ଭୁବନେଶ୍ୱର:1/9-ଗୋଟିପୁଅ ହେଉଛି ଆମ ଓଡ଼ିଆ ଅସ୍ମିତାର ପରିଚୟ, ଆମ ନୃତ୍ୟ ପରମ୍ପରାର ପରିଚାୟକ। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ଗୋଟିପୁଅ ନୃତ୍ୟ ମହୋତ୍ସବରେ ଆମ ନୃତ୍ୟ ଶିଳ୍ପୀମାନଙ୍କର ନୈପୁଣ୍ୟତା ତଥା ଗୋଟିପୁଅ ନୃତ୍ୟର ମହନୀୟତା ପ୍ରଦର୍ଶିତ ହୋଇଛି। ଗୋଟିପୁଅର ସକାରାତ୍ମକ ଭବିଷ୍ୟତ ପାଇଁ ଆଲୋଚନା ଚକ୍ରରେ ନୃତ୍ୟର ବିଭିନ୍ନ ଦିଗକୁ ନେଇ ବିଶ୍ଳେଷଣ କରାଯାଇଛି।

ଆଗାମୀ ଦିନରେ ଗୋଟିପୁଅ ନୃତ୍ୟ ପ୍ରଶିକ୍ଷଣ ପ୍ରଦାନ କରୁଥିବା ସମସ୍ତ ଗୁରୁକୁଳ ଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହିତ ନୃତ୍ୟର ମୌଳିକତାକୁ ରକ୍ଷା କରି ଗୁରୁକୁଳ ଗୁଡ଼ିକୁ ସଶକ୍ତ ଓ ଯୁଗୋପଯୋଗୀ କରାଯିବ। ଗୁରୁ-ଶିଷ୍ୟ ପରମ୍ପରାକୁ ଗତିଶୀଳ କରିବା ସହିତ ନୂଆପିଢ଼ିଙ୍କୁ ନୃତ୍ୟ ଶିଖିବା ପାଇଁ ପ୍ରୋତ୍ସାହିତ କରାଯିବ। ଜାତୀୟ ଶିକ୍ଷା ନୀତି ଆଧାରରେ ଆମ ପାରମ୍ପରିକ ନୃତ୍ୟକୁ ଯେପରି ପାଠ୍ୟକ୍ରମ ଓ ସହ ପାଠ୍ୟକ୍ରମ ଭାବେ ସଂଶ୍ଳିଷ୍ଟ କରାଯାଇପାରିବ ସେ ଦିଗରେ ଗୁରୁତ୍ୱାରୋପ କରାଯିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।

ଆଜି ରାଜ୍ୟ ସ୍ତରୀୟ ଗୋଟିପୁଅ ନୃତ୍ୟ ମହୋତ୍ସବର ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗୋଟିପୁଅ କେବଳ ଯେ ମନୋରଞ୍ଜନର ମାଧ୍ୟମ ନୁହେଁ ବରଂ ଆମ ସଂସ୍କୃତିର ପଥ ପ୍ରଦର୍ଶକ ଏବଂ ଏକ ସୁସ୍ଥ ଓ ନିରୋଗ ଜୀବନଶୈଳୀ ଯାପନ କରିବାର ମାଧ୍ୟମ ବୋଲି ସେ ମତପ୍ରକାଶ କରିଥିଲେ। ଉଦ୍ଯାପନୀ ସମାରୋହରେ ଗୁରୁ ଭାଗିରଥି ମହାପାତ୍ର (୮୩ ବର୍ଷ ବୟସରେ) ଗୋଟିପୁଅ ନୃତ୍ୟ ପରିବେଷଣ କରିଥିଲେ, ଯାହାକି ଆଜିର କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ରହିଥିଲା। ଏଥିସହ ଗୋଟିପୁଅର ମୌଳିକତା ଓ ବେଶପୋଷାକ ଶୀର୍ଷକକୁ ନେଇ ଏକ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା।

ଉଦ୍ଯାପନୀ ସନ୍ଧ୍ୟାରେ ଦଶଭୂଜା ଗୋଟିପୁଅ ନୃତ୍ୟ ପରିଷଦ, ଲକ୍ଷ୍ମୀପ୍ରିୟା ଗୋଟିପୁଅ ନୃତ୍ୟ କେନ୍ଦ୍ର, ସ୍ଵାତୀଶ୍ରୀ ଗୋଟିପୁଅ ଓ ଓଡ଼ିଶୀ ନୃତ୍ୟ ପରିଷଦ, ନକ୍ଷତ୍ର ଗୁରୁକୁଳ ଟ୍ରଷ୍ଟ, ଅଭିନ୍ନ ସୁନ୍ଦର ଗୋଟିପୁଅ, କସଡ଼ା ଗୋଟିପୁଅ ଆଦି ଅନୁଷ୍ଠାନର ନୃତ୍ୟଶିଳ୍ପୀମାନେ ଗୋଟିପୁଅ ନୃତ୍ୟ ପରିବେଷଣ କରିଥିଲେ।

ଅଗଷ୍ଟ ୩୦ ତାରିଖ ଠାରୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଲୋକକଳା ସଂଘର ମିଳିତ ସହଯୋଗରେ ରାଜ୍ୟସ୍ତରୀୟ ଗୋଟିପୁଅ ନୃତ୍ୟ ମହୋତ୍ସବର ଆୟୋଜନ କରାଯାଇଥିଲା। ଏହି ରାଜ୍ୟସ୍ତରୀୟ ନୃତ୍ୟ ମହୋତ୍ସବରେ ୨୦ଟି ନୃତ୍ୟଦଳ ଅଂଶଗ୍ରହଣ କରିଥିଲେ।