ସବୁ କ୍ଷତିଗ୍ରସ୍ତଙ୍କୁ ନିଶ୍ଚୟ ମିଳିବ ସହାୟତା
ଭୁବନେଶ୍ୱର:29/12/2024- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଘଟିଥିବା ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ ପାଇଁ ନୟାଗଡ, ଗଜପତି ଓ ଗଞ୍ଜାମ ଜିଲ୍ଲା ଗସ୍ତ କରି ସବୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ନିଶ୍ଚୟ ସହାୟତା ମିଳିବ ବୋଲି ଆଶ୍ଵାସନା ଦେଇଛନ୍ତି। ମୁଖ୍ୟମନ୍ତ୍ର ଙ୍କ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କ୍ଷତିଗ୍ରସ୍ତ ଜିଲ୍ଲା ଗୁଡ଼ିକ ବୁଲି ଦେଖିଥିଲେ। ଗସ୍ତ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟ ଛତ୍ରପୁର ଠାରେ ମୁଖ୍ୟମନ୍ତ୍ରୀ କ୍ଷୟକ୍ଷତି ସମ୍ବନ୍ଧରେ ସମୀକ୍ଷା କରି ବୀମାଭୂକ୍ତ ଚାଷୀମାନଙ୍କ ପାଇଁ କ୍ଷୟକ୍ଷତି ସଂପର୍କରେ ଜଣାଇବା ସମୟ ଅବଧିକୁ ଆଉ ଗୋଟିଏ ଦିନ ବୃଦ୍ଧି କରିଥିବା କହିଥିଲେ।
ରାଜ୍ୟର କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ଗୁଡିକର ଜିଲ୍ଲାପାଳମାନଙ୍କୁ ପୁନଃ ଆକଳନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଆସନ୍ତା ୩୦ ତାରିଖ ସୁଦ୍ଧା କ୍ଷୟ କ୍ଷତିର ରିପୋର୍ଟ ଦେବା ପାଇଁ ଅଧିକାରୀ ମାନଙ୍କୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି। ସଠିକ ଆକଳନ ତଥ୍ୟ ମିଳିବା ପରେ ଚାଷୀ ମାନଙ୍କୁ ସହାୟତା ରାଶି ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ନଭେମ୍ବର 20 ତାରିଖରୁ ଅଦିନିଆ ବର୍ଷା ଲାଗି ରହିବାରୁ ରାଜ୍ୟର ଅନେକ ଜିଲ୍ଲାରେ ଧାନ ଫସଲ ସମେତ ପନିପରିବା ଇତ୍ୟାଦି ନଷ୍ଟ ହୋଇ ଚାଷୀ ମାନେ ଅନେକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛନ୍ତି। ଏ ସଂପର୍କରେ ଲୋକସେବା ଭବନ ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । 29 ତାରିଖରେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ବରିଷ୍ଠ ମନ୍ତ୍ରୀମାନେ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ସ୍ଥିତି ଅନୁଧ୍ୟାନ କରିଥିଲେ ।
ମୁଖ୍ୟମନ୍ତ୍ରୀ ପ୍ରଥମେ ନୟାଗଡ ଜିଲ୍ଲା ରଣପୁର ବ୍ଲକର ମଝିଆଖଣ୍ଡ ଓ କାଣ୍ଡପଡା ଗ୍ରାମ ପଞ୍ଚାୟତ ଚାଷ ଜମି ବୁଲି ଦେଖିଥିଲେ। ପୋର୍ଟାଲର ତଥ୍ୟ ଅନୁଯାୟୀ ଜିଲ୍ଲାରେ 6350 ହେକ୍ଟର ଚାଷ ଜମିରେ କ୍ଷୟକ୍ଷତି ଘଟିଛି। ମୁଖ୍ୟମନ୍ତ୍ରୀଙ୍କ ସହ ସ୍ଥାନୀୟ ବିଧାୟକ ତଥା ବାଚସ୍ପତି ସୁରମା ପାଢ଼ୀ ଉପସ୍ଥିତ ଥିଲେ।ଗଜପତି ଜିଲ୍ଲା ଗୋଷାଣି ବ୍ଲକର ଉପଲଡା ଗ୍ରାମ ପଞ୍ଚାୟତ ଓ ଗୁରାଣ୍ଡି ଗ୍ରାମ ପଞ୍ଚାୟତ ଅଞ୍ଚଳର ଚାଷ ଜମିର କ୍ଷୟକ୍ଷତିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ବୁଲି ଦେଖିଛନ୍ତି । ଜିଲ୍ଲାରେ 2128.586 ହେକ୍ଟର ଚାଷ ଜମିର ଫସଲ ନଷ୍ଟ ହୋଇଛି। ସେହିଭଳି ଜିଲ୍ଲାରେ 121.122 ହେକ୍ଟର ଜମିରେ କଟା ନ ହୋଇଥିବା ଧାନ ମଧ୍ୟ ନଷ୍ଟ ହୋଇଛି ।
ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକର ଲକ୍ଷ୍ମୀପୁର ପଞ୍ଚାୟତର ନାଉଳି ଏବଂ ରଙ୍ଗେଇଲୁଣ୍ଡା ଗ୍ରାମ ପଞ୍ଚାୟତର ଗଉଁଜୁ ଅଞ୍ଚଳର ଚାଷ ଜମିର କ୍ଷୟକ୍ଷତିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ବୁଲି ଦେଖିଛନ୍ତି। ଜିଲ୍ଲାର 37,800 ହେକ୍ଟର ଜମିରେ ଖରିଫ ଫସଲ ନଷ୍ଟ ହୋଇଥିବା ବେଳେ 822 ହେକ୍ଟର ଜମିରେ ପନିପରିବା ନଷ୍ଟ ହୋଇଛି ଏବଂ ଜିଲ୍ଲାର 61540 ଚାଷୀ ଏହି ଅଦିନିଆ ବର୍ଷା ଦ୍ୱାରା ପ୍ରଭାବିତ ହୋଇଛନ୍ତି ।ଏହି ସମସ୍ତ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କ ଜମି ନିକଟକୁ ଯାଇ ସେମାନଙ୍କ ସହିତ ମିଶି କ୍ଷୟକ୍ଷତି ବୁଲି ଦେଖିଥିଲେ ।

ଛତ୍ରପୁର ଠାରେ ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ ଭାଇ ଭଉଣୀମାନେ ହେଉଛନ୍ତି ଆମ ଦେଶର ମେରୁଦଣ୍ଡ। ଆମର ଅନ୍ନଦାତା। ଅଦିନିଆ ବର୍ଷା ଯୋଗୁ ସେମାନଙ୍କର ବହୁ କ୍ଷତି ଘଟିଛି। ସରକାର ଚାଷୀ ମାନଙ୍କ ସହିତ ଅଛନ୍ତି ଓ ନିଶ୍ଟୟ ସେମାନଙ୍କୁ ସହାୟତା ପ୍ରଦାନ କରାଯିବ। ଯେଉଁ ସବୁ ଜିଲ୍ଲାରେ ବର୍ଷାଜନିତ ଫସଲ କ୍ଷୟକ୍ଷତି ଘଟିଛି, ସେ ସବୁ ଜିଲ୍ଲାମାନଙ୍କରେ ପଞ୍ଜୀକୃତ ନ ହୋଇଥିବା ଆହୁରି ବହୁତ କ୍ଷତିଗ୍ରସ୍ତ ଚାଷୀ ରହିଯାଇଛନ୍ତି। ସମସ୍ତ ଚାଷୀଙ୍କୁ ତହସିଲଦାର, ଆର.ଆଇ, ଜିଲ୍ଲା କୃଷି ଅଧିକାରୀଙ୍କ ଜରିଆରେ ସହାୟତା ପାଇଁ ଆବେଦନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଚାଷୀମାନେ ଟୋଲ ଫ୍ରି ନ.-14447 ଦ୍ୱାରା ଫୋନ ମାଧ୍ୟମରେ କିମ୍ବା କୃଷି ରକ୍ଷକ ପୋର୍ଟାଲରେ ପଞ୍ଜୀକରଣ କରି କ୍ଷୟକ୍ଷତି ପାଇଁ ଆବେଦନ କରିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ ।ଧାନ ଫସଲ ଛଡା ପନିପରିବା ଚାଷୀ ଓ ବୀମାଭୁକ୍ତ ହୋଇ ନ ଥିବା ଚାଷୀମାନେ ଯେପରି କ୍ଷତି ପୂରଣ ପାଇବେ, ସେ ବିଷୟରେ ମଧ୍ୟ ସରକାର ଚିନ୍ତା କରୁଛନ୍ତି ବୋଲି ସେ କହିଥିଲେ।