ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର
ଭୁବନେଶ୍ୱର୫/୧୨- ଗତ ନଭେମ୍ବର ୨୪ ତାରିଖରେ ଏକ ଜଲିଆତି ପତ୍ରର ପ୍ରଚାର ହେଉଥିବା ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗର ନଜରକୁ ଆସିଛି। ସରକାର ଗ୍ରାମ ପଞ୍ଚାୟତ ପିଅନ ନାମରେ ଏକ ପଦବୀ ସୃଷ୍ଟି କରିଛନ୍ତି ଏବଂ ପ୍ରତିମାସ ଦରମା ଭାବେ ୧୩,୧୬୦ ଟଙ୍କା ଦିଆଯିବ ବୋଲି ଏହି ପତ୍ରରେ ଭ୍ରମାତ୍ମକ ଦାବି କରାଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏହି ପତ୍ର ଜାରି ହୋଇନାହିଁ ଏବଂ ଏହା ସମ୍ପୁର୍ଣ୍ଣ ଭାବେ ଜାଲିଆତି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ନକଲି ପତ୍ରଟି ସାମାଜିକ ଗଣମାଧ୍ୟମ, ଗଣମାଧ୍ୟମ ଏବଂ ପ୍ରମୁଖ ଗଣମାଧ୍ୟମମାନଙ୍କରେ ବିସ୍ତୃତ ଭାବରେ ପ୍ରଚାର ହୋଇ ଜନସାଧାରଣଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରିଛି। ବିଭାଗ ପକ୍ଷରୁ ଏନେଇ ସାଇବର୍ କ୍ରାଇମ୍ ସେଲ୍ରେ ଏଫ୍ଆଇଆର କରାଯାଇ ମାମଲା ରୁଜୁ ପାଇଁ ଗୃହ ବିଭାଗକୁ ପତ୍ର ପ୍ରେରଣ କରାଯାଇଛି। ଜାଲିଆତି ପତ୍ରର ସୃଷ୍ଟିକର୍ତ୍ତା, ଉତ୍ସ ଓ ପ୍ରଚାରକମାନଙ୍କ ଠିକଣା ଚିହ୍ନଟ କରି ତଦନ୍ତ କରିବାକୁ ଏଥିରେ ଉଲ୍ଲେଖ କରାଯାଇଛି। ସମସ୍ତ ଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧୁକାରୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଏବଂ ଗ୍ରାମ ପଞ୍ଚାୟତ କର୍ମଚାରୀମାନଙ୍କୁ ଏହି ପତ୍ରକୁ ଗୁରୁତ୍ୱ ନଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଜନସାଧାରଣଙ୍କୁ ସତର୍କ ରହିବା ସହ ଏହି ଜାଲିଆତି ପତ୍ରର ବିଷୟବସ୍ତୁ ଉପରେ କୌଣସି କାର୍ଯ୍ୟନୁଷ୍ଠାନ ନ କରିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଆଧିକରିକ ଭାବେ କେବଳ ସରକାରୀ ମାଧ୍ୟମରେ ଜାରି ହୋଇଥିବା ସୂଚନାକୁ ବିଶ୍ୱାସ କରିବାକୁ ଏବଂ ସନ୍ଦେହଜନକ ପତ୍ର ବା ଦଳିଲକୁ ସଙ୍ଗେ ସଙ୍ଗେ ଅଧିକାରୀଙ୍କ ନଜରକୁ ଆଣିବାକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।