ଭୁବନେଶ୍ୱର:୧୪/୧-ବୁଧବାର ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ରାଜ୍ୟସ୍ତରୀୟ ବ୍ୟାସକବି ଫକୀର ମୋହନ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଆଜିର ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ କୁଳପତି ଡଃ ଅମିୟ ପଟ୍ଟନାୟକ ଫକୀର ମୋହନଙ୍କୁ ଓଡ଼ିଆ ଭାଷାର ଜଣେ କିମ୍ବଦନ୍ତୀ ପୁରୁଷ ବୋଲି କହିବା ସହ ସାମାଜିକ ବ୍ୟବସ୍ଥାରେ ନାରୀ ଶିକ୍ଷାର ପ୍ରସାର ପାଇଁ ତାଙ୍କର ଅଦମ୍ୟ ଚେଷ୍ଟା ତାଙ୍କୁ କାଳଜୟୀ କରିଛି ବୋଲି ପ୍ରକାଶ କରିଛନ୍ତି ।

କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥି ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟ ଅଧୀନ ସେଣ୍ଟର ଫର୍ ଜୁଡ଼ିସିଆଲ ଆର୍କାଇଭସ୍ର ପ୍ରାକ୍ତନ ନିର୍ଦ୍ଦେଶକ ଡଃ ଲଲାଟେନ୍ଦୁ ଦାସ ମହାପାତ୍ର, ରାଜ୍ୟସ୍ତରୀୟ ବ୍ୟାସକବି ଫକୀର ମୋହନ ସ୍ମୃତି ସଂସଦର ସଭାପତି ଜୀବନ କୁମାର ମହାପାତ୍ର, ସମ୍ପାଦକ ଅଜୟ ମହାନ୍ତି, ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଗୁରୁବୀର ସିଂ, ଉପନିର୍ଦେଶିକା ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଡଃ ପଟ୍ଟନାୟକ ଫକୀରମୋହନ ସେନାପତିଙ୍କ ଲେଖନୀକୁ ସମୃଦ୍ଧ ଓଡ଼ିଶାର ଲେଖନୀ ବୋଲି ଅଭିବ୍ୟକ୍ତି ରଖିଛନ୍ତି । ଫକୀରମୋହନଙ୍କ ଅଭିନବ ଗଦ୍ୟଶୈଳୀ, କଥାସାହିତ୍ୟ ଓ କାଳ୍ପନିକ ଚରିତ୍ରଗୁଡ଼ିକ ଥିଲା ଅନନ୍ୟ । ଭାଷା ଆନ୍ଦୋଳନର କର୍ଣ୍ଣଧାର, ଓଡ଼ିଆ ପାଠ୍ୟପୁସ୍ତକର ପ୍ରଣେତା, ସମ୍ବାଦପତ୍ର ପ୍ରକାଶନ, ସଂଗଠନ, ଛାପାଖାନା ପ୍ରତିଷ୍ଠା, ଅନୁବାଦ ଏବଂ ସାମ୍ବାଦିକତା ଆଦି କ୍ଷେତ୍ରରେ ସେ ନିଜର ଅବଦାନ ପ୍ରକଟ କରିଯାଇଛନ୍ତି । ଫକୀର ମୋହନଙ୍କୁ ଓଡ଼ିଆ ଭାଷାସାହିତ୍ୟର ଜନକ, କଥାସମ୍ରାଟ, ବ୍ୟାସକବି ଭାବେ ସମ୍ମାନ ଦିଆଯାଇଛି ବୋଲି ମୁଖ୍ୟ ଅତିଥି ମତପ୍ରକାଶ କରିଛନ୍ତି ।
କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଡଃ ମହାପାତ୍ର କହିଛନ୍ତି, ଓଡ଼ିଆ ଭାଷା ସାହିତ୍ୟର ପରମ ବିନ୍ଧାଣୀ, ଆଧୁନିକ ଓଡ଼ିଆ ସାହିତ୍ୟର ଅଗ୍ରଦୂତ ବ୍ୟାସକବି ଫକୀରମୋହନ ଓଡ଼ିଆ ସାହିତ୍ୟରେ ଏକ ବିରଳ ଦୃଷ୍ଟାନ୍ତ ଥିଲେ । ଓଡ଼ିଆ ମାଟି, ଓଡ଼ିଆ ଜାତି ଓ ମାତୃଭୂମି ପାଇଁ ତାଙ୍କର ଉତ୍ସର୍ଗୀକୃତ ମନୋଭାବ ପାଇଁ ଆଜି ମାତୃଭାଷାର ଗୁରୁତ୍ୱ ବଢିଛି । ଦୈନନ୍ଦିନ ସମାଜ ବ୍ୟବସ୍ଥାକୁ ସେ ତାଙ୍କ ଲେଖନୀ ମୁନରେ ପରିସ୍ଫୁଟନ କରି ଜଣେ ସମାଜ ସୁଧାରକ ଭାବେ ନିଜର ଯଶ ଓ କୀର୍ତ୍ତି ରଖି ଯାଇଛନ୍ତି । ଫକୀରମୋହନଙ୍କ ସାହିତ୍ୟସୃଷ୍ଟି ଆଜି ଭାରତର ବିଭିନ୍ନ ଭାଷାରେ ଅନୂଦିତ ହୋଇ ପାଠକୀୟ ଆଦୃତି ଲାଭ କରିଛି।
ସଭାର ସଭାପତି ତଥା ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଅଭିଭାଷଣ ଦେଇ କହିଛନ୍ତି ଯେ ବ୍ୟବସ୍ଥାର ଆଲୋଚନା ସହିତ କୁସଂସ୍କାର ଦୂର କରିବା ଦିଗରେ ବ୍ୟାସକବିଙ୍କ ଅବଦାନ ଅବିସ୍ମରଣୀୟ । ରେବତୀ ଗଳ୍ପ ଆଜି ବି ସମୟୋପଯୋଗୀ । ସେ ‘ଛ ମାଣ ଆଠଗୁଣ୍ଠ’ ହେଉ ବା ‘ରେବତୀ’ କିମ୍ବା ‘ଲଛମା’ ଆଜି ବି ଯୁଗୋପଯୋଗୀ । ବହୁବର୍ଷ ଆଗରୁ ସେ ଯେଉଁ ଚରିତ୍ରମାନଙ୍କୁ ଗଢ଼ି ଦେଇ ଯାଇଛନ୍ତି, ସେମାନେ ଆଜି ମଧ୍ୟ ଭିନ୍ନ ରୂପରେ ଜୀବନ୍ତ ଅଛନ୍ତି। କାର୍ଯ୍ୟକ୍ରମରେ ଉପ ନିର୍ଦ୍ଦେଶିକା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ରାଜ୍ୟସ୍ତରୀୟ ବ୍ୟାସକବି ଫକୀର ମୋହନ ସ୍ମୃତି ସଂସଦର ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ।