୨୦୨୬ ଜାନୁଆରୀରେ ହେବ ‘ଏଣ୍ଟରପ୍ରାଇଜ୍ ଓଡିଶା’
ଭୁବନେଶ୍ୱର:୨୨/୧୨-ହାଇଦ୍ରାବାଦରେ ଆୟୋଜିତ ଦୁଇ ଦିନିଆ ଓଡ଼ିଶା ନିବେଶକ ସମ୍ମିଳନୀ ଓ ରୋଡଶୋରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡିଶା ଭାରତର ସର୍ବବୃହତ ନିବେଶ କେନ୍ଦ୍ର ଭାବେ ପ୍ରତିଷ୍ଠା ହାସଲ କରିବ ବୋଲି ଦୃଢୋକ୍ତି ପ୍ରକାଶ କହିଛନ୍ତି। ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନାଦେଇ ସେ କହିଛନ୍ତି, ହାଇଦ୍ରାବଦ ସମ୍ମିଳନୀରୁ ଏହା ସ୍ପଷ୍ଟ ହୋଇଛି ଯେ, ନିବେଶକମାନଙ୍କ ଓଡିଶା ପ୍ରତି ଦୃଢ ବିଶ୍ୱାସ ରହିଛି। ଦୁଇଦିନ ଧରି ବିଭିନ୍ନ ଶିଳ୍ପପତି ଓ ନିବେଶକ ମାନଙ୍କ ସହିତ ଆଲୋଚନା କରିବା ପରେ ଏହାର ଫଳାଫଳ ଅତ୍ୟନ୍ତ ଉତ୍ସାହଜନକ ବୋଲି ପ୍ରକାଶ କରିଛନ୍ତି। ଏହି ଦୁଇ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଶିଳ୍ପପତିଙ୍କ ସହ ଆଲୋଚନା କରି ଓଡ଼ିଶାର ଶିଳ୍ପ ଯାତ୍ରା ଖୁବ ମଜବୁତ ହୋଇଥିବା କହିଛନ୍ତି।

ମୁଖ୍ୟମନ୍ତ୍ରୀ ଏକ ବ୍ୟାପକ ନିବେଶ ଅଭିଯାନର ନେତୃତ୍ୱ ନେଇ ହାଇଦ୍ରାବାଦ ଯାଇଥିଲେ। ଦୁଇଦିନ ବ୍ୟାପୀ ହୋଇଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାର ୭୩ଟି ଉଚ୍ଚସ୍ତରୀୟ ବୈଠକ ଏବଂ ୨ଟି କ୍ଷେତ୍ରୀୟ ରାଉଣ୍ଡ ଟେବୁଲ ଆଲୋଚନା କରିଥିଲେ। ପ୍ରଥମ ରାଉଣ୍ଡଟେବୁଲ ଆଲୋଚନା ଫାର୍ମାସେକ୍ଟର ଉପରେ ଆଧାରିତ ଥିଲା ଏବଂ ଆଠଟି ପ୍ରମୁଖ ଫାର୍ମା କମ୍ପାନୀ ସହିତ ଏହି ଆଲୋଚନା କରାଯାଇଥିଲା। ଦ୍ୱିତୀୟ ରାଉଣ୍ଡଟେବୁଲ ବୈଠକରେ ପ୍ରତିରକ୍ଷା କ୍ଷେତ୍ର ସମ୍ପର୍କିତ ୨୭ଟି କମ୍ପାନୀ ପ୍ରତିନିଧିଙ୍କ ସହିତ ଆଲୋଚନା ହୋଇଥିଲା। ଫାର୍ମା ଏବଂ ପ୍ରତିରକ୍ଷା ଏହି ଦୁଇଟି କ୍ଷେତ୍ର, ବର୍ତ୍ତମାନ ଓଡ଼ିଶାରେ ନଗଣ୍ୟ। ଏହି ଦୁଇଟି ରାଉଣ୍ଡଟେବୁଲ ଆଲୋଚନା ଦ୍ୱାରା ଏହି ଦୁଇଟି କ୍ଷେତ୍ରରେ ନିବେଶକଙ୍କୁ ଆକର୍ଷିତ କରାଯାଇଛି। ଦୁଇ ଦିନରେ ସେ ନିଜେ ୩୮ ଜଣ ଶିଳ୍ପପତିଙ୍କ ସହିତ ଆଲୋଚନା କରିଛନ୍ତି। ଏହି ବୈଠକରେ ଔଷଧ ଏବଂ ଚିକିତ୍ସା ଉପକରଣ, ପ୍ରତିରକ୍ଷା ଉତ୍ପାଦନ, ନବୀକରଣୀୟ ଶକ୍ତି ଉପକରଣ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି, ଡାଟା ସେଣ୍ଟର, ବୟନ ଏବଂ ବୈଷୟିକ ବୟନ ଏବଂ ଉନ୍ନତ ଉତ୍ପାଦନ ଭଳି