ଭୁବନେଶ୍ୱର:23/7ଭିଜିଲାନ୍ସ ହାତରେ ଧାରା ପଡିଛନ୍ତି ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ସମେତ ମୋଟ ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଭୁବନେଶ୍ୱରର ବଡ଼ଗଡ଼ ସ୍ଥିତ ତିନି ମହଲା କୋଠା ସହିତ ନିକଟସ୍ଥ ବାଲିଅନ୍ତା ତହସିଲର ରଣପୁରରେ ଥିବା ତାଙ୍କ ଫାର୍ମ ହାଉସ, ବିଏମସିରେ ଥିବା ତାଙ୍କ ଚାମ୍ବର ଓ ଗୁଣୁପୁର ସ୍ଥିତ ତାଙ୍କ ପୈତୃକ ଘରେ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ତାଙ୍କର ଅନେକ ଆୟ ବହିର୍ଭୁତ ସଂପତ୍ତି ଥିବା ଜଣା ଯାଇଛି। ସେହିପରି ଭୁବନେଶ୍ୱରର ବଡ଼ଗଡ଼ ଓ ଖଣ୍ଡଗିରି ଅଞ୍ଚଳରେ ତାଙ୍କର ୩ଟି ଦାମୀ ପ୍ଲଟ ଅଛି।

ବାଲିଅନ୍ତା ତହସିଲର ରଣପୁର ମୌଜାରେ ତାଙ୍କର ୧ ଏକର ୫୭ ଡିସିମିଲ ଜାଗାରେ ଏକ ଫାର୍ମ ହାଉସ୍ ରହିଛି। ଏହି ଫାର୍ମ ହାଉସରେ ତାଙ୍କର ଦୁଇଟି ଘର ଅଛି। ସେଠାରେ ଏକ ମାଛ ପୋଖରୀ , ନଡ଼ିଆ, କଦଳୀ, ଡ୍ରାଗନ ଫଳ , ପିଜୁଳି, ଆମ୍ବ, ବ୍ଳାକ୍ବେରୀ ଓ ରକ୍ତ ଚନ୍ଦନ ଭଳି ଗଛ ରହିଛି । କୁକୁଡ଼ା ଫାର୍ମ ମଧ୍ୟ ରହିଛି।
ହରିଣ ଶିଙ୍ଗ ଓ ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି। ତାଙ୍କ ଘରୁ ୪୬୦ ଗ୍ରାମର ସୁନା ଅଳଙ୍କାର ମିଳିଛି । ତାଙ୍କର ବ୍ୟାଙ୍କ ଓ ବୀମା ଜମା ସହିତ ମ୍ୟୁଚୁଆଲ ଫଣ୍ଡ ନିବେଶର ମୂଲ୍ୟ ୮୦ ଲକ୍ଷ ୩୫ ହଜାର ୩୭୧ ଟଙ୍କା ବୋଲି ଭିଜିଲାନ୍ସ ହିସାବ କରିଛି। ତାଙ୍କର ଗୋଟିଏ ଚାରି ଚକିଆ ଗାଡ଼ି ଓ ୨ଟି ଦୁଇ ଚକିଆ ଗାଡ଼ି ରହିଛି। ଜବତ ନଗଦ ଓ ଘରକରଣା ସାମଗ୍ରୀର ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କା ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଘର ଓ ପ୍ଲଟଗୁଡ଼ିକର ସଠିକ ମୂଲ୍ୟ ଜାଣିବା ପାଇଁ ଭିଜିଲାନ୍ସର ବୈଷୟିକ ଶାଖା ପକ୍ଷରୁ ହିସାବ ଜାରି ରହିଛି।
୧୯୯୨ରେ ସେ ସରକାରୀ ଚାକିରି ଆରମ୍ଭ କରିଥିଲେ। ୨୦୧୧ରେ ସେ ଭୁବନେଶ୍ୱର ମହାନଗର ନିଗରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ ଦାୟିତ୍ୱ ନେଇଥିଲେ। ୨୦୧୬ରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇଥିଲେ ଓ ସେଇଠାରେ ରହିଥିଲେ। ୨୦୨୪ ଅକ୍ଟୋବର ମାସରେ ସେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇ କାର୍ଯ୍ୟ କରୁଛନ୍ତି।