ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସମ୍ମିଳନୀ
-କାର୍ଯ୍ୟକ୍ରମ ଓ ଯୋଜନା ବାବଦ ଖର୍ଚ୍ଚ ଓ ଅଗ୍ରଗତି ସମ୍ପର୍କରେ ପ୍ରତି ତିନି ଚାରି ମାସରେ ଥରେ ସମୀକ୍ଷା କରିବାକୁ ପରାମର୍ଶ
-ସରକାରୀ ନଥିପତ୍ର, ନୋଟିସ, ବିବରଣୀ ଓ ବିଜ୍ଞାପନରେ ଓଡିଆ ଭାଷା ବ୍ୟବହାର କରନ୍ତୁ
-ଜନପ୍ରତିନିଧିମାନଙ୍କୁ ସମ୍ମାନ ଦିଅନ୍ତୁ
ସାଧାରଣ ଲୋକଟିର କଥା ଧୈର୍ଯ୍ୟର ସହ ଶୁଣନ୍ତୁ ଓ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରନ୍ତୁ
ଏହା ହିଁ ସୁଶାସନର ମୂଳଦୁଆ
ଭୁବନେଶ୍ୱର:୧୮/୧୧- ଆମ୍ଭେମାନେ ଯିଏ ଯେଉଁ ପଦବୀରେ ଥାଉ ନା କାହିଁକି, ଆମେ ସମସ୍ତେ ଜନସେବା ପାଇଁ ଉତ୍ସର୍ଗୀକୃତ ଏବଂ ଆମର କାର୍ଯ୍ୟକଳାପ ପାଇଁ ଆମେ ଜନସାଧାରଣଙ୍କ ପାଖରେ ଉତ୍ତରଦାୟୀ। ସେଥିପାଇଁ ଆପଣମାନେ ଲୋକଙ୍କ ସହିତ ମିଶନ୍ତୁ, ସାଧାରଣ ଲୋକଟିର କଥା ଧୈର୍ଯ୍ୟର ସହ ଶୁଣନ୍ତୁ ଓ ତାଙ୍କ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରନ୍ତୁ। ଏହା ହିଁ ହେଉଛି ସୁଶାସନର ମୂଳଦୁଆ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀକୁ ଉଦଘାଟନ କରି କହିଛନ୍ତି।

ଲୋକସଭା ଭବନ କନଭେନସନ ସେଣ୍ଟର ଠାରେ ଆୟୋଜିତ ଦୁଇ ଦିନିଆ ସମ୍ମିଳନୀର ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜିଲାପାଳମାନଙ୍କୁ କହିଥିଲେ, ଆମ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ‘ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ, ସବ୍କା ପ୍ରୟାସ’ ମନ୍ତ୍ରରେ ରାଜ୍ୟର କଲ୍ୟାଣ ପାଇଁ ଅନେକ ଉନ୍ନୟନମୂଳକ କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତି ଏବଂ କରୁଛନ୍ତି। ଯୋଜନା ଯେତେ ଅଭିନବ ହେଲେ ମଧ୍ୟ ଏହାର ପ୍ରକୃତ ସଫଳତା ଏହାର ସଠିକ୍ ରୂପାୟନ ଉପରେ ନିର୍ଭର କରେ। ତେଣୁ ଲୋକଙ୍କ ସୁବିଧା ପାଇଁ ସମସ୍ତେ ସଚ୍ଚୋଟ ଓ କର୍ତ୍ତବ୍ୟନିଷ୍ଠ ହୁଅନ୍ତୁ ଏବଂ ଦିନରାତି ଅକ୍ଳାନ୍ତ ପରିଶ୍ରମ କରି ସମନ୍ୱୟ ରକ୍ଷା ମାଧ୍ୟମରେ ଯୋଜନାର ସଫଳ ରୂପାୟନ କରନ୍ତୁ।
ଆମ ସରକାର ବର୍ତ୍ତମାନ ରାଜ୍ୟର ୩୦ଟି ଜିଲାରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଯାଉଛନ୍ତି। ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ନୀତି, ନିୟମ ପରିସରରେ ରହି ଉଦ୍ୟୋଗୀମାନଙ୍କୁ ସମସ୍ତ ସହାୟତା ପ୍ରଦାନ କରିବା ପାଇଁ ସେ ଜିଲାପାଳମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ସରକାରଙ୍କ ନୂତନ କାର୍ଯ୍ୟକ୍ରମ ‘ମିଶନ ପାୱାର’ ଅଧିନରେ ୨୦୨୭ ସୁଦ୍ଧା ରାଜ୍ୟର ପ୍ରତିଟି ଗ୍ରାମକୁ ସବୁ ଦିନିଆ ରାସ୍ତା, ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣର ଲକ୍ଷ୍ୟ ରହିଛି। ଏହି ଲକ୍ଷ୍ୟକୁ ଧାର୍ଯ୍ୟ ସମୟ ମଧ୍ୟରେ ସାରିବା ପାଇଁ ଜିଲାପାଳମାନଙ୍କୁ ମିଶନ ମୋଡରେ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ସରକାରୀ ସ୍ତରରେ ନିଆଯାଇଥିବା ନିଷ୍ପତ୍ତି ଓ ଘୋଷଣା ସହିତ ଯୋଜନା ଗୁଡିକର କାର୍ଯ୍ୟକାରୀତାର ଅଗ୍ରଗତି ସମ୍ପର୍କରେ ନିୟମିତ ତଦାରଖ କରିବା ପାଇଁ ସେ ଜିଲାପାଳମାନଙ୍କୁ କହିଥିଲେ। ଏଥି ସହିତ କାର୍ଯ୍ୟକ୍ରମ ଓ ଯୋଜନା ବାବଦ ଖର୍ଚ୍ଚ ଓ ଏହାର ଅଗ୍ରଗତି ସମ୍ପର୍କରେ ପ୍ରତି ତିନି ଚାରି ମାସରେ ଥରେ ସମୀକ୍ଷା କରିବା, ଲଘୁ ଖଣିଜ ଦ୍ରବ୍ୟର ଚୋରା କାରବାରକୁ କଡାକଡି ଭାବେ ରୋକିବା, ଚୋରା ମଦ କାରବାର ବିରୁଦ୍ଧରେ ତଦାରଖ ଅଧିକ କଡାକଡି କରିବା, ଆଦିବାସୀ ଅଧ୍ୟୁଷିତ ଜିଲା ଗୁଡିକରେ ଜନଜାତି ସମ୍ପ୍ରଦାୟଙ୍କୁ ଜଙ୍ଗଲଜାତ ଲଘୁ ଦ୍ରବ୍ୟ ସଂଗ୍ରହ ଓ ବିକ୍ରୀବଟା କ୍ଷେତ୍ରରେ ଆଇନ ଅନୁଯାୟୀ ସହାୟତା ପ୍ରଦାନ କରିବା, ଧାନ ସଂଗ୍ରହ ଋତୁରେ ଧାନ ଚୋରାଚାଲଣ ପ୍ରତି ନଜର ରଖିବା ଇତ୍ୟାଦି ବିଷୟରେ ସେ କହିଥିଲେ। କ୍ଷମତାର ଉଚିତ୍ ବ୍ୟବହାର କରି ସବୁ ସ୍ତରରେ ଦୁର୍ନୀତିମୁକ୍ତ ଓ ସ୍ୱଚ୍ଛ ଶାସନ ଆଣିବା ପାଇଁ ପ୍ରୟାସ କରିବା ପାଇଁ ଆହ୍ୱାନ ଦେଇଥିଲେ। ଜିଲା ଓ ବ୍ଲକସ୍ତରରେ ସମସ୍ତ ସରକାରୀ ନଥିପତ୍ର, ନୋଟିସ, ବିବରଣୀ ଓ ବିଜ୍ଞାପନ ଓଡିଆ ଭାଷାରେ କରିବା ସହିତ କାର୍ଯ୍ୟାଳୟକୁ ଆସୁଥିବା ଜନପ୍ରତିନିଧିମାନଙ୍କୁ ସମ୍ମାନର ସହିତ ସୌଜନ୍ୟମୂଳକ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ।

ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଥିଲେ, ଆପଣମାନେ ନିୟମିତ ଭାବେ ବ୍ଲକ ଅଞ୍ଚଳ ଗସ୍ତ କରି ଲୋକଙ୍କ ସମସ୍ୟା ଶୁଣନ୍ତୁ ଓ ତା’ର ପ୍ରତିବିଧାନ କରନ୍ତୁ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ, ବିଗତ ଦେଢ ବର୍ଷ ମଧ୍ୟରେ ରାଜ୍ୟବାସୀଙ୍କ ପାଇଁ ସଫଳତା ପୂର୍ବକ ଅନେକ କଲ୍ୟାଣକାରୀ ଯୋଜନାମାନ ପ୍ରଣୟନ କରାଯାଇଛି। ଲୋକଙ୍କୁ ମୌଳିକ ସୁବିଧା ତଥା ସେମାନଙ୍କୁ ସାଧାରଣ ସେବା ଯୋଗାଇଦେବା ପାଇଁ ଲୋକଙ୍କ ପାଖକୁ ଯାଇ ସ୍ଥିତି ଅନୁଧ୍ୟାନ କରି ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ। ସାଧାରଣ ଜନତାଙ୍କ ପାଇଁ ରାଜସ୍ୱ ସେବାକୁ ଅଧିକ ସରଳ କରିବା ପାଇଁ ରାଜସ୍ୱ ଆଇନ ଗୁଡିକରେ ସଂଶୋଧନ କରାଯାଇଛି। ଏହା ଦ୍ୱାରା ଲୋକଙ୍କ ଅସୁବିଧା ଦୂର ହୋଇପାରିଛି। ଜିଲାମାନଙ୍କରେ ରାଜସ୍ୱ ଗ୍ରାମ ମାନ୍ୟତା ପାଇଁ ଯାହା ସବୁ ପ୍ରସ୍ତାବ ଅଛି ତାକୁ ତୁରନ୍ତ କାର୍ଯ୍ୟକାରୀ କରିବା, ଆଦିବାସୀ ଲୋକମାନଙ୍କ ପାଇଁ ଜଙ୍ଗଲ ଜମି ଅଧିକାର ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା, ଜମି ଅଧିଗ୍ରହଣ ସମୟରେ ବିସ୍ଥାପିତ ଜନତାଙ୍କୁ ଉଚିତ ରିଲିଫ ଓ ଥଇଥାନ ପ୍ରଦାନ ଉପରେ ଗୁରୁତ୍ୱ ଦେଇଥିଲେ।