ସ୍ଥାୟୀ ଭିତ୍ତିଭୂମିର ବିକାଶ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ
ଭୁବନେଶ୍ୱର :୨୬ ନଭେମ୍ବର ୨୦୨୪-ବାତ୍ୟା ‘ ଦାନା ‘ ର କ୍ଷୟକ୍ଷତି ଆକଳନ ପାଇଁ ଆସିଥିବା ଆନ୍ତଃ ମନ୍ତ୍ରାଳୟ କେନ୍ଦ୍ରୀୟ ପ୍ରତିନିଧି ଦଳ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଆଲୋଚନା ବେଳେ ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ଥାୟୀ ଭିତ୍ତିଭୂମିର ବିକାଶ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି।
ଏଥିସହ ଭୁବନେଶ୍ବରରେ ଏକ ଅତ୍ୟାଧୁନିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ସ୍ଥାପନ ପାଇଁ କେନ୍ଦ୍ରୀୟ ପ୍ରତିନିଧି ଦଳକୁ ସେ ପ୍ରସ୍ତାବ ଦେଇଛନ୍ତି ।
ପ୍ରତିନିଧି ଦଳରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟର ଯୁଗ୍ମ ସଚିବ ପିକେ ରାଏଙ୍କ ନେତୃତ୍ୱରେ ଏକ ସାତ ଜଣିଆ ଟିମ୍ ୨୪ ତାରିଖରେ ଆସି ସବୁଠୁ ଅଧିକ କ୍ଷତିଗ୍ରସ୍ତ ଭଦ୍ରକ, କେନ୍ଦ୍ରାପଡା ଓ ବାଲେଶ୍ବର ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ଆକଳନ କରିଛନ୍ତି। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କ୍ଷୟକ୍ଷତିର ଭରଣା ପାଇଁ ସହାୟତା ସହିତ ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ଥାୟୀ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ପ୍ରତି ବର୍ଷ ବାତ୍ୟା, ବନ୍ୟା ପରି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିଆସୁଛି।
ଲୋକଙ୍କ ଜୀବନ ବଞ୍ଚାଇବାରେ ସରକାର ସଫଳ ହେଉଥିବା ବେଳେ ବିଭିନ୍ନ ଭିତ୍ତିଭୂମିର ବ୍ୟାପକ କ୍ଷୟକ୍ଷତି ହେଉଛି ଏବଂ ଏହାର ପୁନଃ ନିର୍ମାଣ ପାଇଁ ବ୍ୟାପକ ଅର୍ଥ ବିନିଯୋଗ କରିବାକୁ ପଡୁଛି। ତେଣୁ, ବିପର୍ଯ୍ୟୟ ପ୍ରତିରୋଧକାରୀ ସ୍ଥାୟୀ ଭିତ୍ତିଭୂମିର ବିକାଶ କରାଯିବାର ଆବଶ୍ୟକତା ରହିଛି। ଉପକୂଳବର୍ତ୍ତୀ ଜିଲ୍ଲାରେ ଭୂତଳ ବିଦ୍ୟୁତ କେବୁଲ ସ୍ଥାପନ, ଉପକୂଳରେ ବନ୍ଧ ନିର୍ମାଣ, ବ୍ୟାପକ ହେନ୍ତାଳ ବନ ସୃଷ୍ଟି ଆଦି ପଦକ୍ଷେପ ଉପରେ ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ସହିତ ଭୁବନେଶ୍ବରରେ ଏକ ଅତ୍ୟାଧୁନିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ମତ ରଖିଥିଲେ । ଏ ଦିଗରେ କେନ୍ଦ୍ର ସରକାର ଆବଶ୍ୟକ ସହଯୋଗ ଯୋଗାଇ ଦେବା ପାଇଁ ସେ ପ୍ରସ୍ତାବ ରଖିଥିଲେ।
ଆଲୋଚନାରେ ଅଂଶଗ୍ରହଣ କରି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ସ୍ଥାୟୀ ଭିତ୍ତିଭୂମି ସୃଷ୍ଟି କରାଯାଇ ପାରିଲେ ଓଡିଶାର ଅର୍ଥନୈତିକ ବିକାଶ ତ୍ୱରାନ୍ୱିତ ହୋଇପାରିବ। କେନ୍ଦ୍ରୀୟ ଟିମ୍ର ମୁଖ୍ୟ ଶ୍ରୀ ରାଏ ବାତ୍ୟା ‘ଦାନା’ର ସୁପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚ ପ୍ରଶଂସା କରିଥିଲେ।