
ଖୋର୍ଦ୍ଧା:୧୭/୬-ଓଡ଼ିଶା ବାୟୋଲୋଜିକାଲ ପ୍ରଡକ୍ଟ ଇନଷ୍ଟିଚ୍ୟୁଟର ଅବସରପ୍ରାପ୍ତ ଉପ ନିର୍ଦ୍ଦେଶକ ଡା. ଦୟାନିଧି ମିଶ୍ରଙ୍କର ୮୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସ୍ଥାନୀୟ ବିଡିଏ କଲୋନୀ ସ୍ଥିତ ବାସଭବନରେ ରହୁଥିବା ବେଳେ ସୋମବାର ସକାଳେ ସେ ନିଜ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁରେ ଶୋକର ଛାୟା ଖେଳିଯାଇଥିଲା।
ମୃତ୍ୟୁଶଯ୍ୟା ନିକଟରେ ଚାରି ପୁତ୍ର ଇଂ ସୁଶାନ୍ତ ମିଶ୍ର, ଭାରତୀୟ ସେନାରେ କାର୍ଯ୍ୟରତ ପ୍ରଶାନ୍ତ ମିଶ୍ର, ଆଇନଜୀବୀ ସୁମନ୍ତ ମିଶ୍ର ଓ ପ୍ରଦୀପ ମିଶ୍ର, ବୋହୂ ଓ ନାତିନାତୁଣୀମାନେ ଉପସ୍ଥିତ ଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ସୂଚନାଯୋଗ୍ୟ, ସ୍ୱର୍ଗତ ଦୟାନିଧି ମିଶ୍ର ଭେଟରନାରୀ ଡାକ୍ତର ଭାବେ ସୁନାମ ଅର୍ଜନ କରିଥିଲେ। ବିଭିନ୍ନ ସ୍ଥାନରେ ସିଡିଭିଓ ଭାବେ କାମ କରି ଶେଷରେ ଉପ ନିର୍ଦ୍ଦେଶକ ଭାବେ ଭୁବନେଶ୍ୱରରୁ ଅବସର ନେଇଥିଲେ।
ଖୋର୍ଦ୍ଧା ବିଡିଏ କଲୋନୀ ସ୍ଥିତ ଗାୟତ୍ରୀ ମନ୍ଦିର ପ୍ରତିଷ୍ଠାରେ ତାଙ୍କର ଅବଦାନ ଥିଲା। କଲୋନୀର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ସେ ସହଯୋଗ କରୁଥିଲେ। ଜଣେ ମିଷ୍ଟଭାଷୀ, ଭଲ ମଣିଷ ଭାବେ ତାଙ୍କର ସୁନାମ ଥିଲା। ତାଙ୍କ ମୃତ୍ୟୁରେ ବିଡିଏ କଲୋନୀ ଗାୟତ୍ରୀ ମନ୍ଦିର ନ୍ୟାସର ମୁଖ୍ୟ ପରିଚାଳକ ପ୍ରମୋଦ କୁମାର ପୃଷ୍ଟି, ଐତିହାସିକ ସତ୍ୟବାଦୀ ବଳିଆରସିଂହ, ଅବସରପ୍ରାପ୍ତ ପୁଲିସ ଅଧିକାରୀ ଅଶୋକ କୁମାର ପଣ୍ଡିତ ତଥା କଲୋନୀବାସୀ ଶୋକ ପ୍ରକାଶ କରିଛନ୍ତି।