ଭୁବନେଶ୍ୱର:26/12/2024- ଓଡ଼ିଶାବାସୀଙ୍କ ଭାବନା ସହ ବିଜେଡି ଯୋଡି ହୋଇ ରହିଛି। ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ଦଳ ଓଡ଼ିଶାବାସୀଙ୍କ ସେବା କରି ଚାଲିବ। ଏକ ସଶକ୍ତ ଆଞ୍ଚଳିକ ଦଳ ଭାବେ ରାଜ୍ୟର ସ୍ୱାର୍ଥ ସୁରକ୍ଷା ତଥା କେନ୍ଦ୍ର ଅବିଚାର ବିରୋଧରେ ବିଜେଡିର ଲଢ଼େଇ ଜାରି ରଖିବ।

ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ଅବସରରେ ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଶଙ୍ଖ ଭବନରେ ଆୟୋଜିତ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, ବିଜେଡି ଓଡ଼ିଶାକୁ ଏକ ସମୃଦ୍ଧ ଓ ସଶକ୍ତ ରାଜ୍ୟର ପରିଚୟ ଦେଇଛି। ହାରିଛୁ କିନ୍ତୁ ଆମେ ଲୋକଙ୍କ ବିଶ୍ୱାସ ହରାଇନୁ। ଆମ ଭୁଲ ହେଲା ବିଜପିର ନକରାତ୍ମକ ଓ ମିଥ୍ୟା ପ୍ରଚାରର କାଉଣ୍ଟର କରି ନ ପାରିବା। ଓଡ଼ିଶାବାସୀଙ୍କ ଭାବାବେଗ ସହ ବିଜେଡି ଯୋଡି ହୋଇ ରହିଛି ଏବଂ ଏମିତି ରହିଥିବ ବୋଲି ସେ କହିଛନ୍ତି ।