ଭୁବନେଶ୍ୱର:୭/୧୨- ମା’ ଙ୍କ ଡୋରି ଲାଗିଲା, ମା’ ଙ୍କ ସେବା ପାଇଁ ସୁଯୋଗ ମିଳିଲା। ଆଜି କେନ୍ଦୁଝର ଘଟଗାଁ ମା’ ତାରିଣୀଙ୍କ ପୀଠର ସମନ୍ୱିତ ବିକାଶ ପାଇଁ ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। କେନ୍ଦୁଝର ଜିଲ୍ଲା ତଥା ଓଡ଼ିଶା ପାଇଁ ଅନେକ ବର୍ଷର ବହୁ ଆକାଂକ୍ଷିତ ପ୍ରକଳ୍ପ ଆଜି ସଫଳତାର ସହ ଆରମ୍ଭ ହୋଇଛି। ଘଟଗାଁ ଠାରେ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ମା’ ତାରିଣୀଙ୍କ ପୀଠର ସମନ୍ୱିତ ଉନ୍ନତିକରଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି। ସମୁଦାୟ ୩୧୩ କୋଟି ଟଙ୍କା ବ୍ୟୟ ବରାଦରେ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ଏବଂ ଆଗାମୀ ଏକ ବର୍ଷ ମଧ୍ୟରେ ଏହି ଉନ୍ନତିକରଣ କାର୍ଯ୍ୟ ସମାପ୍ତ ହେବ ବୋଲି ସମୟସୀମା ଧାର୍ଯ୍ୟ କରାଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖି ତାଙ୍କ ଅଠରମାସ ତଳର ପରିକଳ୍ପନା ଆଜି ସାକାର ରୂପ ନେଇଥିବାରୁ ସେ ଭାବବିହ୍ୱଳ ହୋଇ ପଡ଼ିଥିଲେ ଏବଂ କହିଥିଲେ ଯେ, ମା’ ତାରିଣୀଙ୍କ ପୀଠକୁ ଏକ ବିଶ୍ୱସ୍ତରୀୟ ଧର୍ମୀୟ ଓ ପର୍ଯ୍ୟଟନସ୍ଥଳୀ ଭାବେ ଗଢି ତୋଳିବାକୁ ସରକାର ସମସ୍ତ କାର୍ଯ୍ୟ କରିବେ। ମା’ଙ୍କ ପୀଠର ଉନ୍ନତିକରଣ ପାଇଁ କୌଣସି ବାଧା ବାଧକ ସାଜିବ ନାହିଁ । ଅର୍ଥର ଅଭାବ ନାହିଁ କାରଣ, ଏହି ଉନ୍ନତିକରଣ କାର୍ଯ୍ୟ ମା’ଙ୍କ ଆଶୀର୍ବାଦରେ ହେଉଛି।
ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶ୍ୱିକ ବିକାଶ ପାଇଁ ମଂଜୁର ହୋଇଥିବା ୩୧୩ କୋଟି ଟଙ୍କା ଏକ ବର୍ଷ ମଧ୍ୟରେ ଖର୍ଚ୍ଚ ହେବ ଆଉ ଆଗାମୀ ଏକବର୍ଷ ମଧ୍ୟରେ ଏହି ଅଂଚଳରେ ସମସ୍ତ ତୀର୍ଥଯାତ୍ରୀ ସୁବିଧା ଉପଲବ୍ଧ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେଯେ ଆଉ ଅଧିକ ବ୍ୟୟ ଏହି ପ୍ରକଳ୍ପ ସହିତ ଯୋଡ଼ା ଯାଇ ମନ୍ଦିରର ଦେହୁରୀମାନଙ୍କ ସୁବିଧା ନିମନ୍ତେ ରହିବା ଗୃହ ମଧ୍ୟ ନିର୍ମାଣ ହେବ। ପୂର୍ତ୍ତ ବିଭାଗ ଏଥିନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସେ ଜିଲ୍ଲାପାଳଙ୍କୁ ଡିପିଆର ମଧ୍ୟ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ପ୍ରାୟ ୬୦ ଏକର ଜମିରେ ପରିବ୍ୟାପ୍ତ ହେବାକୁ ଥିବା ଏହି ଉନ୍ନତିକରଣ କାର୍ଯ୍ୟରେ ୨୧୬ ଶଯ୍ୟା ବିଶିଷ୍ଟ ଯାତ୍ରୀ ନିବାସ, ତୀର୍ଥଯାତ୍ରୀ କେନ୍ଦ୍ର, ବ୍ୟାଖ୍ୟାନ କେନ୍ଦ୍ର, ଖାଦ୍ୟ ପ୍ଲାଜା, ୱାଚ ଟାୱାର, ମାର୍କେଟ୍ କମ୍ପେ୍ଲକ୍ସ, ନଡ଼ିଆ ଗୋଦାମ ଏବଂ ୫୦୦ ଜଣଙ୍କ ପାଇଁ ବିଶାଳ ପ୍ରସାଦ ସେବନ ହଲ୍, ଶୌଚାଳୟ ବ୍ଲକ, ପୋଷାକ କୋଠରୀ, ଜୋତା ଷ୍ଟାଣ୍ଡ, ଟିକେଟ କାଉଣ୍ଟର, ହାତ-ପାଦ ଧୋଇବା ସ୍ଥାନ ଏବଂ ଡ୍ରାଇଭରମାନଙ୍କ ପାଇଁ ରେଷ୍ଟରୁମ ନିର୍ମାଣ କରାଯିବ। ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତିକରଣ, ପାର୍କିଂ, ଚାରିଟି ପୁଷ୍କରିଣୀର ସୋନ୍ଦର୍ଯ୍ୟକରଣ ଆଦି ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ।

ରାଉରକେଲା ଓ ଯାଜପୁର ଭଳି କେନ୍ଦୁଝର ଏକ ଇସ୍ପାତ ନଗରୀ ଭାବେ ଓଡ଼ିଶାର ଅର୍ଥନୀତିରେ ଆହୁରି ଅବଦାନ ରଖିବ। ସବୁ ଶିଳ୍ପ ଓ ଖଣି ଅଞ୍ଚଳକୁ ୬ ଥାକିଆ ରାସ୍ତା କରିବା ପାଇଁ ଆମ ସରକାର ନିଷ୍ପତ୍ତି ନେଇଛି। କେନ୍ଦୁଝରକୁ ପ୍ରାୟ ଅଧିକାଂଶ ରାସ୍ତା ୬ ଥାକିଆ ବିଶିଷ୍ଟ କରାଯିବ ବଡ଼ବିଲରେ ଏକ ରିଙ୍ଗ ରୋଡ଼ କରାଯିବ। ରାଜ୍ୟରେ କେତେଗୁଡ଼ିଏ ଇକୋନୋମିକ ଜୋନର ବିକାଶ କରାଯାଉଛି। ଏଥିରେ କେନ୍ଦୁଝର-ବଡ଼ବିଲ-ଯୋଡ଼ା ଅଞ୍ଚଳକୁ ରାଜ୍ୟର ଏକ ସୁଦୃଢ଼ ଅର୍ଥନୈତିକ ଜୋନରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯାଉଛି। କେନ୍ଦୁଝର ଜିଲ୍ଲାରେ ଅନେକ ବିକାଶ ପ୍ରକଳ୍ପ ଜାରି ରହିଛି। ସେ ଗୁଡ଼ିକର ଆପଣଙ୍କ ପାଇଁ ଖୁବ୍ ଶୀଘ୍ର ଲୋକାର୍ପଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସୁନାର କେନ୍ଦୁଝର କେବଳ ଏକ କଥା ହୋଇ ରହିବ ନାହିଁ, ଏହା ସାରା ଓଡ଼ିଶା ପାଇଁ ହେବ ଏକ ବାସ୍ତବତା ବୋଲି ସେ କହିଥିଲେ।