ଭୁବନେଶ୍ୱର:୨/୯– ଓଡ଼ିଶାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଦୁଗ୍ଧ ଚାଷୀଙ୍କୁ ପିଏମ୍ଏମ୍ୱାଇ (ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା) ସହ ଅଧିକ ସଂଖ୍ୟାରେ ସଂଯୋଗ କରିବା ଉପରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଗୁରୁତ୍ୱାରୋପ କରିଛନ୍ତି । କଟକ ଜିଲ୍ଲାର ଗୋବିନ୍ଦପୁର, ଅରିଲୋସ୍ଥିତ ଓମ୍ଫେଡ୍ ମେଗା ଡାଇରୀ ପ୍ଲାଣ୍ଟ ପରିଦର୍ଶନ ସମୟରେ ରାଜ୍ୟପାଳ ଏପରି ଗୁରୁତ୍ୱାରୋପ କରିଛନ୍ତି । ଦୁଗ୍ଧ ଚାଷୀମାନେ ସେମାନଙ୍କ ଉଦ୍ୟମକୁ ବ୍ୟାପକ କରିବା ନିମନ୍ତେ ବ୍ୟାଙ୍କ ଋଣର ଆବଶ୍ୟକତା ରହିଛି । ଏଣୁ ବ୍ୟାଙ୍କମାନଙ୍କ ସହ ଉତ୍ତମ ସମନ୍ୱୟ ରକ୍ଷା କରି ଦୁଗ୍ଧଚାଷୀଙ୍କୁ ଋଣ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧୀନରେ ଚାଷୀମାନଙ୍କୁ ସହାୟତା ଯୋଗଇବାର ପଦ୍ଧତି ସଂପର୍କରେ ରାଜ୍ୟପାଳ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ, କେତେକ ଚାଷୀ ଯୋଜନାର ସବସିଡି ପାଇଁ ଆବଶ୍ୟକୀୟ ବ୍ୟକ୍ତିଗତ ଅବଦାନ ପ୍ରଦାନ କରିବାକୁ ହଇରାଣ ହୁଅନ୍ତି, କିନ୍ତୁ ସେମାନଙ୍କୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ସହିତ ସଂଯୋଗ କରିବା ଦ୍ୱାରା ସେମାନେ ବ୍ୟାଙ୍କ ଋଣ ପାଇ ପାରିବେ ଏବଂ ବ୍ୟବସାୟ ଆରମ୍ଭ କରିପାରିବେ କିମ୍ବା ବଢାଇପାରିବେ ।

ବ୍ୟାଙ୍କ ଦ୍ୱାରା ସଠିକ୍ ସମୟରେ ଋଣ ପ୍ରଦାନ ଚାଷୀଙ୍କୁ ପ୍ରେରଣା ଯୋଗାଇବା ସହିତ ଉତ୍ସାହିତ କରିବ ବୋଲି ରାଜ୍ୟପାଳ କହିଥିଲେ । ଏଣୁ ବ୍ୟାଙ୍କମାନଙ୍କ ସହ ନିୟମିତ ସମନ୍ୱୟ ରକ୍ଷା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କ ଏକ ବିସ୍ତୃତ ତାଲିକା ବ୍ୟାଙ୍କମାନଙ୍କୁ ପ୍ରଦାନ କରିବାକୁ ରାଜ୍ୟପାଳ ଓମ୍ଫେଡ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ଫଳରେ ଋଣ ପ୍ରଦାନ ପ୍ରକିୟାକୁ ସୁଗମ କରାଯାଇପାରିବ, ଯାହା ରାଜ୍ୟରେ ଦୁଗ୍ଧ ଚାଷଙ୍କୁ ପ୍ରୋତ୍ସାହିତ କରିବ ଏବଂ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇବ । ଏହା ଦୁଗ୍ଧ ଉତ୍ପାଦନ ଏବଂ ଆବଶ୍ୟକତା ମଧ୍ୟରେ ଥିବା ବ୍ୟବଧାନକୁ ପୂରଣ କରିବାରେ ସହାୟକ ହେବ ବୋଲି ରାଜ୍ୟପାଳ କହିଥିଲେ । ଏ ଦିଗରେ ଯଦି କୌଣସି ସମସ୍ୟା ଉପୁଜେ, ତେବେ ଓମ୍ଫେଡ୍ କର୍ତ୍ତୃପକ୍ଷ ସିଧାସଳଖ ତାଙ୍କ ସହ ଯୋଗାଯୋଗ କରିପାରିବେ ବୋଲି କହିଥିଲେ । ଏହି ଗସ୍ତ ସମୟରେ ରାଜ୍ୟପାଳ ମେଗା ଡାଇରୀ ପ୍ଲାଂଟର ବିଭିନ୍ନ ବିଭାଗ, ଲାବୋରାଟାରୀ, ଘିଅ ବିଭାଗ, ଉତ୍ପାଦ ଗ୍ୟାଲେରୀ ବୁଲି ଦେଖିଥିଲେ ।
ଓମ୍ଫେଡ୍ କର୍ତ୍ତୃପକ୍ଷ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ୍ ମାଧ୍ୟମରେ ପ୍ଲାଣ୍ଟର କାର୍ଯ୍ୟଧାରା, ପରିଚାଳନା, ମାର୍କେଟିଂ ପଦ୍ଧତି ଏବଂ ଉତ୍ପାଦ ସଂପର୍କରେ ରାଜ୍ୟପାଳଙ୍କୁ ଅବଗତ
କରାଇଥିଲେ । ସହରାଚଂଳରେ ଘରେ ଘରେ ଓମ୍ଫେଡ୍ କ୍ଷୀର ଏବଂ ଅନ୍ୟାନ୍ୟ ଉତ୍ପାଦ ପହଞ୍ଚାଇ ଦିଆଯାଇପାରିଲେ ଏହା ଅଧିକ ଲୋକାଭିମୁଖୀ ହୋଇପାରିବ । ଏଣୁ ଏଦିଗରେ ଅନୁଶୀଳନ କରି ପଦକ୍ଷେପ ନେବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ ।