କବିତା ଲେଖିବାରେ ନୂତନତାର ପ୍ରୟୋଗ ଆବଶ୍ୟକ
ଭୁବନେଶ୍ୱର:୨୩/୬- ସାହିତ୍ୟରେ ସମାଜର ଚିତ୍ରକୁ ଉପସ୍ଥାପନ କରିବା ସହିତ କବିତା ଲେଖିବା ସମୟରେ ନୂତନତାର ପ୍ରୟୋଗ ନିହାତି ଆବଶ୍ୟକ ବୋଲି ‘ଦୟା ସାହିତ୍ୟ ସଂସଦ’ର ପଞ୍ଚମ ବାର୍ଷିକ ସାରସ୍ୱତ ସମାରୋହରେ ଯୋଗଦେଇ ଅତିଥିମାନେ ଏହା ମତବ୍ୟକ୍ତ କରିଛନ୍ତି । ଉପସ୍ଥିତ ଲେଖକ, ଲେଖିକା ଓ ସାହିତ୍ୟପ୍ରେମୀଙ୍କୁ ସେମାନେ ସାହିତ୍ୟ ସାଧନା ସଂକ୍ରାନ୍ତ ବିଭିନ୍ନ ଉଦାହରଣ ଓ ପରାମର୍ଶ ଦେଇଥିଲେ ।

କଣାସ ଦୟାବିହାରର ନୀଳାଚଳ ସେବା ପ୍ରତିଷ୍ଠାନରେ ଆୟୋଜିତ ଏହି ସାରସ୍ୱତ ସମରୋହରେ ମୁଖ୍ୟଅତିଥି ଭାବେ ଗାଳ୍ପିକ ଡକ୍ଟର ସୁରେଶ କୁମାର ଛୋଟରାୟ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ର, ଅନ୍ୟତମ ଅତିଥି ଭାବେ ଲେଖିକା କମଳିନୀ ମଲ୍ଲିକ ଯୋଗଦେଇ ଲେଖାରେ ନୂଆ ନୂଆ କଥା ଲେଖି ପାଠକୀୟ ସ୍ୱୀକୃତି ଲାଭ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଶ୍ରୀ ଛୋଟରାୟ କହିଥିଲେ ଲେଖକମାନେ ନିଜ ଅଞ୍ଚଳର କଥାକୁ ଲେଖାରେ ପ୍ରାଧାନ୍ୟ ଦେବା ଆବଶ୍ୟକ । ସେହିପରି କବି ଶ୍ରୀ ମିଶ୍ର କହିଥିଲେ, ସାହିତ୍ୟ ସୃଷ୍ଟି ହେଉଛି, ସକଳ ଦୁଶ୍ଚିନ୍ତା ସତ୍ତ୍ୱେ ନିଜ ସହ ନିରବରେ କଥାବାର୍ତ୍ତା ହେବା । ନିଜର ସୁକ୍ଷ୍ମ ଚେତନାକୁ ଜାଗ୍ରତ କରିବା । ଏହାଦ୍ୱାରା ଲେଖା ସମୃଦ୍ଧ ହୋଇଥାଏ ।



ଅନୁଷ୍ଠାନର ସମ୍ପାଦକ ଜିତେନ୍ଦ୍ର କୁମାର ପେଣ୍ଠୋଇ ବିବରଣୀ ପାଠ କରିଥିଲେ । ସଭାପତି କୃପାସିନ୍ଧୁ ବିଶ୍ୱାଳ କହିଥିଲେ, ଲେଖକମାନେ ଗୁଣାତ୍ମକ ଲେଖା ଲେଖି ପୁରସ୍କାର ପାଇଁ ଆଶା କରିବା ଉଚିତ ।

୨୦୨୫ର ଗଳ୍ପ ସଙ୍କଳନ ‘ଅବଧାରିତ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ଦାଶ ବେନହୁର, ପ୍ରବନ୍ଧ ପୁସ୍ତକ ‘ଭାରତ ସ୍ୱାଧୀନତାର ଅନାଲୋଚିତ ଅଧ୍ୟାୟ’ ପାଇଁ ନିରଞ୍ଜନ ବେହେରା, କବିତା ସଙ୍କଳନ ‘ଏକଶହ ଭାରାକ୍ରାନ୍ତ ଜହ୍ନରାତି’ ପାଇଁ ସାମ୍ବାଦିକ ତଥା କବି ରବିପ୍ରିୟ ଦାଶ, ଶିଶୁ ସାହିତ୍ୟରେ ‘କାଗଜ ଘର’ ଗଳ୍ପ ସଙ୍କଳନ ପାଇଁ ଯଜ୍ଞଦତ୍ତ ସାମନ୍ତରାୟ, ନାଟକ ‘ଶେଷଇଚ୍ଛା’ ପାଇଁ ଅଜୟ କୁମାର ସେଠୀ ଏବଂ ଶ୍ରେଷ୍ଠ ବିବେଚିତ ଉପନ୍ୟାସ ‘କାଳଦାସ’ ପାଇଁ ଔପନ୍ୟାସିକ ବିଭୂ ହୋତାଙ୍କୁ ସମ୍ମାନିତ କରାଯାଇଥିଲା । ଓଡ଼ିଆ (ସମ୍ମାନ)ରେ ଶ୍ରେଷ୍ଠ ବିବେଚିତ ଦୟାବିହାର କଲେଜ ଛାତ୍ରୀ ଲିପ୍ସାପ୍ରଜ୍ଞା ପଶ୍ଚିମକବାଟଙ୍କୁ ପୁରସ୍କୃତ କରାଯାଇଥିଲା । ଆଜୀବନ ସାହିତ୍ୟ ସାଧନା ପାଇଁ ସାରସ୍ୱତ ସାଧକ ବୈକୁଣ୍ଠନାଥ ନରେନ୍ଦ୍ରଙ୍କୁ ଶିକ୍ଷକ ସାରସ ପ୍ରାଣକୃଷ୍ଣ ସାହିତ୍ୟ ସମ୍ମାନ-୨୦୨୫ପ୍ରଦାନ କରାଯାଇଥିଲା । ବରିଷ୍ଠ କବି ଅଧିକାରୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।