ଭୁବନେଶ୍ୱର: ୩୧ ଅକ୍ଟୋବର ୨୦୨୪
ଭୁବନେଶ୍ବରର ଏକ ନମ୍ବର ହାଟ ପାଖରେ ଥିବା ଫୁଟପାଥରେ ଅନେକ ଦୋକାନୀ ସେମାନଙ୍କ ଜିନିଷ ବିକନ୍ତି। ପୂଜା ପାର୍ବଣରେ ସମସ୍ତ ପ୍ରକାରର ପୂଜା ସାମଗ୍ରୀ ବିକ୍ରି ହୁଏ। ଆଜି ସେହି ଦୋକାନୀମାନଙ୍କ ପାଇଁ ଥିଲା ଏକ ଆନନ୍ଦର ଦିନ। ଦୀପାବଳି ପାଇଁ ଲୋକଙ୍କ ଗହଣରେ ଦୋକାନୀମାନେ ଜିନିଷ ବିକୁଥିବା ବେଳେ ହଠାତ୍ ଆସି ପହଞ୍ଚିଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ଦୀପାବଳି ସାମଗ୍ରୀ ବିକ୍ରି କରୁଥିବା ମାଉସୀ ତ୍ରିବେଣୀ ସାହୁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
ମୁଖ୍ୟମନ୍ତ୍ରୀ ସପତ୍ନିକ ଯାଇଥିଲେ। ଦୀପ, ସଲିତା, ତେଲ, ନଡ଼ିଆ, ମାଟିର ଦୀପଦାନି ଆଦି ଅନେକ ଜିନିଷ ଦେଖିଲେ। ପଚାରିଲେ ଦୀପ ସବୁ ଆମ ଓଡ଼ିଶାରେ ତିଆରି ହୋଇଛି ନା ନାହିଁ। ସେମାନେ କହିଲେ, ହଁ, ସବୁ ଆମ ଓଡ଼ିଶାର କାରିଗର ତିଆରି କରିଛନ୍ତି। ମୁଖ୍ୟମନ୍ତ୍ରୀ ସବୁ ଜିନିଷ କିଣିଲେ। ଆଉ କିଛି ଦୋକାନୀ ରଘୁନାଥ ବାରିକ, ମନୋରଞ୍ଜନ ରାଉତଙ୍କ ଠାରୁ ମଧ୍ୟ ମୁଖ୍ୟମନ୍ତ୍ରୀ ପୂଜା ସାମଗ୍ରୀ କିଣିଥିଲେ।
ମୁଖ୍ୟମନ୍ତ୍ରୀ ଏହା ପରେ ସେଠାରେ ପହଞ୍ଚିଥିବା ଗଣ ମାଧ୍ୟମକୁ ବକ୍ତବ୍ୟ ଦେଇ କହିଲେ ଯେ ଆଗରୁ ବିଧାୟକ ଥିବା ବେଳେ ମୁଁ ଏଇ ପାଖରେ ରହୁଥିଲି। ଏହି ବ୍ୟବସାୟୀ ମାଉସୀ ଓ ମଉସାମାନଙ୍କ ଠାରୁ ଜିନିଷ କିଣୁ ଥିଲି। ଆଜି ମଧ୍ୟ କିଛି ପରିବର୍ତ୍ତନ ହୋଇ ନାହିଁ।
ଆମର ଏହି ଓଡ଼ିଆ ମା ମାଉସୀ ମାନେ ଛୋଟ ଦୋକାନୀ। ସ୍ଥାନୀୟ ଉତ୍ପାଦ ବିକ୍ରି କରୁଛନ୍ତି। ତେଣୁ ସେମାନଙ୍କ ଠାରୁ ଜିନିଷ କିଣିଲେ ସ୍ଥାନୀୟ କାରିଗର ଓ ବ୍ୟବସାୟୀମାନଙ୍କର ବ୍ୟବସାୟ ଚାଲିବ ଓ ସେମାନଙ୍କୁ ପ୍ରୋତ୍ସାହନ ମିଳିବ। ଏହା ଆମ ଓଡ଼ିଆ ଅସ୍ମିତାକୁ ଆଗକୁ ନେବ। ଓଡ଼ିଆ ଭାବରେ ଏହା ଆମ ସମସ୍ତଙ୍କର ଦାୟିତ୍ଵ ବୋଲି ସେ କହିଥିଲେ।
ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ସେଠାରୁ କେନ୍ଦୁଝର ଗସ୍ତରେ ବାହାରିଥିଲେ।