ମହିଳା ଅସୁରକ୍ଷିତ, ଓଡ଼ିଶା ନିନ୍ଦିତ-ବିଜେଡି
ଭୁବନେଶ୍ୱର:୧୨/୮-କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଅଞ୍ଚଳରେ ଜଣେ ଦଳିତ ନାବାଳିକା ପ୍ରତି ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିବା ପରେ, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଓ ମହିଳା ଅସୁରକ୍ଷିତ ହୋଇପଡ଼ିଥିବା ଅଭିଯୋଗ କରି ରାଜ୍ୟ ସରକାରଙ୍କ ଅପାରଗତା ଏଥିପାଇଁ ଦାୟୀ ବୋଲି ବିଜୁ ଜନତା ଦଳ କହିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଧାୟକ ଧ୍ରୁବ ଚରଣ ସାହୁ ଓ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି ଛାତ୍ରୀ ଓ ମହିଳାମାନଙ୍କ ଉପରେ ନିର୍ଯାତନା ଓ ଦୁଷ୍କର୍ମ ପ୍ରତ୍ୟେକ ଦିନ ଉଦ୍ବେଗଜନକ ବୃଦ୍ଧି ପାଇଥିବା ବେଳେ ରାଜ୍ୟ ସରକାର ଏହାକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କହିଥିଲେ ।

ବିଧାୟକ ଶ୍ରୀ ସାହୁ କହିଥିଲେ, ଦୁଷ୍କର୍ମ ଓ ଗଣଦୁଷ୍କର୍ମ ରାଜ୍ୟରେ ନିତିଦିନିଆ ହୋଇଯାଇଥିବା ବେଳେ, ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଦିନ ରାଜନଗର ଅଞ୍ଚଳରେ ଜଣେ ଦଳିତ ନାବାଳିକା ତା’ର ପିଉସା ସହିତ ଭାଲୁକୁଣୀ ମୂର୍ତ୍ତି କିଣିବାକୁ ଯିବା ସମୟରେ ସନ୍ଧ୍ୟା ୫ଟା ସମୟରେ ତାଙ୍କୁ ଗୋଟିଏ ନିକାଞ୍ଚନ ଜାଗାକୁ ନେଇ ୫ ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିବା ସହିତ ଭିଡିଓ ଉତ୍ତୋଳନ କରିଥିଲେ । ପୀଡିତା ଭୟଭୀତ ହୋଇ ଘଟଣା ସମ୍ପର୍କରେ କାହା ଆଗରେ ପ୍ରକାଶ କରିବାକୁ ସାହସ କରିପାରି ନଥିଲା । ଦୁର୍ବୃତ୍ତମାନେ ସେହି ଭିଡିଓକୁ ଭାଇରାଲ କରିବାକୁ ଉଦ୍ୟମ କରିଥିଲେ । ପୀଡ଼ିତାଙ୍କ ଭାଇଙ୍କ ନଜରରେ ଏହି ଭିଡିଓ ଆସିବା ପରେ, ପରିବାର ଲୋକ ଏହି ଘଟଣା ବିଷୟରେ ଅବଗତ ହୋଇ ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ । ଉଲ୍ଲେଖଯୋଗ୍ୟ, ଅନ୍ୟ ଏକ ଘଟଣାରେ ଗତ ୬ ତାରିଖ ଦିନ ପଟ୍ଟାମୁଣ୍ଡାଇରେ ଜନୈକ କଲେଜ ଛାତ୍ରୀ ଆତ୍ମଦାହ କରିଥିଲେ । ଶ୍ରୀ ସାହୁ ଆହୁରି କହିଥିଲେ, ରାଜ୍ୟର ଗୃହ ବିଭାଗ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହାତରେ ରହିଥିଲେ ମଧ୍ୟ, ଆଇନ ଶୃଙ୍ଖଳା ପରିସ୍ଥିତି ଓ ମହିଳା ସୁରକ୍ଷା ସ୍ଥିତିରେ ସୁଧାର ଆସୁନାହିଁ । ମହିଳା ମାନଙ୍କ ବିକାଶ ପାଇଁ ସରକାର କେବଳ ସୁଭଦ୍ରା ସୁଭଦ୍ରା ପ୍ରଚାର କରୁଛନ୍ତି । କିନ୍ତୁ ବାସ୍ତବରେ ସରକାରଙ୍କ ଏହି ପ୍ରଚାର ମହିଳା ମାନଙ୍କ ପାଇଁ ଏକ ଉପହାସରେ ପରିଣତ ହୋଇଛି ।
ଡ଼ ମହାନ୍ତି କହିଥିଲେ, ଗୋଟିଏ ମାସ ଭିତରେ ଚାରି ଚାରି ଜଣ ଛାତ୍ରୀ ପୋଡିହୋଇ ମରିଥିବା ବେଳେ, ଆଜି ମଧ୍ୟ ଭୁବନ ଅଞ୍ଚଳରେ ଜଣେ ମହିଳା ୫୦ ପ୍ରତିଶତ ପୋଡି ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଭଳି ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ରାଜ୍ୟରେ ମହିଳା ଅସୁରକ୍ଷିତ ବୋଲି ଜାତୀୟ ଗଣମାଧ୍ୟମରେ ବାରମ୍ୱାର ଚର୍ଚ୍ଚା ହେଉଥିବାରୁ, ଓଡିଶା ଲଜ୍ଜିତ ଓ ନିନ୍ଦିତ ହେଉଛି । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ମହିଳା ଅସୁରକ୍ଷିତ ହୋଇପଡ଼ିଥିବା ପ୍ରସଙ୍ଗରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ବେଗ ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ସମ୍ବେଦନହୀନତା ଅପାରଗ ପଣିଆ ଯୋଗୁଁ ଅପରାଧୀମାନେ ଭୟମୁକ୍ତ ହୋଇ ଅପରାଧ ଘଟାଉଛନ୍ତି । ସରକାରଙ୍କ ନିଦ ଭାଙ୍ଗୁ ଓ ଆଇନ ଶୃଙ୍ଖଳା ସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି ।