ଭୁବନେଶ୍ୱର:୧/୮- ରାଜ୍ୟରେ ଖରିଫ ଋତୁ ଧାନ କ୍ରୟ ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି । ଗତ ମାସ ୧୯ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏଥିପାଇଁ ଚାଷୀମାନଙ୍କ ମଧ୍ୟରେ ପଞ୍ଜୀକରଣ ପାଇଁ ଆଗ୍ରହ ପରିଲକ୍ଷିତ ହେଉଛି। ଚାଷୀମାନେ ନିକଟସ୍ଥ ପ୍ରାଥମିକ କୃଷି ସମବାୟ ସମିତି ପ୍ୟାକସ୍, ଲ୍ୟାମ୍ପସ୍ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କିମ୍ବା ପାଣିପଞ୍ଚାୟତରେ ଆଗୁଆ ପଞ୍ଜୀକରଣ କରୁଛନ୍ତି । ଚଳିତ ବର୍ଷ ଆଜି ସୁଦ୍ଧା ୩ ଲକ୍ଷ ୯୫ ହଜାର ୯୪୯ ଜଣ ଚାଷୀ ପଞ୍ଜୀକରଣ କରିଥିବାବେଳେ ଗତବର୍ଷ ଆଜିର ଦିନ ସୁଦ୍ଧା ୩ ଲକ୍ଷ ୮୭ ହଜାର ୧୦୪ ଜଣ ଚାଷୀ ପଞ୍ଜୀକରଣ କରିଥିଲେ । ଚଳିତ ବର୍ଷ ଗତବର୍ଷ ତୁଳନାରେ ୫ ଦିନ ବିଳମ୍ବରେ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଅଧିକ ଚାଷୀ ପଞ୍ଜୀକରଣ କରିଥିବାରୁ ଶେଷ ତାରିଖ ସୁଦ୍ଧା ଗତବର୍ଷ ଅପେକ୍ଷା ଯଥେଷ୍ଟ ଅଧିକ ଚାଷୀ ପଞ୍ଜୀକରଣ କରିବେ ବୋଲି ବିଭାଗ ଆଶା ରଖିଛି।

ସମସ୍ତ ପଞ୍ଜୀକୃତ ଚାଷୀମାନଙ୍କର ବ୍ୟାଙ୍କ ଆକାଉଣ୍ଟ ଆଧାର ସଂଯୋଗୀକରଣ କରିବା ସହ ଇ-କେୱାସି ବାଧ୍ୟତାମୂଳକ ଭାବେ କରାଯାଇଛି। ଯୋଗ୍ୟ ଚାଷୀମାନଙ୍କୁ ଧାନକିଣା ପ୍ରକ୍ରିୟାରେ ସାମିଲ କରିବା ଏବଂ ନକଲି ଚାଷୀମାନଙ୍କୁ ଏହି ପ୍ରକ୍ରିୟାରୁ ବାଦ ଦେବା ଉଦ୍ଦେଶ୍ୟରେ ଚଳିତ ବର୍ଷ ଆଧାରଭିତ୍ତିକ ଇ-କେୱାସି କରାଯାଉଛି। ଏହାଦ୍ୱାରା ଯୋଗ୍ୟଚାଷୀମାନଙ୍କ ମଧ୍ୟରେ ଧାନ ବିକ୍ରୟ ପାଇଁ ଆଗ୍ରହ ପରିଲକ୍ଷିତ ହେଉଛି। ଏତଦ୍ବ୍ୟତୀତ ଭାଗଚାଷୀ ଏବଂ ଅଧିକରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ମଧ୍ୟ ଉପକୃତ ହୋଇପାରିବେ। ସମସ୍ତ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରେକର୍ଡଧାରୀ ତଥା ଜମି ମାଲିକଙ୍କ ସହମତି ପତ୍ର ସଂଲଗ୍ନ କରାଯାଉଛି। ଏହାଦ୍ୱାରା ଧାନ ସଂଗ୍ରହବେଳେ କୌଣସି ସ୍ତରରେ ଯୋଗ୍ୟଚାଷୀ ସମସ୍ୟାର ସମ୍ମୁଖୀନ ହେବେ ନାହିଁ ।

ଧାନ ବିକ୍ରୟ ଉଦ୍ଦେଶ୍ୟରେ ଚାଷ ଅନୁପଯୋଗୀ ଜମି କିମ୍ବା ଅଣଧାନ ଚାଷ ହୋଇଥିବା ଜମିକୁ ପଞ୍ଜୀକରଣ ପ୍ରକ୍ରିୟାରୁ ବାଦ ଦେବା ପାଇଁ ସମିତି ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । କୌଣସି ସମସ୍ୟା ଥିଲେ ଚାଷୀମାନେ ଦେୟମୁକ୍ତ ନଂ-୧୯୬୭ରେ ଯୋଗାଯୋଗ କରିପାରିବେ ବୋଲି ବିଭାଗ କହିଛି ।