ବିକଶିତ ଭାରତ ଯୁବ ନେତୃତ୍ୱ କାର୍ଯ୍ୟକ୍ରମର ଓଡ଼ିଆ ଅଂଶଗ୍ରହଣକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନା
ଭୁବନେଶ୍ୱର:14/1 ଓଡ଼ିଆ ପିଲାମାନେ ଚାହିଁଲେ ସବୁ ସମ୍ଭବ ହୋଇପାରିବ। ଓଡିଆ ଲୋକଙ୍କୁ ଯେବେ ଯେବେ ସୁଯୋଗ ମିଳିଛି ସେବେ ସେ ନିଜର ଦକ୍ଷତା ଓ ପରାକାଷ୍ଠାର ପ୍ରମାଣ ଦେଖାଇଛନ୍ତି ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ବିକଶିତ ଭାରତ ଯୁବ ନେତୃତ୍ୱ କାର୍ଯ୍ୟକ୍ରମ-୨୦୨୫ରେ ଅଂଶଗ୍ରହଣ କରିଥିବା ଓଡ଼ିଆ ଯୁବକଙ୍କ ସହ ଆଲୋଚନା କରିବା ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ ‘ମକର ସଂକ୍ରାନ୍ତି’ର ଶୁଭେଚ୍ଛା ଜଣାଇବା ସହ କହିଥିଲେ ଯେ “ବିକଶିତ ଭାରତ ଯୁବ ନେତୃତ୍ୱ ସାକ୍ଷାତକାର -୨୦୨୫”ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଓଡ଼ିଶାର ଯେଉଁମାନେ ଅଂଶଗ୍ରହଣ କରିଥିଲେ, ସେହି ସଫଳ ଯୁବବନ୍ଧୁମାନଙ୍କ ସହ ଆଜିର ଆଲୋଚନା ଉତ୍ସାହଜନକ। ଓଡ଼ିଶାକୁ ବିକଶିତ କରିବା ପାଇଁ ସମସ୍ତ ଯୁବଶକ୍ତିଙ୍କ ମଧ୍ୟରେ ଥିବା ଇଚ୍ଛାଶକ୍ତି ଓ ଏକାଗ୍ରତା ପ୍ରଶଂସନୀୟ। ଓଡ଼ିଆ ଯୁବପିଢି ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର କୁଶଳ ବିନ୍ଧାଣୀ। ସବୁ ଯୁବବର୍ଗଙ୍କ ମଧ୍ୟରେ କୌଣସି ନା କୌଣସି ପ୍ରତିଭା ଲୁଚି ରହିଛି। ଏହି ପ୍ରତିଭାକୁ ଅନ୍ୱେଷଣ କରିପାରିଲେ ହିଁ ଆମର ଅନେକ ଲକ୍ଷ୍ୟ ସାକାର ହୋଇପାରିବ।

ସେ କହିଛନ୍ତି, ଆତ୍ମବିଶ୍ଵାସ ହିଁ ମଣିଷକୁ ବଡ କରିବ। ଅତୀତ ପିଢିରୁ ବର୍ତ୍ତମାନର ପିଢି ବହୁତ ବଡ ବଡ ଚିନ୍ତା କରୁଛି। ଆମ କାନ୍ଧରେ ବର୍ତ୍ତମାନ ବିକଶିତ ଓଡ଼ିଶା, ବିକଶିତ ଭାରତର ଦାୟିତ୍ୱ ଅଛି। ଏଥିପାଇଁ ଆମକୁ କଣ୍ଟେଣ୍ଟ ରାଇଟରରୁ ଓ୍ୱେଲଥ କ୍ରିଏସନ କରିବା ପାଇଁ ମଧ୍ୟ ଆଗଭର ହେବାକୁ ପଡିବ। ନିର୍ଭରତାରୁ ଆତ୍ମନିର୍ଭରତା, ସ୍ୱାଭିମାନ ଓ ଆତ୍ମବିଶ୍ୱାସ ମାଧ୍ୟମରେ ସ୍ୱାବଲମ୍ବୀ ହେବାକୁ ପଡିବ। ନିଯୁକ୍ତି ଖୋଜିବା ପରିବର୍ତ୍ତେ ନିଯୁକ୍ତିଦାତା ହେବା ପାଇଁ କାମ କରିବାକୁ ହେବ।
୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ। ୨୦୪୭ରେ ଦେଶ ସ୍ୱାଧୀନତାର ଶତବାର୍ଷିକୀ ପୂରଣ କରିବ। ଏହି ସମୟରେ ଆମର ଦାୟିତ୍ୱ କ’ଣ ରହିବା ଦରକାର, ଏହା ବୁଝିବାକୁ ହେବ। ପଞ୍ଚାୟତରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଯୁବ ସମ୍ମିଳନୀ ମାଧ୍ୟରେ ନିଜ ଭାବଧାରର ଆଦାନପ୍ରଦାନ କରିବାକୁ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମାଜରେ ଏକ ସୁବ୍ୟବସ୍ଥିତ ଜୀବନଶୈଳୀ ତିଆରି କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶାକୁ କିପରି ଆମେ ଆଗାମୀ ୨୨ ବର୍ଷ ଭିତରେ ଗ୍ଲୋବାଲ ହାପେନିଂ ପଏଣ୍ଟ ବନାଇବା ପାଇଁ କାମ କରିବା, ତାହା ଆମର ଲକ୍ଷ୍ୟ ହେଉ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ୨୦୩୬ ସୁଦ୍ଧା ଓଡ଼ିଶାକୁ ଉତ୍କର୍ଷତାର ଶିଖରରେ ପହଞ୍ଚାଇବା ପାଇଁ ଆମ ସମସ୍ତଙ୍କ ଉଦ୍ୟମ ରହୁ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଥିଲେ।