
ଭୁବନେଶ୍ୱର:୩/୧୨- ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ବିଭିନ୍ନ ପ୍ରକାର ସରକାରୀ ଏବଂ ଅନୁଦାନପ୍ରାପ୍ତ ଓ ଅଣ-ଅନୁଦାନପ୍ରାପ୍ତ ବେସରକାରୀ ଶିକ୍ଷାନୁଷ୍ଠାନ ରହିଛି। ଏହି ଶିକ୍ଷାନୁଷ୍ଠାନ ଗୁଡିକର ବିଭିନ୍ନ ଶିକ୍ଷକ/ଅଧ୍ୟାପକ ଏବଂ କର୍ମଚାରୀ ସଂଘ ସେମାନଙ୍କର ବିଭିନ୍ନ ପ୍ରକାରର ଦାବୀ ସରକାରଙ୍କ ନିକଟରେ ଉପସ୍ଥାପନ କରିଆସୁଛନ୍ତି। ସେମାନଙ୍କର ଏହି ଦାବୀ ଉପରେ ବିଭିନ୍ନ ସମୟରେ ଆଲୋଚନା ମଧ୍ୟ କରାଯାଇଛି।
ତେବେ ଏହାକୁ ରାଜ୍ୟ ସରକାର ଗୁରୁତର ସହ ବିଚାର କରି ଶିକ୍ଷକ/ ଅଧ୍ୟାପକ ଏବଂ କର୍ମଚାରୀମାନଙ୍କର ଦାବୀ ସମୂହର ଅନୁଶୀଳନ ନିମନ୍ତେ ଭାରତୀୟ ପ୍ରଶାସନିକ ସେବାର ଅବସର ପ୍ରାପ୍ତ ଅଧିକାରୀ ଅଶୋକ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଉକ୍ତ କମିଟି ୬ ମାସ ମଧ୍ୟରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ। ବିଧାନସଭାରେ ବିବୃତ୍ତି ରଖି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।