ଭୁବନେଶ୍ୱର : 18/2- ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲାଞ୍ଚ କାରବାର ମାମଲାରେ ଆଇଏଏସ୍ ଅଫିସର ବିଷ୍ଣୁପଦ ସେଠୀଙ୍କ ସରକାରୀ ବାସଭବନରେ ସିବିଆଇ ରେଡ କରିଛି। ଦିଲ୍ଲୀ ସିବିଆଇର ଏକ ୮ ଜଣିଆ ଟିମ୍ ସକାଳୁ ବିଷ୍ଣୁ ସେଠୀଙ୍କ ଘରେ ପଶିଥିଲେ।ମହିଳା ଅଧିକାରୀଙ୍କ ବିନା ଉପସ୍ଥିତିରେ ସିବିଆଇ ତାଙ୍କ ଘରେ ପଶିବାକୁ ବିରୋଧ କରିବାରୁ ବିଷ୍ଣୁ ସେଠୀଙ୍କ ସହ ସିବିଆଇ ଟିମ୍ ର ମୁହାଁମୁହିଁ ହୋଇଥିଲା।

ଟିମରେ ଥିବା ଦୁଇଜଣ ଇନସପେକ୍ଟର ଶ୍ରୀ ସେଠୀଙ୍କୁ ଦୁର୍ବ୍ୟବହାର କରିବାକୁ ପଛେଇ ନଥିଲେ। ସେଠାରେ ଖବର ସଂଗ୍ରହ କରୁଥିବା ସାମ୍ବାଦିକମାନଙ୍କୁ ମଧ୍ୟ ସେମାନେ ଛାଡ଼ି ନ ଥିଲେ। ଏହାକୁ ନେଇ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ତାଙ୍କ ବିରୋଧରେ ବିନା ଏତଲାରେ ଏବଂ ଘରେ ପତ୍ନୀ ଏବଂ ଝିଅ ଥିବାବେଳେ ବିନା ମହିଳା ଅଧିକାରୀଙ୍କ ଉପସ୍ଥିତିରେ ସିବିଆଇ ଟିମ୍ ଘରେ ପଶିବାକୁ ଶ୍ରୀ ସେଠୀ ବିରୋଧ କରିଥିଲେ। ପତ୍ନୀ ଏବଂ ଝିଅଙ୍କୁ ଧରି ବାହାରକୁ ପଳାଇ ଆସିଥିଲେ। ସେଠାରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ମୁହଁ ଖୋଲି ନିଜକୁ ନିର୍ଦୋଷୀ ଦାବି କରିବା ସହ ତାଙ୍କ ଘରେ ସିବିଆଇର ଅବୈଧ ପ୍ରବେଶକୁ ବିରୋଧ କରିଥିଲେ।