କ୍ଷେତ୍ରଗୁଡ଼ିକରେ ନିବେଶ ସୁଯୋଗ ବିଷୟରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ହାଇଦ୍ରାବାଦରେ ଅନୁଷ୍ଠିତ ଏକ ମେଗା ଓଡ଼ିଶା ନିବେଶକ ରୋଡଶୋ ୫୦୦ ରୁ ଅଧିକ ଶିଳ୍ପପତି, ବ୍ୟବସାୟିକ ସଂଗଠନ ଏବଂ ଆନୁଷ୍ଠାନିକ ଅଂଶୀଦାରମାନେ ଅଂଶଗ୍ରହଣ କରିଥିଲେ। ଏହି ଆଲୋଚନା ଦ୍ୱାରା ଶିଳ୍ପପତିମାନେ ଓଡ଼ିଶାର ଶିଳ୍ପ ପରିବେଶ, ଭିତ୍ତିଭୂମି ଏବଂ ନୀତି-ଚାଳିତ ଅଭିବୃଦ୍ଧି ମଡେଲ ସମ୍ପର୍କରେ ଏକ ସ୍ପଷ୍ଟ ଚିତ୍ର ପାଇ ପାରିଥିଲେ।

ମୁଖ୍ୟମନ୍ତ୍ରୀ ନିଜେ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ପାଇଁ ତାଙ୍କର ଦୃଷ୍ଟିକୋଣ ଏବଂ ଉତ୍ପାଦନ ଓ ସେବା କ୍ଷେତ୍ରର ବିକାଶ ପାଇଁ ରୋଡମ୍ୟାପ୍ ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ ଆଗାମୀ ଦିନରେ ଶିଳ୍ପାୟନ ପାଇଁ ଆମର ରୋଡ୍ ମ୍ୟାପରେ ଏକ ନୂଆ ମାଇଲ୍ ଷ୍ଟୋନ ସ୍ଥାପନ ହେବାକୁ ଯାଉଛି। ଆସନ୍ତା ଜାନୁଆରୀ ୨୮ ଓ ୨୯ ତାରିଖରେ ରାଉରକେଲାରେ ଏଣ୍ଟରପ୍ରାଇଜ୍ ଓଡିଶା ଅନୁଷ୍ଠିତ ହେବ। ଏହା ସହିତ କଲିକତାରେ ମଧ୍ୟ ଏକ ଶିଳ୍ପ କନକ୍ଲେଭ୍ ହେବାର ଯୋଜନା ରହିଛି। ଓଡିଶାରେ ନିବେଶକୁ ସହଜ ଓ ସରଳ କରିବା ଏବଂ ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍ରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ଆଇନ୍ରେ ପ୍ରାୟ ୨୩ଟି ସଂଶୋଧନ କରାଯାଉଛି। ଗସ୍ତ ସମୟରେ ତେରଟି ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ସହିତ୨୭,୬୫୦ କୋଟି ଟଙ୍କାର ନିବେଶ ସୁଯୋଗ ମିଳିଛି। ଏହାଦ୍ୱାରା ୧୫,୯୦୫ ନିଯୁକ୍ତି ସୃଷ୍ଟି ହେବ। ଏହା ବ୍ୟତୀତ ୯ଟି ଇନଭେଷ୍ଟମେଣ୍ଟ ଇଣ୍ଟେଣ୍ଟ ଫାଇଲିଂ ମଧ୍ୟ ହୋଇଥିଲା। ଏହାଦ୍ୱାରା ୩୯,୧୩୧ କୋଟିର ଅଧିକ ନିବେଶ ସମ୍ଭାବନା ଏବଂ ୪୦,୪୩୫ ଲୋକଙ୍କ ପାଇଁ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି। ମୋଟ ଉପରେ, ହାଇଦ୍ରାବାଦ ରୋଡଶୋ ୬୬,୭୮୧ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ସୃଷ୍ଟି କରିଛି, ଯାହା ୫୬,୩୪୦ ନିଯୁକ୍ତି ସମ୍ଭାବନା ସହିତ ଏହାକୁ ଓଡ଼ିଶା ସରକାରଙ୍କ ନେତୃତ୍ୱରେ ସବୁଠାରୁ ସଫଳ ନିବେଶ ପ୍ରସାର କାର୍ଯ୍ୟକ୍ରମ ମଧ୍ୟରୁ ଗୋଟିଏ କରିଛି।