍କୁ ସି.ଏମ୍–କିଷାନ୍ ଯୋଜନାର ତୃତୀୟ କିସ୍ତି ଭାବରେ ୧୦୪୧ କୋଟି ଟଙ୍କା ଡି.ବି.ଟି. ମାଧ୍ୟମରେ ପ୍ରଦାନ କରାଗଲା । କେବଳ ଏହି ଗୋଟିଏ ପଦକ୍ଷେପରୁ ପଞ୍ଜୀକୃତ ଚାଷୀଙ୍କ ବାର୍ଷିକ ଆୟରେ ଅତି କମରେ ୩୮ ହଜାର ଟଙ୍କା ଯୋଡି ହୋଇଛି। ସୁଭଦ୍ରା ଯୋଜନାର ଦଶ ହଜାର ଏବଂ ପିଏମ ଓ ସିଏମ କିଶାନର ୧୦ ହଜାର ଟଙ୍କାକୁ ଯୋଡିବେ ତେବେ ସେମାନଙ୍କ ବାର୍ଷିକ ଆୟ ଅତି କମରେ ୫୮ ହଜାର ଟଙ୍କା ବୃଦ୍ଧି ପାଇଛି।
ପ୍ରତି ଫସଲ ଋତୁ ପାଇଁ କ୍ଷୁଦ୍ର ଓ ନାମମାତ୍ର କୃଷକଙ୍କୁ ୨୦୦୦ ଟଙ୍କା ହିସାବରେ (ବାର୍ଷିକ ୪୦୦୦ ଟଙ୍କା) ପ୍ରଦାନ କରାଯାଇଥାଏ । ଏହି ସହାୟତା ରାଶି କୃଷକମାନେ ଆବଶ୍ୟକୀୟ କୃଷି ସାମଗ୍ରୀ କ୍ରୟ କରିବାରେ ବ୍ୟବହାର କରିଥାନ୍ତି। ଭୂମିହୀନ କୃଷି ପରିବାରକୁ ଛେଳି, କୁକୁଡ଼ା, ବତକ ପାଳନ ତଥା ଛତୁ/ ମହୁଚାଷ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ କୃଷି କାର୍ଯ୍ୟ ନିମନ୍ତେ ତିନୋଟି କିସ୍ତିରେ ୧୨୫୦୦ ଟଙ୍କା ପ୍ରଦାନ କରାଯାଇଥାଏ । ଏହା ଅତ୍ୟନ୍ତ ଖୁସିର ବିଷୟ ଯେ ଚଳିତ ବର୍ଷ କୃଷକ ସମୃଦ୍ଧି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧୮ ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିସାରିଛନ୍ତି। ଯେମତି ଜଣେ ହେଲେ ଚାଷୀ ଯେମତି ଏଥିରୁ ବଞ୍ଚିତ ନ ହୁଅନ୍ତି, ମୁଁ ବ୍ୟକ୍ତିଗତ ଭାବେ ଧ୍ୟାନ ରଖିବି। କାରଣ, ବିନା ଅନ୍ନଦାତାଙ୍କ ଉନ୍ନତିରେ ରାଜ୍ୟର ପ୍ରଗତି ଅସମ୍ଭବ ବୋଲି ସେ କହିଛନ୍ତି ।