-28 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିବେ
-20ଟି ଦେଶର 100 ରୁ ଅଧିକ ଆନ୍ତର୍ଜାତିକ ପ୍ରତିନିଧି ଯୋଗ ଦେବେ
-ଏହି କନକ୍ଲେଭ ସୁଦୃଢ ଅର୍ଥନୈତିକ ଓ ଶିଳ୍ପ ଭିତ୍ତିଭୂମି ପ୍ରସ୍ତୁତ କରିବାରେ ମାଇଲଖୁଣ୍ଟ ହେବ
ଭୁବନେଶ୍ୱର:24/01- ଆସନ୍ତା 28-29 ଦୁଇଦିନ ଧରି ଉତ୍କର୍ଷ ଓଡିଶା- ମେକ୍ ଇନ୍ ଓଡିଶା କନକ୍ଲେଭ୍-2025 ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସ୍ଥାନୀୟ ଜନତା ମଇଦାନରେ ଏହାର ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ଆମର ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଏହି କାର୍ଯ୍ୟକ୍ରମ ସବୁ ଦୃଷ୍ଟିକୋଣରୁ ଐତିହାସିକ ହେବ। ରାଜ୍ୟ ପାଇଁ ଏକ ସୁଦୃଢ ଅର୍ଥନୈତିକ ଓ ଶିଳ୍ପ ଭିତ୍ତିଭୂମି ପ୍ରସ୍ତୁତ କରିବାରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।
ରାଜ୍ୟମାନଙ୍କ ଭିତରେ ଶ୍ରେଷ୍ଠ 5ଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବାର ଆମର ଯେଉଁ ଲକ୍ଷ୍ୟ ଅଛି, ତାହା ନିଶ୍ଟୟ ପୂରଣ ହେବ। ଏହା ସହିତ ଶ୍ରମିକ, କୃଷକ ମାନଙ୍କ ପରି ସାଧାରଣ ଲୋକଙ୍କ ପାଇଁ ମଧ୍ୟ ବିପୁଳ ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଛନ୍ତି। ଏହି ଇନଭେଷ୍ଟର୍ସ ମିଟରେ 5 ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି ଏବଂ ଏହାଦ୍ୱାରା 3.5 ଲକ୍ଷରୁ ଅଧିକ ନିଯୁକ୍ତି ସମ୍ଭାବନା ମଧ୍ୟ ସୃଷ୍ଟି ହେବ। 100ଟି ଅଧିକ ନିବେଶକ MoU କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି 28 ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଉଦଘାଟନ କରିବେ। ଗତ 7 ମାସ ମଧ୍ୟରେ ଓଡିଶାକୁ ଏହା ତାଙ୍କର ପଞ୍ଚମ ଗସ୍ତ ହେବ। ଓଡିଶାରେ ପୁଞ୍ଜିନିବେଶ ପ୍ରତି ତାଙ୍କର ସ୍ୱତନ୍ତ୍ର ଧ୍ୟାନ ରହିଛି ଏବଂ ଓଡିଶା ଏକ ବିପୁଳ ସମ୍ଭାବନାର ରାଜ୍ୟ ଭାବେ ଅଗ୍ରସର ହେଉଛି । ଏଥିରେ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ୍ ଏବଂ ଅଶ୍ୱିନୀ ବୈଷ୍ଣବଙ୍କ ପରି କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଯୋଗଦେବେ। ମେକ ଇନ ଓଡିଶା ୱେବସାଇଟ୍ ରେ 7500 ରୁ ଅଧିକ ଡେଲିଗେଟ ପଞ୍ଜିକରଣ କରିଛନ୍ତି। ଏଥିରେ 20ଟିରୁ ଅଧିକ ଦେଶର 100ରୁ ଅଧିକ ଆନ୍ତର୍ଜାତିକ ଡେଲିଗେଟ୍ ଅଛନ୍ତି। ସିଙ୍ଗାପୁର, ଅଷ୍ଟ୍ରେଲିଆ ଓ ମାଲେସିଆ ପରି ଆମର ପାର୍ଟନର ଦେଶମାନଙ୍କରୁ ଅଧିକ ଡେଲିଗେଟ୍ ଆସିବାର ସମ୍ଭାବନା ଅଛି।
ଏଥିରେ କେତେକ Country of Focus ସେସନ ଅନୁଷ୍ଠିତ ହେବ, ଯେଉଁଥିରେ ପ୍ରାୟ 20ଟି ଦେଶର ପ୍ରତିନିଧି ମାନେ ଆଲୋଚନା କରିବେ। ଏହାଦ୍ୱାରା ଆନ୍ତର୍ଜାତିକ ଶିଳ୍ପ କ୍ଷେତ୍ରରେ ଓଡିଶାର ପ୍ରତିଷ୍ଠା ବୃଦ୍ଧି ପାଇବ। ଏହି କନକ୍ଲେଭରେ ଏକ ‘ମେକ୍ ଇନ୍ ଓଡିଶା ଏକ୍ସପୋ’ ମଧ୍ୟ ଅନୁଷ୍ଠିତ ହେବ। ପ୍ରାୟ 150 ଜଣ ଏକ୍ସିଭିଟର ସେମାନଙ୍କର ପ୍ରଡକ୍ଟ , ସର୍ଭିସ୍ , ଓ ଇନୋଭେସନ ଆଦି ପ୍ରଦର୍ଶନ କରିବେ। 28-29, ଦୁଇ ଦିନ ଧରି ଏହା କେବଳ ଡେଲିଗେଟ୍ ମାନଙ୍କ ପାଇଁ ଖୋଲା ରହିବ। 30 ତାରିଖ ଦିନ ଏହାକୁ ସର୍ବସାଧାରଣଙ୍କ ପାଇଁ ଖୋଲା ରଖାଯିବ। ଏହାସହିତ ଷ୍ଟାର୍ଟ ଅପ୍ ଓଡିଶା, ସ୍କିଲଡ୍ ଇନ୍ ଓଡିଶା ଓ ସୁଭଦ୍ରା ଜରିଆରେ ମହିଳା ଉଦ୍ୟୋଗୀକରଣ ପରି ତିନୋଟି ଥିମାଟିକ୍ ସେସନ ମଧ୍ୟ ଅନୁଷ୍ଠିତ ହେବ।
ବିଭିନ୍ନ ରାଉଣ୍ଡ ଟେବୁଲ ବୈଠକ ଅନୁଷ୍ଠିତ ହେବ। ଏଥିରେ ‘ମହିଳାଙ୍କ ନେତୃତ୍ୱ ରାଉଣ୍ଡଟେବୁଲ’, ‘ସି.ଇ.ଓ ରାଉଣ୍ଡଟେବୁଲ’ ଓ ‘ଏଡିଟର୍ସ ରାଉଣ୍ଡଟେବୁଲ’ ଆଦି ଆଲୋଚନା ଜରିଆରେ ଶିଳ୍ପଦ୍ୟୋଗୀ ଓ ବିଶେଷଜ୍ଞ ମାନଙ୍କ ମଧ୍ୟରେ ଜ୍ଞାନର ଆଦାନ ପ୍ରଦାନ ହେବ। ଏହାସହିତ ରାଜ୍ୟ ସଂସ୍କୃତି ବିଭାଗ ଦ୍ୱାରା ବିଶିଷ୍ଟ ଓଡିଶୀ ନୃତ୍ୟ ଶିଳ୍ପୀ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ନୃତ୍ୟ ପ୍ରଦର୍ଶନ, ଡ୍ରୋନ ସୋ ଆଦି ଅନ୍ୟାନ୍ୟ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।