ଭୁବନେଶ୍ବର:୧୯ ଅଗଷ୍ଟ ୨୦୨୫- ଡାକ୍ତରୀ ପାଠ ପଢିବେ ଦିଦାୟୀ ଜନଜାତି ସମ୍ପ୍ରଦାୟର ଝିଅ । ବିଶେଷ ଭାବେ ଅନୁନ୍ନତ ଜନଜାତି ସମ୍ପ୍ରଦାୟ ବା ପିଭିଟିଜି ଶ୍ରେଣୀଭୃକ୍ତ ଦିଦାୟୀ ଜନଜାତିର ପ୍ରଥମ ଡାକ୍ତରୀ ଛାତ୍ରୀ ଭାବେ ମାଲକାନଗିରି ଝିଅ ଚମ୍ପା ରାସପେଦା ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍- ୨୦୨୫ ରେ କୃତକାର୍ଯ୍ୟ ହେଲା ପରେ ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ପାଠ ପଢିବେ। ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକର ଆମ୍ଲିବେଡ଼ା ଗ୍ରାମର ଲଚମୁ ରାସପେଦାଙ୍କ ଝିଅ ଚମ୍ପା ରାସପେଦା ପ୍ରଥମ ଦିଦାୟୀ ସମ୍ପ୍ରଦାୟ ଡାକ୍ତର ଭାବେ ନାମ ଅର୍ଜନ କରିଛନ୍ତି ।

ଏକ ସାଧାରଣ ଚାଷୀ ପରିବାରର ଚମ୍ପା ଦେଖାଇପାରିଛନ୍ତି ଯେ ଦୃଢ଼ ନିଷ୍ଠା ବଳରେ କୌଣସି ବି ପ୍ରତିକୂଳ ପରିସ୍ଥିତିକୁ ଦୂର କରାଯାଇପାରିବ। ତାଙ୍କ ପିତା ଜଣେ ନାମମାତ୍ର ଚାଷୀ ଓ ମାଆ ଜଣେ ଗୃହିଣୀ । ସେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧୀନରେ ଥିବା ପିଭିଟିଜି ବାଳିକା ଶିକ୍ଷା ବିଦ୍ୟାଳୟ, ନନ୍ଦିନୀଗୁଡ଼ା(ଖଇରପୁଟ ବ୍ଲକ) ରେ ତାଙ୍କର ପ୍ରାରମ୍ଭିକ ଶିକ୍ଷା ଆରମ୍ଭ କରିଥିଲେ । ପରେ ସେ ଚିତ୍ରକୋଣ୍ଡାର ଏସଏସଡ଼ି ବାଳିକା ଉଚ୍ଚ ବିଦ୍ୟାଳୟରେ ତାଙ୍କର ପାଠପଢ଼ା ଜାରି ରଖିଥିଲେ ଏବଂ ୨୦୧୯ ରେ ମାଟ୍ରିକ ପାସ୍ କରିଥିଲେ । ୨୦୨୧ ରେ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗୋବିନ୍ଦପାଲିରୁ ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ କରିବା ପରେ, ଆର୍ଥିକ ଅସୁବିଧା କାରଣରୁ ପଢା ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ । ତଥାପି ତାଙ୍କର ଦୃଢ ଇଚ୍ଛାଶକ୍ତି ବଳରେ ଡାକ୍ତର ହେବାର ସ୍ୱପ୍ନକୁ ସେ ମଳିନ ହେବାକୁ ଦେଇନଥିଲେ। ତାଙ୍କର ପୂର୍ବତନ ବିଜ୍ଞାନ ଶିକ୍ଷକ ଉତ୍କଳ କେଶରୀ ଦାଶଙ୍କ ମାର୍ଗଦର୍ଶନରେ ଚମ୍ପା ବାଲେଶ୍ୱରରେ ଡାକ୍ତରୀ କୋଚିଂ ନେଇଥିଲେ ।
ଓଡ଼ିଶାରେ ଜନଜାତି ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଗତ ସଫଳତାରେ ନିରନ୍ତର ବୃଦ୍ଧି ଘଟିଛି, ବିଶେଷକରି ମେଡିକାଲ୍ କ୍ଷେତ୍ରରେ ସେମାନଙ୍କ କୃତୀତ୍ବ ପରିଲକ୍ଷିତ ହେଉଛି । ଗତ କିଛି ବର୍ଷ ମଧ୍ୟରେ, ବିଭିନ୍ନ ସମ୍ପ୍ରଦାୟର ଅନେକ ଜନଜାତି ଛାତ୍ରଛାତ୍ରୀ ନିଟ୍ ପାସ୍ କରିଛନ୍ତି ଏବଂ ସରକାରୀ ମେଡିକାଲ କଲେଜରେ ଡାକ୍ତରୀ ସିଟ୍ ହାସଲ କରିଛନ୍ତି । ଦିଦାୟୀ ଜନଜାତି ଓଡ଼ିଶାର ୧୩ ଟି ବିଶେଷ ଭାବେ ଅନୁନ୍ନତ ଜନଜାତି ସମ୍ପ୍ରଦାୟ ମଧ୍ୟରୁ ଗୋଟିଏ। ମାଲକାନଗିରି ଜିଲ୍ଲାର ଦୁର୍ଗମ ଜଙ୍ଗଲ ଅଞ୍ଚଳ ବିଶେଷକରି କୁଡୁମୁଲୁଗୁମ୍ମା ଏବଂ ଖଇରପୁଟ ବ୍ଲକରେ ଏମାନେ ବାସ କରନ୍ତି । ପାରମ୍ପାରିକ ଭାବରେ କୃଷି, ଜଙ୍ଗଲ ସଂଗ୍ରହ ଏବଂ କ୍ଷୁଦ୍ର ଚାଷ ଉପରେ ନିର୍ଭରଶୀଳ, ଏହି ସମ୍ପ୍ରଦାୟର ଜଣେ ଛାତ୍ରୀ ସମସ୍ତ ପ୍ରତିବନ୍ଧକ ଭାଙ୍ଗି ଡାକ୍ତରୀ ବୃତ୍ତିରେ ପ୍ରବେଶ କରିବା ସଶକ୍ତିକରଣ ଓ ସାମାଜିକ ପରିବର୍ତ୍ତନ ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ। ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜ ଏକ୍ସ ଆକାଉଣ୍ଟରେ ଛାତ୍ରୀଙ୍କ ସଫଳତା ନେଇ ଖୁସି ବ୍ୟକ୍ତ କରିଛନ୍ତି।