ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ, ବିଏମସିକୁ ପତ୍ର ଦେଲା ବିଡିଏ

ଭୁବନେଶ୍ୱର :୨୫/୯- ସାଧାରଣ ପ୍ରଶାସନ ବିଭାଗରୁ ଶସ୍ତାରେ ଜାଗା ନେଇ ଅନେକ ବ୍ୟକ୍ତି ଏହି ଜାଗାର ସୀମା ବାହାରେ ବେନିୟମ ନିର୍ମାଣ କାର୍ଯ୍ୟ ଚଳାଇଛନ୍ତି। ଏପରିକି ରାସ୍ତା ଉପରେ ମଧ୍ୟ ଘର ନିର୍ମାଣ କରାଯାଉଛି। ଫଳରେ ରାସ୍ତା ପ୍ରଶସ୍ତ କରାଯିବା, ଡ୍ରେନ ଖୋଳିବା ବେଳେ ମହାନଗର ନିଗମ ସମସ୍ୟାର ସମ୍ମୁଖୀନ ହେଉଛି। ବିଡ଼ିଏ ଏବଂ ହାଉସିଂବୋର୍ଡ଼ ଘର ସମ୍ମୁଖରେ ବି ଏଭଳି ନିର୍ମାଣକାର୍ଯ୍ୟ କରାଯାଇଛି। ବେନିୟମ ନିର୍ମାଣକାର୍ଯ୍ୟ ଭାଙ୍ଗିବା ବେଳେ ମହାନଗର ନିଗମର କର୍ମଚାରୀଙ୍କୁ ଜବରଦଖଲକାରୀ ନାଲିଆଖି ଦେଖାଉଛନ୍ତି। ଏହା ଏବେ ଭୁବନେଶ୍ୱରରେ ପ୍ରମୁଖ ସମସ୍ୟା ଭାବେ ଦେଖାଦେଇଛି। ବହୁ ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ପ୍ରଭାବଶାଳୀ ବ୍ୟକ୍ତି ଜାଗା ବାହାରେ ତାରବାଡ଼ ଦେଇ ଗଛ ଲଗାଇବା ଭଳି କାର୍ଯ୍ୟ ଅନେକ ଜଗାରେ ଦେଖିବାକୁ ମିଳୁଛି। ମୁଖ୍ୟ ରାସ୍ତା ପାଶ୍ୱର୍ରେ ସାଧାରଣ ପ୍ରଶାସନ ବିଭାଗ ଜାଗାରେ ଗଢ଼ି ଉଠିଥିବା ଆପାର୍ଟମେଣ୍ଟ ପ୍ରବେଶ ପଥ ଡ୍ରେନ ଉପର ଦେଇ ରାସ୍ତାକୁ ଲମ୍ବିଛି।
ଅନେକ ସ୍ଥାନରେ ପ୍ଲଟର ଉଭୟ ପାଶ୍ୱର୍ରେ ନିୟମ ମୁତାବକ ଜାଗା ନଛାଡ଼ି ନିର୍ମାଣ କାର୍ଯ୍ୟ କରାଯିବା ଦ୍ୱାରା ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି। ଡ୍ରେନ ଓ ରସ୍ତା ଜବରଦଖଲ ଯୋଗୁଁ ରାସ୍ତାଗୁଡ଼ିକ ସଙ୍କୁଚିତ ହେବା ଏବଂ ଯାନବାହନ ଚଳାଚଳରେ ସମସ୍ୟା ସୃଷ୍ଟି କରୁଛି। ଡ୍ରେନ ଗୁଡ଼ିକ ମଧ୍ୟ ପୋତି ହେଉ ଅଚଳାବସ୍ଥା ସୃଷ୍ଟି କରୁଛି। ଜଳନିଷ୍କାସନ ବାଧାପ୍ରାପ୍ତ ହେଉଛି।
ଏଭଳି ଏକ ଅଭିଯୋଗ ଉପରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଆବଶ୍ୟକ ଆଇନଗତ ପଦକ୍ଷେପ ନେବାକୁ ମହାନଗର ନିଗମ ଅତିରିକ୍ତ କମିଶନରଙ୍କୁ ପତ୍ରଲେଖି ଅବଗତ କରିଛନ୍ତି। ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ଶୈଳଶ୍ରୀବିହାର ଡିଫେନ୍ସ କଲୋନୀ ୭ ନମ୍ବର ୱାର୍ଡରେ ଜିଏ ପ୍ଲଟ ନମ୍ବର ୨୬୩ ଓ ୨୫୬ର ବେନିୟମ ନିର୍ମାଣ ଯୋଗୁଁ ଜନସାଧାରଣ ହଇରାଣ ହରକତ ହେଉଥିବା ନେଇ ୨୬୨ରେ ରହୁଥିବା ମିହିର କୁମାର ମିଶ୍ର ବିଡିଏ ନିକଟରେ ଅଭିଯୋଗ କରିଥିଲେ। ଏହା ଭୁବନେଶ୍ୱର ମହାନଗର ନିଗମର ବିଧି ସଂଗତ ଅଧିକାର ପରିସରଭୁକ୍ତ ହୋଇଥିବାରୁ ବିଡ଼ିଏ ଯୁଗ୍ମ କମିଶନର(ଏନଫୋର୍ସମେଣ୍ଟ) ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଏମସିର ଅତିରିକ୍ତ କମିଶନରଙ୍କୁ ଜଣାଇଛନ୍ତି।