ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀଙ୍କ ସମ୍ମିଳନୀ
-କ୍ୟାଡେଟ ପାଇଲଟ ପ୍ରୋଗ୍ରାମରେ ଓଡ଼ିଆ ଆଦିବାସୀ ଝିଅଙ୍କୁ ପାଇଲଟ ହେବା ପାଇଁ ଦିଆଯିବ ସ୍ୱତନ୍ତ୍ର ଟ୍ରେନିଂ
-ଢେଙ୍କାନାଳର ବିରାଶୋଳ ଠାରେ ହେବ ବିଶ୍ୱସ୍ତରୀୟ ବିମାନ ପ୍ରଶିକ୍ଷଣ କେନ୍ଦ୍ର
ଭୁବନେଶ୍ୱର:୨୫ ଅଗଷ୍ଟ- ଭୁବନେଶ୍ୱର ଠାରେ ଆୟୋଜିତ ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଘୋଷଣା କରିଥିଲେ ଯେ ରାଜ୍ୟ ସରକାରଙ୍କ ପ୍ରମୁଖ ପ୍ରୟାସ ବିଏମଏଏ ନେଟୱର୍କ ଅଧୀନରେ, କ୍ୟାଡେଟ୍ ପାଇଲଟ ପ୍ରୋଗ୍ରାମ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ଆଦିବାସୀ କନ୍ୟାମାନଙ୍କୁ ପାଇଲଟ ହେବା ପାଇଁ ଟ୍ରେନିଂ ଦିଆଯିବ। ଏହି ଅବସରରେ ରାଜ୍ୟ ସରକାର ଆଜି ଦେଶର ପ୍ରମୁଖ ବିମାନ ସେବା ଦାତା ଏୟାର ୱାର୍କ୍ସ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଏହା ଅନୁଯାୟୀ, ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଆଧୁନିକ ଏମ ଆର ଓ (ରକ୍ଷଣାବେକ୍ଷଣ ଓ ମରାମତି) ସୁବିଧା ସ୍ଥାପିତ ହେବ। ଏଥିସହିତ ରାଜ୍ୟର ଯୁବମାନଙ୍କ ପାଇଁ ଦକ୍ଷତା ବିକାଶ, ପ୍ରଶିକ୍ଷଣ ଓ ଚାକିରି ସୁଯୋଗ ସୃଷ୍ଟି କରିବା ନିମନ୍ତେ, ରାଜ୍ୟ ସରକାର ମଧ୍ୟ ଚୁକ୍ତି ସ୍ୱାକ୍ଷର କରିଛନ୍ତି।
ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୁରୀରେ ଏକ ବିଶ୍ୱସ୍ତରୀୟ ଆନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ହେଉଛି ଏବଂ ଏହି ବିମାନବନ୍ଦର ସାରା ବିଶ୍ୱର କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଦ୍ୱାରପଥ ହେବ। ଏଥିସହିତ ଝାରସୁଗୁଡା ବିମାନବନ୍ଦରର ସମ୍ପ୍ରସାରଣ ପାଇଁ ଜମି ବ୍ୟବସ୍ଥା କରାଯାଇଛି। ନୂଆ ସରକାର ଗଠନର ବିଗତ 14 ମାସ ମଧ୍ୟରେ, ଓଡିଶାର ବିମାନବନ୍ଦର ଗୁଡ଼ିକ 15ଟି ନୂଆ ଗନ୍ତବ୍ୟ ସହିତ ଯୋଡ଼ାଯାଇଛି। ଆମର ଏହି ନୀତି, ଓଡିଶାକୁ ଜାତୀୟ ଓ ଆନ୍ତର୍ଜାତୀୟ ବିମାନ ପରିବହନ ନେଟୱର୍କ ସହିତ ଯୋଡ଼ିବାରେ ସଫଳ ହୋଇଛି। ଆମେ ଏହି କ୍ଷେତ୍ରରେ, ଓଡିଶାକୁ ଆଗକୁ ନେବା ପାଇଁ ଭୂମିକା ସୃଷ୍ଟି ଓ କୌଶଳ ବିକାଶ ଉପରେ ମଧ୍ୟ ଜୋର ଦେଉଛୁ ଏବଂ ଢେଙ୍କାନାଳ ଜିଲ୍ଲାର ବିରାଶୋଳ ଠାରେ ଏକ ବିଶ୍ୱସ୍ତରୀୟ ବିମାନ ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ ହେବାକୁ ଯାଉଛି।

ଭୁବନେଶ୍ୱରରେ, ଏକ ରକ୍ଷାଣବେକ୍ଷଣ, ମରାମତି, ପୁନର୍ନିର୍ମାଣ କେନ୍ଦ୍ର ସ୍ଥାପନ କରୁଛୁ। ଏହାସହିତ ରାଜ୍ୟର ବିମାନବନ୍ଦରଗୁଡ଼ିକ ପାଇଁ ଜମି ପ୍ରଦାନ ନିମନ୍ତେ ସରକାର ଏକ ନୂଆ ନୀତି ଆଣିବା ପାଇଁ ଯାଉଛନ୍ତି। ଏହାର ଅନୁସାରେ, ଆମ ବିମାନ ବନ୍ଦର ମାନଙ୍କ ଭିତରେ ଫ୍ଲାଇଂ ପ୍ରଶିକ୍ଷଣ, ୟୁ ଏ ଭି ପ୍ରଶିକ୍ଷଣ ଓ ବିମାନ କ୍ରୀଡ଼ା କାର୍ଯ୍ୟକଳାପ ସମ୍ଭବ ହେବ। ବହୁତ ସଂଖ୍ୟକ ଫ୍ଲାଇଂ ପ୍ରଶିକ୍ଷଣ ସଂସ୍ଥାଗୁଡ଼ିକ ଆମ ବିମାନବନ୍ଦରମାନଙ୍କରେ ଏହି କାର୍ଯ୍ୟ କରିବେ। ରାଜ୍ୟରେ ଯେତେ ସବୁ ବ୍ୟବହାର ହେଉନଥିବା ବିମାନ ଅବତରଣ କେନ୍ଦ୍ର ଅଛି ସେଗୁଡ଼ିକୁ ସରକାର ବିମାନବନ୍ଦର ରୂପେ ବିକଶିତ କରୁଛନ୍ତି। ଏଭଳି 14ଟି ବିମାନବନ୍ଦର ହେବ ଏବଂ ଯେଉଁ ଜିଲ୍ଲାରେ ବିମାନବନ୍ଦର ନାହିଁ ସେଠାରେ ସମୁଦାୟ 15ଟି ହେଲିପୋର୍ଟ ସ୍ଥାପନ ପାଇଁ ସରକାର କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଉଡାଣ ଯୋଜନା ଟ୍ରାନ୍ସଫର୍ମେଟିଭ୍ ପଦକ୍ଷେପକୁ ପ୍ରେରଣା ଦେଇଛି, ଯାହା ସତ୍ୟରେ ଏଭିଏସନ୍କୁ ଡେମୋକ୍ରେଟାଇଜ୍ କରିଛି ଓ ପୂର୍ବ ଭାରତ ପାଇଁ ନୂଆ ଦିଗନ୍ତ ଖୋଲିଛି। ଏଭିଏସନ୍ କେବଳ ବିମାନବନ୍ଦର ଓ ବିମାନସେବା ପର୍ଯ୍ୟନ୍ତ ସୀମିତ୍ ନୁହେଁ, ଏହା ଆମ ଲୋକଙ୍କର ସ୍ୱପ୍ନକୁ ସୁଯୋଗ ସହିତ ଯୋଡିବା, ଆମର ଅର୍ଥନୀତିକୁ ସଶକ୍ତ କରିବା ଓ ବିକଶିତ ଭାରତ – ୨୦୪୭ ର ସ୍ୱପ୍ନକୁ ସାକାର କରିବାର ଏକ ଅନନ୍ୟ ପ୍ରୟାସ। ଆମ ପ୍ରଧାନମନ୍ତ୍ରୀଙ୍କର ଅବିରତ ପ୍ରୟାସ, ୨୦୪୭ ମଧ୍ୟରେ ଏକ ବିକଶିତ ଭାରତ ଗଢ଼ିବା ପାଇଁ, ଆମକୁ ସଦା ଉତ୍ସାହିତ କରୁଛି। ଆମେ ସମସ୍ତେ ମିଶି, ଓଡିଶାର କନେକ୍ଟିଭିଟିକୁ ସୁଦୃଢ଼ କରିବାରେ, ଓ ଆମର ଲୋକମାନଙ୍କର ଆକାଂକ୍ଷାକୁ ସାକାର କରିବାରେ ନିରନ୍ତର କାମ କରୁଛୁ।

କାର୍ଯ୍ୟକ୍ରମରେ ବେସାମରିକ ବିମାନ ପରିବହନ ମନ୍ତ୍ରୀ, ରାମ ମୋହନ ନାଇଡୁ କିଞ୍ଜାରାପୁ କହିଥିଲେ ଯେ, ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ, ହାୱାଇ ଚପଲ୍ ପିନ୍ଧିଥିବା ଲୋକମାନଙ୍କୁ ମଧ୍ୟ ଏବେ ଉଡ଼ାଜାହାଜରେ ଯିବା ସୁଯୋଗ ମିଳିବ ଏହାକୁ ସରକାର ସମ୍ପୂର୍ଣ୍ଣ ରୂପରେ କାର୍ଯ୍ୟକାରୀ କରିବାକୁ ସମସ୍ତ ପ୍ରୟାସ କାର୍ଯ୍ୟକାରୀ କରାଯିବ। ଓଡ଼ିଶାର ବିମାନ ଚଳାଚଳ ଭିତ୍ତିଭୂମି ପାଇଁ ସବୁ ପ୍ରକାର ସହଯୋଗ ଯୋଗେଇ ଦିଆଯିବ ବୋଲି ସେ କହିଥିଲେ।
ଏହି ଅବସରରେ କେନ୍ଦ୍ର ରାଜ୍ୟମନ୍ତ୍ରୀ ବେସାମରିକ ବିମାନ ପରିବହନ ମୁରଲୀଧର ମୋହଲ, ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ଅର୍ଥମନ୍ତ୍ରୀ, ଛତିଶଗଡ଼ ସରକାର, ଓମ ପ୍ରକାଶ ଚୌଧୁରୀ ପ୍ରମୁଖ ଅଭିଭାଷଣ ରଖିଥିଲେ। କାର୍ଯ୍ୟକ୍ରମରେ ବେସାମରିକ ବିମାନ ପରିବହନ ମନ୍ତ୍ରାଳୟର ସଚିବ ସମୀର ସିନ୍ହା ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରମୁଖ ଶାସନ ସଚିବ ବାଣିଜ୍ୟ ଓ ପରିବହନ ବିଭାଗ ଉଷା ପାଢ଼ୀ ବିବରଣୀ ରଖିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।