ଭୁବନେଶ୍ୱର:୧୯/୧- ସୁସ୍ଥ ଓଡ଼ିଶା – ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ ସଂକଳ୍ପ ପୂରଣ କରିବା ଦିଗରେ ଓଡ଼ିଶା ଦ୍ରୁତ ଗତିରେ ଆଗକୁ ବଢୁଛି। ସମସ୍ତଙ୍କୁ ଉତ୍କୃଷ୍ଟ ସ୍ୱାସ୍ଥ୍ୟସେବା ଯୋଗାଇବା ଓଡ଼ିଶା ସରକାରଙ୍କ ପାଇଁ ପ୍ରାଥମିକତା ହୋଇ ଆସିଛି ବୋଲି ଭୁବନେଶ୍ୱରରେ ଆୟୋଜିତ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଉପରେ ଆୟୋଜିତ ଚିନ୍ତନ ଶିବିରର ଉଦଘାଟନ କରି ଏହା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।

ସେ କହିଥିଲେ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ଆୟୁଷ ଚିକିତ୍ସା ପ୍ୟାକେଜଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା ଉପରେ ବିଚାର କରାଯିବା ଉଚିତ। ଯାହାଦ୍ୱାରା ଆଧୁନିକ ଔଷଧ ସହିତ ସମନ୍ୱୟ ସ୍ଥାପନ କରାଯାଇପାରିବ। ଏହି ସାମଗ୍ରିକ ଆଭିମୁଖ୍ୟ ଆୟୁଷ ଇକୋସିଷ୍ଟମକୁ ସଶକ୍ତ କରିବ। ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ତୃଣମୂଳ ସ୍ତରକୁ ବିସ୍ତାର କରିବ ଏବଂ ଏକ ବିକଶିତ ଭାରତର ଲକ୍ଷ୍ୟରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ। ଏହି ଦୁଇ ଦିନିଆ ଚିନ୍ତନ ଶିବିର ସମଗ୍ର ଦେଶରୁ ଅନେକ ପଲିସି ମେକର, ସ୍ୱାସ୍ଥ୍ୟ ପ୍ରଶାସକ ଏବଂ ବିଷୟ ବିଶେଷଜ୍ଞମାନଙ୍କୁ ଏକ ଚିନ୍ତନ ମଞ୍ଚରେ ଏକତ୍ର କରିଛି ଯାହା ଦ୍ୱାରା ନବସୃଜନ, ଡିଜିଟାଲ ସମନ୍ୱୟ ଏବଂ ସ୍ୱାସ୍ଥ୍ୟ ସେବା ମାଧ୍ୟମରେ ଆୟୁଷ୍ମାନ ଭାରତକୁ ଆହୁରି ମଜବୁତ କରିବା ଉପରେ ବିଚାର ବିମର୍ଶ କରାଯିବ। ଶିବିରରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବେଷ୍ଟ ପ୍ରାକ୍ଟିସ ପୁସ୍ତକକୁ ଉନ୍ମୋଚିତ ହୋଇଥିଲା।
ଏହି ଚିନ୍ତନ ଶିବିରର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ୨୦୧୮ ପରଠାରୁ ଆୟୁଷ୍ମାନ ଭାରତ ଅଧୀନରେ ହୋଇଥିବା ଉଲ୍ଲେଖନୀୟ ଅଗ୍ରଗତିକୁ ଉଲ୍ଲେଖ କରିବା ଏବଂ ଡିଜିଟାଲ୍ ଇଣ୍ଡିଆ ପଦକ୍ଷେପ, କୁତ୍ରିମ ବୁଦ୍ଧିମତ୍ତା-ସକ୍ଷମ ତଥ୍ୟ ପରିଚାଳନା ଏବଂ ପ୍ରଯୁକ୍ତିବିଦ୍ୟା-ଆଧାରିତ ସ୍ୱାସ୍ଥ୍ୟ ସେବା ମାଧ୍ୟମରେ ହାସଲ କରାଯାଇଥିବା ସ୍ୱଚ୍ଛତା, ଦକ୍ଷତା ଏବଂ ସୁଗମତା ଉନ୍ନତି ବିଷୟରେ ଆଲୋଚନା କରି ଜନକଲ୍ୟାଣ କାରୀ ପଦକ୍ଷେପ ଗ୍ରହଣ କରିବା ।
ସୂଚନା ଅନୁସାରେ ଆୟୁଷ୍ମାନ ଭାରତ ଯୋଜନା ଏବଂ ଗୋପବନ୍ଧୁ ଯୋଜନାରେ ରାଜ୍ୟର ୩.୫୨ କୋଟି ଲୋକ ସାମିଲ ଅଛନ୍ତି। ଏଥି ନିମନ୍ତେ ୩୨ ହଜାର ସରକାରୀ ଏବଂ ବେସରକାରୀ ମେଡିକାଲ ସୁଚିଭୁକ୍ତ ଅଛନ୍ତି। ସେହିପରି ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ୨୨.୫୨ ଲକ୍ଷ ୭୦ ବର୍ଷରୁ ଊର୍ଦ୍ଧ୍ୱର୍ ବୟସ୍କ/ବୟସ୍କା ସୁବିଧା ପାଇବାକୁ ସାମିଲ ହୋଇଛନ୍ତି।