୮୯୧.୩୯ କୋଟି ଟଙ୍କାର ୩୬୧୨ଟି ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ
ଭୁବନେଶ୍ୱର:୧୮/୧-କଳାହାଣ୍ଡି ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଅଞ୍ଚଳ ମଧ୍ୟରୁ ଅନ୍ୟତମ। କଳାହାଣ୍ଡି ଜିଲ୍ଲାର ପ୍ରତି କୋଣ ଅନୁକୋଣରେ ଭରି ରହିଛି ଭାବନା, ସାହସ, ସ୍ଥିରତା ଏବଂ ଆତ୍ମସମ୍ମାନ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଘୁମୁରା ମହୋତ୍ସବ ୨୦୨୬ ଉଦ୍ଯାପନୀ ସନ୍ଧ୍ୟାରେ ଯୋଗ ଦେଇ କହିଛନ୍ତି। ମହୋତ୍ସବରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲା ପାଇଁ ୮୯୧.୩୯ କୋଟି ଟଙ୍କାର ୩୬୧୨ଟି ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏଥିରେ ୧୯୩.୩୬ କୋଟି ଟଙ୍କାର ୯୭୧ଟି ପ୍ରକଳ୍ପର ଉଦ୍ଘାଟନ ଓ ୬୯୮.୩ କୋଟି ଟଙ୍କା ମୂଲ୍ୟର ୨୬୪୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ରହିଛି।

ଗତବର୍ଷ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ୬୨୦ କୋଟି ଟଙ୍କାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଦେଢ଼ ବର୍ଷ ମଧ୍ୟରେ କଳାହାଣ୍ଡି ଜିଲ୍ଲାରେ ୧୫୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ଏହିସବୁ ପ୍ରକଳ୍ପ ଗୁଡ଼ିକ କଳାହାଣ୍ଡିର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି ସେ କହିଛନ୍ତି।
ଏହି ଅବସରରେ ଜିଲ୍ଲାରେ ଉତେଇ ରାଉଳ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏଥିପାଇଁ ୩,୩୨୫ କୋଟି ଟଙ୍କା ବିନିଯୋଗ ହେବ ବୋଲି ସେ କହିଥିଲେ। ଏହାକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିଛି ଏବଂ ଏହା ଖୁବ୍ଶୀଘ୍ର ଆରମ୍ଭ ହେବ। ଏଥିସହିତ କଳାହାଣ୍ଡିରୁ ନବରଙ୍ଗପୁର ପର୍ଯ୍ୟନ୍ତ ଅଞ୍ଚଳକୁ କପା ଉତ୍ପାଦନ କ୍ଲଷ୍ଟର ଭାବେ ପରିଣତ କରାଯିବ। ଜିଲ୍ଲାର ବେଲଗାମ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବା ସହିତ ସାଣ୍ଡୁଲ ବ୍ୟାରେଜ କାମ ଶୀଘ୍ର ସମ୍ପୂର୍ଣ୍ଣ ହେବ ବୋଲି କହିଥିଲେ। କୃଷି କ୍ଷେତ୍ରରେ କଳାହାଣ୍ଡିକୁ ରାଜ୍ୟରେ ଏକ ନମ୍ୱର ସ୍ଥାନରେ ସ୍ଥାନୀତ କରିବା ପାଇଁ ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ। ଆଗାମୀ ଦିନରେ ଭବାନୀପାଟଣା ଠାରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସେ ଜିଲ୍ଲାବାସୀଙ୍କୁ କହିଥିଲେ।
ସେ କହିଥିଲେ ଯେ, ବର୍ତ୍ତମାନର ସରକାର ହେଉଛି ଲୋକଙ୍କ ସରକାର। ସମସ୍ତଙ୍କ ବିକାଶ ଓ କଲ୍ୟାଣ ପାଇଁ ଉଦ୍ୟମ ଜାରି ରହିଛି। ରାଜ୍ୟ ସରକାର କୃଷକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅନେକ କୃଷକ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଧାନରେ ୮୦୦ ଟଙ୍କା ଇନପୁଟ୍ ସହାୟତା, ପିଏମ କିଷାନ ଓ ସିଏମ କିଷାନରେ ୧୦ ହଜାର ଟଙ୍କା, ସୁଭଦ୍ରା ଯୋଜନା ଏବଂ ଅନ୍ୟାନ୍ୟ ଯୋଜନାର ସହାୟତା ମିଶାଇଲେ ଗୋଟିଏ କୃଷକ ପରିବାର ବର୍ଷକୁ ପ୍ରାୟ ୭୧ ହଜାର ଟଙ୍କାରୁ ଅଧିକ ରୋଜଗାର କରୁଛି। ତେଣୁ କୃଷକର ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। ଚାଷୀ ଏବେ ପୁଣି ବିଲକୁ ଫେରିଛି ଉଦାହରଣ ଦେଇ ସେ କହିଥିଲେ ଯେ, ଗତବର୍ଷ କଳାହାଣ୍ଡି ଜିଲ୍ଲାରେ ୧,୧୨,୦୦୦ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ଚଳିତ ବର୍ଷ ୧,୨୧,୦୦୦ ଚାଷୀ ପଞ୍ଜୀକରଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୁମୁରା ୨୦୨୬ର ସ୍ୱତନ୍ତ୍ର ସ୍ମରଣିକା ‘କଳାଝରଣ’ ଉନ୍ମୋଚନ କରିଥିଲେ।