ଅବହେଳା ଜଳ ଜଳ
-ସୁଧୁରିନି ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ଯୋଜନା ସ୍ଥିତି, ପାନୀୟଜଳ ଓ ଶିକ୍ଷା ସମସ୍ୟା
-ଆବାସ ଗୃହର 60 ପ୍ରତିଶତ କାର୍ଯ୍ୟ ଦେଖି ଉଦ୍ବେଗ ପ୍ରକାଶ କଲେ

ଭୁବନେଶ୍ୱର:12/05- ଯାଜପୁର ଜିଲ୍ଲା ଗସ୍ତରେ ଯାଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଜି ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡ଼ାରେ ପହଁଚିଥିଲେ। ସେଠାରେ ସେ ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ ଗିରୀଶ ଏସ୍ଏନ୍, ବିଭାଗୀୟ ନିର୍ଦ୍ଦେଶକ ବୀନିତ ଭରଦ୍ୱାଜ ଓ ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀଙ୍କ ସହିତ ଘରକୁ ଘର ବୁଲି ନଗଡ଼ାବାସୀଙ୍କ ଭଲମନ୍ଦ ବୁଝିଥିଲେ।

ଜିଲ୍ଲାପାଳ ନଗଡା ଅଂଚଳରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମର୍କରେ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇଥିଲେ।ମୁଖ୍ୟ ଶାସନ ସଚିବ ନିର୍ମାଣାଧୀନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସାଧାରଣ ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ, ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅନୁଧ୍ୟାନ କରିଥିଲେ। ଉପର ନଗଡ଼ା ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚି ସେ ଗ୍ରାଉଣ୍ଡ ଜିରୋ ସ୍ଥିତି ସମୀକ୍ଷା କରିଥିଲେ।

ନିର୍ମାଣାଧୀନ ପ୍ରଧାନମନ୍ତ୍ରୀ ଆବାସ ଗୃହ ବାବଦକୁ କିଛି ହିତାଧିକାରୀଙ୍କର ୬୦ ପ୍ରତିଶତ କାର୍ଯ୍ୟ ଦେଖି ସେ ଉଦବେଗ ପ୍ରକାଶ କରିଥିଲେ। ଯଥାଶୀଘ୍ର ସଂପୂର୍ଣ୍ଣ ଘର ପାଇଁ ସେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଅଶୋକ କୁମାର ବେହୁରିଆ ଓ ବିଡିଓ ପ୍ରଦୀପ୍ତ କୁମାର ସେଠୀଙ୍କୁ ଘଟଣାସ୍ଥଳରେ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟକେନ୍ଦ୍ର ନଯାଇ ନିଜ ଘରେ ସନ୍ତାନ ପ୍ରସବ କରି ପ୍ରତିଷେଧକ ଟିକା ନେଇନଥିବା ଶିକର ପ୍ରଧାନଙ୍କ ପତ୍ନୀ ସୁବାଙ୍କୁ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ମମତା ଯୋଜନାରେ ବଞ୍ଚିତ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ଯୋଜନାରେ ସାମିଲ କରିବାକୁ ନିର୍ଦେଶ ଦେଇଥିଲେ।

ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ବଳରାମ ମିଶ୍ର ଓ ମୁଖ୍ୟଯନ୍ତ୍ରୀ ରତ୍ନାକର ସାହୁଙ୍କ ଉପସ୍ଥିତିରେ ଯୋଗାଣ ପାନୀୟଜଳର ମାନ ଏବଂ ଏଥିରେ ଥିବା ଫ୍ଲୋରାଇଡର ମାତ୍ରା ସମ୍ପର୍କରେ ସମ୍ପର୍କରେ ଅବଗତ ହୋଇଥିଲେ। କଟିକିଆ ପ୍ରଧାନଙ୍କ ଘରକୁ ଯାଇ ଶସ୍ୟ ସଂରକ୍ଷଣ ପଦ୍ଧତି ଓ ଜୁଆଙ୍ଗ ଚଳଣି ଦେଖିଥିଲେ। ଗ୍ରାମବାସୀଙ୍କ ସ୍ନାନଶୌଚ ପାଇଁ ପୋଖରୀ ଖୋଳାଇବା ଦାବି ଆଧାରରେ ଗାଁ ଉପର ମୁଣ୍ଡ ଝର ଜାଗାରେ ବାସ୍ତବ ସ୍ଥିତି ଅନୁଧ୍ୟାନକରି ପଦକ୍ଷେପ ନେବା ପାଇଁ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ପରିଡ଼ାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅଧିକାଂଶ ମହିଳା ସୁଭଦ୍ରା ଟଙ୍କାରେ ଛେଳି ଓ କୁକୁଡ଼ା ପାଳନ କରୁଥିବା ଜାଣି ଖୁସିବ୍ୟକ୍ତ କରିଥିଲେ। ଜଙ୍ଗଲ ଜମି ଅଧିକାର ଆଇନ ଆଧାରରେ ଚାଷଜମି ପଟ୍ଟା ପ୍ରଦାନ ପାଇଁ ଜିଲ୍ଲାପାଳ, ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ଡିଏଫ୍ଓ ଅନିଲ ରାୟ ଓ ଏସିଏଫ୍ ସନ୍ତୋଷ କୁମାର ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଡିଇଓ ନିତ୍ୟାନନ୍ଦ ବାରିକ ଓ ବିଇଓ ନାରାୟଣ ଦାସଙ୍କୁ ନେଇ ନଗଡ଼ା ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲ ପରିଦର୍ଶନରେ ସ୍କୁଲ ପରିଚାଳନା ସମିତି ସଭାପତି କୃପା ପ୍ରଧାନ ଓ ଚୁକୁଲି ପ୍ରଧାନ ଜୁଆଙ୍ଗ ଭାଷାରେ ପାଠପଢ଼ା, ସ୍କୁଲ ପାଚେରି ଓ ଝରଣା ପାଣି ସଂରକ୍ଷଣ ଦାବି କରିଥିଲେ। କେତେକ ପିଲା ସ୍କୁଲରେ ନିୟମିତ ଅନୁପସ୍ଥିତ ରହୁଥିବା ଜାଣି ଏଥିରେ ସୁଧାର ଆଣିବାକୁ ପରାମର୍ଶ ଦେଇଥିଲେ। ଦେଓଗାଁରେ ୩ ବର୍ଷ ଧରି ଅବ୍ୟବହୃତ ଥିବା ୨ଶହ ଶଯ୍ୟା ବିଶିଷ୍ଟ ଆଦିବାସୀ ହଷ୍ଟେଲ ବୁଲି ତୁରନ୍ତ କାର୍ଯ୍ୟକ୍ଷମ ଦିଗରେ ଡିଡବ୍ଲ୍ୟୁଓ ଶରତ ଚନ୍ଦ୍ର ବେହେରା, ସ୍ବତନ୍ତ୍ର ଅଧିକାରୀ ସୁନାରାମ ସିଂହ ଓ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ କମଳ କୁମାର ସ୍ୱାଇଁଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଶେଷରେ ମୁଖ୍ୟ ଶାସନ ସଚିବ କାଳିଆପାଣି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ବୁଲି ଏହାର ଉନ୍ନତୀକରଣ ପାଇଁ ସିଡିଏମ୍ଓ ଡା. ପ୍ରକାଶ ଚନ୍ଦ୍ର ବଳ, ଅଧୀକ୍ଷକ ଡା. ଜୟଦେବ ନନ୍ଦ ଓ ଡିପିଏମ୍ ବିଶ୍ବରଞ୍ଜନ ରଥଙ୍କୁ ପରାମର୍ଶ ଦେଇଥିଲେ। ଡିଏସ୍ଡବ୍ଲୁଓ ପାର୍ବତୀ ସାହୁ, ଡିଏସ୍ଏସ୍ଓ ରବୀନ୍ଦ୍ରନାଥ ବେହେରା, ସହକାରୀ ନିର୍ଦ୍ଦେଶକ(ଉଦ୍ୟାନ) ରାଧେଶ୍ୟାମ ବେହେରା, ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ଅବିନାଶ ବାରିକ ଓ ଡିଏମ୍ଏଫ୍ ଟିମ୍ ଲିଡର ଡ. ସତ୍ୟ ସ୍ୱରୂପ ପଣ୍ଡା ଓ ଆଶୀର୍ବାଦ ନାୟକ, ଓମ୍ବାଡସି ଶିକ୍ଷା ଅଧିକାରୀ ଦୀପକ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।