ଭୁବନେଶ୍ୱର:୧୯/୭-ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଯୁବ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ନିମାପଡା ପୀଡ଼ିତାର ପରିବାରଙ୍କୁ ଏମ୍ସ୍ ଡାକ୍ତରଖାନାରେ ସାକ୍ଷାତ କରିଥିଲେ। ନିମାପଡା ନାବାଳିକାକୁ ଦୁର୍ବୃତ୍ତମାନେ ଜିଅନ୍ତା ପୋଡିବା ପ୍ରସଙ୍ଗରେ ଯୁବ କଂଗ୍ରେସର କର୍ମକର୍ତ୍ତାମାନେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସରକାରୀ ବାସଭବନ ଘେରଉ କରିଥିଲା। ‘ମହିଳାଙ୍କୁ ନ୍ୟାୟ ଦିଅ’, ‘ମହିଳା ଅତ୍ୟାଚର ବନ୍ଦ କର’ ଓ ‘ପ୍ରଭାତୀ ପରିଡ଼ା ଇସ୍ତଫା ଦିଅ’ ସ୍ଲୋଗାନ ଦେଇ ଯୁବ କଂଗ୍ରେସ କର୍ମକର୍ତ୍ତାମାନେ ପ୍ରଭାତୀ ପରିଡାଙ୍କ ଫାଟକ ପାଖରେ ବସିଥିଲେ । ପୁଲିସ ସମସ୍ତ ଯୁବ କଂଗ୍ରେସ କର୍ମୀଙ୍କୁ ଘଟଣାସ୍ଥଳରେ ଗିରଫ କରିଥିଲା ।

ଏହି ଅବସରରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର କହିଛନ୍ତି ଯେ, ନାରୀ ସୁରକ୍ଷାକୁ ନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଫମ୍ପା ଭାଷଣ ମାରୁଛନ୍ତି । କାରଣ ତାଙ୍କ ନିର୍ବାଚନ ମଣ୍ଡଳୀରେ ମହିଳା ଅସୁରକ୍ଷିତ । ନିମାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଳଙ୍ଗା ଥାନା ଅଧିନରେ କିଛି ଦୁର୍ବୃତ୍ତ ଜଣେ ନାବାଳିକାକୁ ପେଟ୍ରୋଲ ଢ଼ାଳି
ପୋଡ଼ି ଦେଇଛନ୍ତି। ନାବାଳିକା ଏମ୍ସ୍ରେ ଭର୍ତ୍ତି ହୋଇଛି। ସରକାର ନାବାଳିକାର ପରିବାରକୁ ଦୁଇ କୋଟି ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ଦାବି କରିବା ସହ ଅପରାଧିଙ୍କୁ ତୁରନ୍ତ ଗିରଫ କରି ଦୁଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ଦାବି କରାଯାଇଛି।