ଭୁବନେଶ୍ୱର:୨୫/୧୨-ଓଡ଼ିଶାର ବରପୁତ୍ର ତଥା ସ୍ୱାଧୀନତା ସେନାନୀଙ୍କ ସ୍ମୃତି ଉଜ୍ଜୀବିତ କରି ରଖିବା ପାଇଁ ସରକାର ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା ଆରମ୍ଭ କରିବେ। ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନାରେ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ସଂଶୋଧିତ ନିର୍ଦେଶନାମା ଜାରି କରାଯାଇଛି। ଏହି ପ୍ରସ୍ତାବ ଅନୁସାରେ ବରପୁତ୍ରମାନଙ୍କ ବାସଗୃହକୁ ସଂଗ୍ରହାଳୟ ଭାବେ ବିକାଶ କରାଯିବ। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ସମେତ ୭ଟି ବିଭାଗର ୧୦ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ପ୍ରଥମ ପର୍ଯ୍ୟାୟରେ ୨୫ଜଣ ବରପୁତ୍ରଙ୍କ ନାମ ଚୂଡ଼ାନ୍ତ ହୋଇଛି।

ଏହାବ୍ୟତିତ ପଞ୍ଚାୟତରାଜ ବିଭାଗ ପକ୍ଷରୁ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପରେ ସ୍ୱଚ୍ଛତା ଓ ଉତ୍ତର ଦାୟିତ୍ୱ ନିଶ୍ଚିତ କରାଯିବାକୁ ନିଷ୍ପତ୍ତି ହୋଇଛି। ପ୍ରକଳ୍ପ କାର୍ଯ୍ୟକାରୀ ହେବାର ତିନିବର୍ଷ ପର୍ଯ୍ୟନ୍ତ ସମସ୍ତ ପ୍ରକାର ତ୍ରୁଟି ପାଇଁ ସଂପୃକ୍ତ ସଂସ୍ଥା ଦାୟୀ ରହିବ। ସେହିପରି ପାର୍ବତୀ ଗିରି ବୃହତ ଉଠା ସେଚ ପ୍ରକଳ୍ପର ପାଇଁ ୧୬୭.୩୩ କୋଟି ଟଙ୍କା ବ୍ୟୟ ଅଟ୍ଟକଳକୁ ଅନୁମୋଦନ ମିଳିଛି। କଳାହାଣ୍ଡି ଜିଲାର ସାନ୍ଦୁଲ ବ୍ୟାରେଜ ପ୍ରକଳ୍ପରୁ ଚାଷ ଜମିକୁ ଜଳଯୋଗାଣ ପାଇଁ ଭୂତଳ ପାଇପ ଲାଇନ ବାବଦରେ ୧୫୪କୋଟି ୭୩ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଉଚ୍ଚଶିକ୍ଷା ବିଭାଗର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପାଇଁ ସଂରକ୍ଷଣ ନୀତି ପ୍ରଚଳନକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଏହାବ୍ୟତୀତ ଉତ୍କର୍ଷ ଆଇଟିଆଇ ଯୋଜନାରେ ପୁରୀ, ବଲାଙ୍ଗୀର, ଆମ୍ବାଗୁଡ଼ା, ରାଜକନିକା ଓ ରାଉରକେଲାର ସରକାରୀ ଆଇଟିଆଇକୁ ଜୋନାଲ ଆଇଟିଆଇ ଭାବେ ଉନ୍ନିତ କରିବା ପ୍ରସ୍ତାବରେ କ୍ୟାବିନେଟ ମୋହର ଲାଗିଛି।