ଗାନ୍ଧିଜୀଙ୍କ ଉପରେ ବିଜେପି ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ

ଭୁବନେଶ୍ୱର:୫/୧୨-ଗାନ୍ଧିଜୀଙ୍କ ଉପରେ ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଗୁରୁବାର ବିଧାନସଭାରେ ଝଡ଼ ସୃଷ୍ଟି ହୋଇଥିଲା। ଗୃହରେ ପ୍ରଥମେ ହଟ୍ଟଗୋଳ ହେବା ପରେ ବିଧାନସଭା ପରିସରରେ ଥିବା ଗାନ୍ଧିଜୀଙ୍କ ପ୍ରତମୂର୍ତ୍ତୀ ତଳେ ଧାରଣା ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଧାରଣା ଦେଇଥିଲେ।
ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଓ ଶାସକ ଦଳର ବିଧାୟକମାନେ ଧାରଣା ସ୍ଥଳକୁ ଆସି ବିରୋଧୀଙ୍କୁ ବୁଝାଇଥିଲେ। ଗୁରୁବାର ଅପରାହ୍ଣ ଅଧିବେଶନରେ ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ଚାଲିଥିବା ବେଳେ ବିଜେପି ବିଧାୟକ ସନ୍ତୋଷ ଖଟୁଆ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଥିଲେ।
ବାଚସ୍ପତି ବିଧାୟକ ସନ୍ତୋଷ ଖଟୁଆ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ଗୃହ ବିବରଣୀରୁ ବାଦ ଦେଇଥିଲେ। ଏହା ସତ୍ତ୍ୱେ ବିରୋଧୀ ପ୍ରତିବାଦ କରିବା ସହ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ଅସମ୍ମାନ ପାଇଁ ବିଜେପି ବିଧାୟକ ସନ୍ତୋଷ ଖଟୁଆ ରାଜ୍ୟବାସୀଙ୍କ ନିକଟରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେଡି ଦାବି କରିଛି।
ବିଧାନସଭାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତି ବିଜେପି ବିଧାୟକ ସନ୍ତୋଷ ଖଟୁଆ ଦେଇଥିବା ବିବାଦୀୟ ବୟାନକୁ ତୀବ୍ର ନିନ୍ଦା କରିଛି ବିଜୁ ଜନତା ଦଳ। ଏହାକୁ ବିରୋଧ କରି ବିଜୁ ଯୁବ ଜନତା ଦଳ ଓ ଛାତ୍ର ଜନତା ଦଳ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ମାଷ୍ଟର କ୍ୟାଣ୍ଟିନ୍ ଛକରେ ଆନ୍ଦୋଳନ କରାଯାଇଥିଲା। ପବିତ୍ର ଗୃହରେ ଜାତିର ପିତାଙ୍କ ବିରୋଧରେ ବିଜେପି ବିଧାୟକ ଶ୍ରୀ ଖଟୁଆଙ୍କ ଦ୍ୱାରା ଅଶୋଭନୀୟ ଓ ଅପମାନଜନକ ମନ୍ତବ୍ୟକୁ କଡା ଭାଷାରେ ନିନ୍ଦା କରାଯିବା ସହ ନିସର୍ତ୍ତ କ୍ଷମା ପ୍ରାର୍ଥନା ପାଇଁ ଦାବି କରାଯାଇଛି।